କାର୍ଯ୍ୟକାରୀ ହେବ ‘ମୋ ସାଇକେଲ୍‌’ ଆପ୍‌

ଭୁବନେଶ୍ୱର, ୫।୧(ବ୍ୟୁରୋ): ମୋ ସାଇକେଲ୍‌ର ନୂତନ ଦିଗନ୍ତ ଭାବେ ଖୁବ୍‌ଶୀଘ୍ର ‘ମୋ ସାଇକେଲ୍‌’ ଆପ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପଦକ୍ଷେପ ନେଇଛନ୍ତି। ସାଇକେଲ ଚଲାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସ୍ମାର୍ଟସିଟି ସିଇଓ ତଥା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି। ତେବେ ଫେବୃୟାରୀରେ ଏହି ଆପ୍‌ କାର୍ଯ୍ୟକାରୀ ହେବ। ଏହି ଗୋଟିଏ ଆପ୍‌ ବ୍ୟବହାର କରି ତିନୋଟି କମ୍ପାନୀର ସାଇକେଲ୍‌ ଚଢ଼ିପାରିବେ ଲୋକେ।
କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ରୁ ‘ମୋ ସାଇକେଲ୍‌’ର ଦାୟିତ୍ୱ କାଢ଼ି ନିଆଯିବା ପରେ ବିଏସ୍‌ସିଏଲ୍‌ ଏବଂ ବିଏମ୍‌ସିର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ସହ ନବୀକରଣ ସ୍ବରୂପ ବିଭିନ୍ନ ସାଇକେଲ୍‌ ଡିପୋରେ ଥିବା ସାଇକେଲ୍‌କୁ ସର୍ଭେ କରାଯାଇଛି। ମୋଟ ୨୦୦୦ ସାଇକେଲ୍‌ରୁ ବର୍ତ୍ତମାନ ୧୬୦୦ ସାଇକେଲ୍‌ କାର୍ଯ୍ୟକ୍ଷମ ଅବସ୍ଥାରେ ଥିବାବେଳେ ୪୦୦ ସାଇକେଲ୍‌ର ମରାମତି ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ପବ୍ଲିକ୍‌ ବାଇସାଇକେଲ୍‌ ଶେୟାରିଂ ବା ପିବିଏସ୍‌କୁ ଅଧିକ ଲୋକାଭିମୁଖୀ କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ଯେଉଁଥିରେ ୨ଟି ମୁଖ୍ୟ ସାଇକେଲ୍‌ ଟ୍ରାକ୍‌ରେ ପିବିଏସ୍‌ର ଉନ୍ନତି କରାଯିବ। ଶିଶୁଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ଓ ପଟିଆ ଛକଠାରୁ ଇନ୍‌ଫୋସିଟି ଦେଇ କିଟ୍‌ ପର୍ଯ୍ୟନ୍ତ ସାଇକେଲ୍‌ ଟ୍ରାକ୍‌ର ଉନ୍ନତି କରାଯିବ। ପ୍ରାରମ୍ଭରୁ ୟାନା କମ୍ପାନୀର ୫୦୦, ୟୁଲୁ ୫୦ ଏବଂ ହେକ୍ସି ୧୦୦୦ଟି ସାଇକେଲ୍‌ ସହ ମୋଟ ୨ହଜାରଟି ସାଇକେଲ୍‌କୁ ନେଇ ଭୁବନେଶ୍ୱରରେ ପିବିଏସ୍‌ର ଆରମ୍ଭ ହୋଇଛି। ବର୍ତ୍ତମାନ ଏହାର ଚଢ଼ାଳି ସଂଖ୍ୟା ଦିନକୁ ଦିନ କ଼୍ରମଶଃ ବୃଦ୍ଧି ପାଉଛି। ୨୦୨୦ ଅକ୍ଟୋବର ୨୦ ସୁଦ୍ଧା ୬,୪୬୦ଜଣ, ନଭେମ୍ବର ୬,୫୬୪ ଏବଂ ଡିସେମ୍ବର ୨୦ ସୁଦ୍ଧା ୬,୬୯୯ଜଣ ପିବିଏସ୍‌ର ଉପଯୋଗ କରିଛନ୍ତି। ସେହିପରି ଫିଟ୍‌ ଇଣ୍ଡିଆ ସାଇକେଲ୍‌ ଯାତ୍ରାରେ ଭୁବନେଶ୍ୱରର ଅନେକ ନାଗରିକ ବିଶେଷ କରି ଯୁବପିଢ଼ି ଏହି ସାଇକେଲ୍‌ର ଉପଯୋଗ କରିଛନ୍ତି। ପ୍ରତି ଶୁକ୍ରବାର ସାଇକେଲ୍‌ ଟ୍ରାକ୍‌ ଅବରୋଧମୁକ୍ତ କରିବା ପାଇଁ ପ୍ରତି ଜୋନ୍‌ରେ ଜୋନାଲ୍‌ ଡେପୁଟି କମିଶନରଙ୍କ ତତ୍ତ୍ୱାବଧାନରେ ଉଚ୍ଛେଦ କରାଯାଉଛି। ୨୦୧୮ ନଭେମ୍ବର ୨୬ରେ ଆରମ୍ଭ କରାଯାଇଥିବା ପିବିଏସ୍‌ ଏହାର ନୂଆ ରୂପରେ ଅଧିକ ଲୋକାଭିମୁଖି ହେବ। ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଡେପୁଟି କମିଶନର କମଲ୍‌ଜିତ୍‌ ଦାସ।