୧୬,୫୦୦ ଫୁଟ ଉଚ୍ଚରେ ଉଡ଼ିଲା ଏନ୍‌ସିସି ପତାକା

ପୁରୀ ଅଫିସ,୧୩ା୧୨: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ର କ୍ୟାଡେଟ୍‌ ଆଶିଷ ଜେନା ଓଡ଼ିିଶାର ଏକମାତ୍ର କ୍ୟାଡେଟ ଭାବେ ହିମାଳୟର ୧୬ହଜାର ୫୦୦ ଫୁଟ ଉଚ୍ଚ ପର୍ବତାରୋହଣ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏନ୍‌ସିସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଦ୍ୱାରା ଦେଶର ୫ଜଣ କ୍ୟାଡେଟଙ୍କୁ ଚୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଶିଷ ଓଡ଼ିଶାର ଏକମାତ୍ର କ୍ୟାଡେଟ୍‌ ଭାବେ ଏହି ଦୁଃସାହସିକ ପର୍ବତାରୋହଣ କରିବାରେ ସଫଳ ହୋଇଥିଲେ। କ୍ୟାଡେଟ୍‌ଙ୍କ ମନରେ ସାହସିକତା ତଥା ଆତ୍ମବିଶ୍ୱାସ ବୃଦ୍ଧି କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିଲା। ପଶ୍ଚିମବଙ୍ଗର ଦାର୍ଜିଲିଂସ୍ଥିତ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନରେ ପ୍ରଥମ ଦଶ ଦିନ ପଥରପୂର୍ଣ୍ଣ ଓ ବରଫାବୃତ୍ତ ପର୍ବତ ଆରୋହଣ ପ୍ରଶିକ୍ଷଣ ନେଇ ପରବର୍ତ୍ତୀ ୧୨ଦିନରେ ପ୍ରତିକୂଳ ପରିସ୍ଥିତିରେ ନିମ୍ନ ତାପମାତ୍ରାରେ ବରଫାବୃତ ହିମାଳୟର ୧୬,୫୦୦ ଫୁଟ ଉଚ୍ଚ ପର୍ବତାରୋହଣ କରି ଏନ୍‌ସିସି ପତାକା ଉଡ଼ାଇଥିଲେ। ଏଥିଲାଗି ପ୍ରତିଷ୍ଠାନ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯିବା ସହ ମେଡାଲ ଓ ପ୍ରମାଣପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏନ୍‌ସିସି ବାଟାଲିୟନ ପୁରୀର କମାଣ୍ଡିଙ୍ଗ୍‌ ଅଫିସର କର୍ନେଲ ସୁଦର୍ଶନ ଜୋଶୀ ଓ ପ୍ରଶାସନିକ ଅଫିସର କର୍ନେଲ ପ୍ରସନ୍ନ କୁମାର ପଣ୍ଡାଙ୍କ ସମେତ ଓଡ଼ିଶା ଏନ୍‌ସିସି ନିଦ୍ଦେର୍ର୍ଶାଳୟ ଭୁବନେଶ୍ୱର ପକ୍ଷରୁ ଆଶିଷଙ୍କୁ ପ୍ରଶଂସା କରାଯାଇଛି। ତାଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁଜାତା ମିଶ୍ର ଓ ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଡ. ସଞ୍ଜୟ କୁମାର ସୁନ୍ଦରାୟ ସମ୍ବର୍ଦ୍ଧିତ କରିଛନ୍ତି।