ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ କରି ନ ଥିବା ବେଳେ ଭାଜପା ଏହି କ୍ଷେତ୍ରରେ ନିଜ ପୂର୍ବ ଘୋଷିତ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀରୁ ୨୦୧୯ ନିର୍ବାଚନରେ ବିଜେଡିର ପିତମ ପାଢ଼ୀ ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କ ପରିବର୍ତ୍ତେ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଭରସା କରିଛି। ପ୍ରଫୁଲ୍ଲ ୨୦୧୪ ନିର୍ବାଚନରେ ପଟ୍ଟାଙ୍ଗିରୁ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ କରିଥିବା ରାମଚନ୍ଦ୍ର କାଡାମ ଜଣେ ପୁରୁଖା ନେତା ରୂପେ ପରିଚିତ। କଂଗ୍ରେସରୁ ସେ ୧୯୯୫ ଓ ୨୦୦୯ରେ ୨ ଥର ବିଧାୟକ ହୋଇଥିଲେ। ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ଦଳ ପକ୍ଷରୁ ସେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ। ଏପରି ସ୍ଥଳେ ୬ମାସ ତଳେ ଭାଜପାରେ ସାମିଲ ହୋଇଥିବା ଚୈତନ୍ୟ ନନ୍ଦବାଲି ଏହି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ହୋଇଛନ୍ତି। ସେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ମୁକାବିଲା କରିବେ। ଚୈତନ୍ୟ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୮,୨୩୮ଖଣ୍ଡ ଭୋଟ ପାଇଥିଲେ। ସେହିପରି ଗତ ନିର୍ବାଚନରେ ଉକ୍ତ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୫୧ ହଜାରରୁ ଊଦ୍ଧର୍‌ବ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ୪୬ ହଜାରରୁ ଅଧିକ ଭୋଟ ପାଇଥିଲା। ଏସବୁକୁ ଆକଳନ କଲେ ଏହି ନିର୍ବାଚନମଣ୍ଡଳୀରେ ପୁରୁଣାଙ୍କ ସହ ନୂଆ ମୁହଁର ଲଢ଼େଇ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାଜପା ପ୍ରଥମେ ଚୈତନ୍ୟ ହନ୍ତାଳଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଥିଲା। ପରେ ତାଙ୍କୁ ପରିବର୍ତ୍ତନ କରି ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି।