ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଜାତୀୟ ପତାକା

ନନ୍ଦାହାଣ୍ଡି,୧୬।୧୦,(ଡି.ଏନ.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକାକୁ ଅସମ୍ମାନ। ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିଢ଼ି ତଳେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି କେତେଗୁଡିଏ ଜାତୀୟ ପତାକା। ଏହା ଉପରେ ପାନଛେପ ଆଦି ପଡିଛି। କିନ୍ତୁ ବିଡମ୍ବନାର ବିଷୟ ଯେ କୌଣସି ଅଧିକାରୀଙ୍କର ଏ ଦିଗରେ ନଜର ନାହିଁ।
ଉକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଏବ ବ୍ୟାନର ପଡିଥିଲା। ଯାହା ଉପରେ ପାନଛେପ ଓ ଅନ୍ୟ ଅଳିଆ ପଡିଥିଲା। ଏହା ଦେଖି କେତେଜଣ ବିରୋଧ କରିବାରୁ ତାହାକୁ ବ୍ଲକ ପ୍ର୍ରଶାସନ ପକ୍ଷରୁ ହଟାଯାଇଥିଲା। ଏହି ପୋଷ୍ଟର ହଟାଯିବା ପରେ ଏହାତଳୁ ଏକାଧିକ ଜାତୀୟ ପତାକା ମିଳିଥିଲା। କିଛିଦିନ ତଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଜାତୀୟ ପତାକା ଏପରି ପରିତ୍ୟକ୍ତଭାବେ ପଡିଥିବା କାହାରି ନଜରରେ କିପରି ଆସି ନ ଥିଲା ସେ ନେଇ ପ୍ରଶ୍ନ ଉଠିଛି। ଏ ନେଇ ବିଡିଓ ଶିବଶଙ୍କର ମୁର୍ମୁଙ୍କୁ ପଚାରିବାରୁ ଜାତୀୟ ପତାକା କିପରି ଏଠାକୁ ଆସିଲା ସେ ବିଷୟରେ କୌଣସି ଧାରଣା ନାହିଁ। ଏହାର ତଦନ୍ତ କରାଯିବ। ଘଟଣା ବିଷୟରେ ଜାଣିବାପରେ କର୍ମଚାରୀଙ୍କୁ କହି ଜାତୀୟ ପତାକାକୁ ସେଠାରୁ ହଟାଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଗୁଡିକରେ କିଛି ସ୍କୁଲର ୟୁଡାଇସ କୋଡ୍‌ ଉଲ୍ଲେଖ ଥିଲା। ତେଣୁ ଏ ନେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ବେହେରାଙ୍କୁ ପଚାରିବାରୁ ସେ ଏ ବିଷୟ ଅଜ୍ଞ ଅଛନ୍ତି ବୋଲି କହିଛନ୍ତି। ଜାତୀୟ ପତାକା ଓ ମୁଖ୍ୟମନ୍ତ୍ରୀଙ୍କ ଏହି ବ୍ୟାନର ସବୁ କେଉଁଠାରୁ ଆସିଲା ତାହାର ତଦନ୍ତ ଦାବି ହୋଇଛି।