ଡଙ୍ଗରିଆଙ୍କ ପାଠପଢାରେ ନେଟୱାର୍କ ସାଜିଛି ବାଧକ, ନିୟମଗିରିରୁ ବହୁ ତଳକୁ ଓହ୍ଲାଉଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ମୋବାଇଲ୍‌ ସେବା ଅପହଞ୍ଚ। ମାଓବାଦୀ ଭୟରେ କାମ କରୁନି ଘରୋଇ ମୋବାଇଲ ଟାୱାର । ଫଳରେ ନିୟମଗିରିକୁ ପହଞ୍ଚତ୍ ପାରିନି ମୋବାଇଲ ସେବା। କୌଣସି ଗାଁ ତ ଦୂରର କଥା ପାହାଡ, ଡଙ୍ଗର ଚଢିଲେ ବି ଆସୁନି ନେଟୱାର୍କ। ଫଳରେ ଅନଲାଇନ ପାଠପଢା ପାଇଁ ନିୟମଗିରିରୁ ବହୁ ତଳକୁ ଓହ୍ଲାଉଛନ୍ତି ଡଙ୍ଗରିଆ। ଶତାଧିକ ଡଙ୍ଗରିଆ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ଲାଗି ପ୍ରସ୍ତୁତ ହେଉଥିବା ବେଳେ ପ୍ରତିଦିନ ନେଟୱାର୍କ ଥିବା ଅଞ୍ଚଳକୁ ଆସି ପଢା ସାରି ପୁଣି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ନିୟମଗିରି ପାହାଡ ଉପରେ ଥିବା ୧୫ ଟି ରାଜସ୍ବ ଗ୍ରାମ, ୮ ଟି ହାମଲେଟର ଶହେରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଛନ୍ତି। କିଛି ଛାତ୍ରୀଛାତ୍ର ଭୁବନେଶ୍ୱରରେ ମଧ୍ୟ ଅଧ୍ୟୟନ କରୁଛନ୍ତି। ପଞ୍ଚମରୁ ଆରମ୍ଭ କରି ଦଶମ, ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ରହିଛନ୍ତି। ହେଲେ, ଏମାନଙ୍କ ପାଠପଢାରେ ବାଧକ ସାଜିଛି ନେଟୱାର୍କ। ଗାଁକୁ ନେଟୱର୍କ ଆସୁ ନ ଥିବାରୁ ବହୁ ଦୂର ଚାଟିକଣାକୁ ଆସି ଛାତ୍ରୀଛାତ୍ରଙ୍କୁ ପାଠ ପଢିବାକୁ ପଡୁଛି। ଅନ୍ୟପକ୍ଷରେ ଅଧିକାଂଶ ଛାତ୍ରୀଛାତ୍ରଙ୍କ ପାଖରେ ମୋବାଇଲ ମଧ୍ୟ ନାହିଁ। ଦାରିଦ୍ର ଭିତରେ ଥିବା କେତେକ ପରିବାର ମୋବାଇଲ କିଣିବା ପାଇଁ ସକ୍ଷମ ନ ଥିବା ବେଳେ କିଛି ପରିବାର ଇଚ୍ଛା ଥିବା ସତ୍ତ୍ୱେ ନେଟୱାର୍କ ନ ଥିବାରୁ ମୋବାଇଲ କିଣି ନାହାନ୍ତି।