ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା ଥିବା ସ୍ଥାନଗୁଡ଼ିକରେ ଏନ୍ଏସ୍ସି କର୍ମଚାରୀ ଓ ଜନପ୍ରତିନିଧିମାନେ ଝାଡ଼ୁ ଧରି ସଫେଇର ପ୍ରଚାର କରି ସରକାର, ଜିଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କଠାରୁ ବାହାବା ନେଉଥିବା ବେଳେ ସାହିଗୁଡ଼ିକରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ଯେଉଁ ଲକ୍ଷ୍ୟ ନେଇ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ, ତାହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏନ୍ଏସ୍ସି କର୍ମଚାରୀମାନେ କେବଳ ଲୋକଦେଖାଣିଆ ଭାବେ ଝାଡ଼ୁ ମାରି ଚାଲିଯାଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନ୍ଏସ୍ସି ପ୍ରଶାସନ ଓ ଜନପ୍ରତିନିଧିମାନେ ଏଭଳି ଫଟୋସେସନ୍ ନକରି ପ୍ରକୃତ ସମସ୍ୟାସଙ୍କୁଳ ସ୍ଥାନକୁ ଯାଇ ସଫେଇ କଲେ ସେମାନଙ୍କ ପାରିବାପଣିଆ ଜଣାପଡ଼ିବ ବୋଲି ସାଧାରଣରେ କଟାକ୍ଷ କରାଯାଇଛି।
ୱାର୍ଡ ନଂ-୯ ସୁନାରିତୋଟା ସାହିରେ ଦୁଇ ବର୍ଷ ତଳେ ଜନସାଧାରଣଙ୍କ ଯାତାୟାତର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ପେଭର ରାସ୍ତା ଓ ଡ୍ରେନ୍ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ଗଛଲତା ଓ ଜଙ୍ଗଲରେ ଭରିଗଲାଣି। ଏଠାରେ ବିଷଧର ସାପ ଚଳପ୍ରଚଳ କରୁଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍ ଅଭାବରୁ ରାତିରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।
ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଏନ୍ଏସ୍ସି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କର୍ଣ୍ଣପାତ କରାଯାଉ ନଥିବା ଅଭିଯୋଗ ହୋଇଛି। ସରକାରୀ ଅର୍ଥରେ ନିର୍ମିତ ରାସ୍ତାର ଏଭଳି ଦୁରବସ୍ଥା ସରକାରୀ ସମ୍ପତ୍ତିର ରକ୍ଷଣାବେକ୍ଷଣ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ୱଚ୍ଛତା ନେଇ ସଚେତନତାର ବାର୍ତ୍ତା ଦେବା ପୂର୍ବରୁ ସହରର ପରିମଳ ଓ ସରକାରୀ ସମ୍ପତ୍ତିର ସୁରକ୍ଷାକୁ ଏନ୍ଏସ୍ସି ପ୍ରଶାସନ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣ ମତପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ, ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଏବଂ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଓ ସଚିବ ତୁରନ୍ତ ଦୃଷ୍ଟିଦେଇ ରାସ୍ତାର ସଫେଇ ଏବଂ ରକ୍ଷଣାବେକ୍ଷଣ ପାଇଁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।