ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର,୬।୮(ବ୍ୟୁରୋ): ଷ୍ଟାଫ୍‌ ସିଲେକ୍ସନ କମିଶନ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଏଭଳି ମହାଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ୩୩ ସାଙ୍ଗଠନିକ ଜିଲାରେ ଆନ୍ଦୋଳନ କରାଯିବ। ଏଥିସହ ନବୀନ ନିବାସ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
କଂଗ୍ରେସ ଭବନ ପରିସରରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳୀୟ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି, ଶାସନ ବ୍ୟବସ୍ଥାକୁ ଦୁର୍ନୀତି ମୁକ୍ତ କରିବାକୁ ‘୫-ଟି’ ବିଭାଗ ସୃଷ୍ଟି ହୋଇଛି। ଟିମ୍‌ ୱାର୍କ, ଟ୍ରାନସ୍‌ପରେନ୍ସି, ଟ୍ରାନସ୍‌ଫରମେଶନ, ଟେକ୍ନୋଲୋଜି, ଟାଇମ୍‌ ଲିମିଟ୍‌କୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାର ଡିଣ୍ଡିମ ପିଟୁଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଷ୍ଟାଫ୍‌ ସିଲେକ୍ସନ କମିଶନ ସଚିବଙ୍କ ଜଣେ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେବା ପରେ ଦୁର୍ନୀତିର ଚେର କେତେ ଗଭୀରକୁ ଲମ୍ବିଛି, ତାହା ସ୍ପଷ୍ଟ ହୋଇସାରିଛି। ଅଭିଯୁକ୍ତ ବ୍ୟକ୍ତିଗତ ସହାୟକ ଜଣକ ଦୀର୍ଘ ୨୦ ବର୍ଷ ଧରି ଶିକ୍ଷିତ ଯୁବତୀଯୁବକଙ୍କ ଭାଗ୍ୟ ସହ ଖେଳୁଥିଲେ। ଚାକିରି ବିକ୍ରି ଅର୍ଥକୁ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଉଥିଲା। ଆଗାମୀ ଦିନରେ ଏଭଳି ଦୁର୍ନୀତିର ଜବାବ ଜନସାଧାରଣ ଦେବେ ବୋଲି ଦେବାଶିଷ କହିଛନ୍ତି। ଏହାର ପ୍ରତିବାଦରେ ୩୩ ସାଙ୍ଗଠନିକ ଜିଲାରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ। ନବୀନ ନିବାସ ମଧ୍ୟ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ ଚେତାବନୀ ଦେଇଛନ୍ତି।