ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ୨ ମହିଳାଙ୍କ ସମେତ ୭ ଗିରଫ

କୋରାପୁଟ,୧୨ା୧୧(ଅମିତାଭ ବେହେରା): କୋରାପୁଟ ସହରର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ରବିବାର ୨ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ। ରମେଶ ସରକାରୀ ଚାକିରିରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟେ ମାତ୍ର ଝିଅ ଭବାନୀପାଟଣାରେ ବିବାହ କରି ସେଠାରେ ରହୁଛନ୍ତି। ରମେଶ ଏକାକୀ ଘରେ ରହୁଥିବା ବେଳେ ଘର କାମ କରିବା ପାଇଁ ସରସ୍ବତୀ ଯାନୀ ନାମକ ଜଣେ ମହିଳାଙ୍କୁ ତାଙ୍କ ଘରେ ନିଯୁକ୍ତି ଦେଇଥିଲେ। ରମେଶଙ୍କ ଟଙ୍କା ଓ ଜିନିଷ ଉପରେ ସରସ୍ବତୀଙ୍କ ନଜର ପଡ଼ିଥିଲା। ରମେଶଙ୍କୁ ବାଟରୁ ହଟାଇବା ପାଇଁ ଚାକରାଣୀ ସରସ୍ବତୀ ସମସ୍ତ ଯୋଜନା କରିଥିଲେ। ମାଷ୍ଟରମାଇଣ୍ଡ୍‌ ସରସ୍ବତୀ ଓ ତାଙ୍କ ସହଯୋଗୀ ମିଶି ରମେଶଙ୍କ ଗୋଡ଼ହାତ ବାନ୍ଧି ହତ୍ୟା କରିଥିଲେ। ହତ୍ୟା କରିବା ପରେ ତାଙ୍କ ମୋବାଇଲକୁ ପୋଡ଼ି ଜାଳି ଦେଇଥିଲେ। ରମେଶଙ୍କ ଘରୁ ସୁନା, ରୁପା ସମେତ ଟଙ୍କା ଲୁଟି ନେଇଥିଲେ l ୮ ତାରିଖ ସକାଳୁ ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ହତ୍ୟା ହୋଇଥିବା ପୋଲିସ ପ୍ରକାଶ କରିଥିଲା। ରମେଶଙ୍କ ଘରେ କାମ କରୁଥିବା ସରସ୍ବତୀଙ୍କ ମୋବାଇଲକୁ ଟ୍ରାକ୍‌ କରି ପୋଲିସ ୭ ଜଣଙ୍କୁ ଗିରଫ କରିଛି l ଗିରଫ ୭ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ରହିଥିବା ବେଳେ ୫ ଜଣ ଯୁବକ ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ସେମାନେ ହେଲେ ପ୍ରତାପ ଟାକ୍ରି, କିଷାନ ବାଗ୍‌, ନରାଜ ବେନିୟା, ମହେନ୍ଦ୍ର ପାଣିଗ୍ରାହୀ, ରମା ଗୌଡ଼, ସରସ୍ବତୀ ଯାନୀ, ଅଶୋକ ରାୟ। ଗିରଫ ଅଭିଯୁକ୍ତଙ୍କଠାରୁ ମନ୍ଦିରର ଠାକୁରାଣୀଙ୍କ ସୁନା, ରୁପା, ୬ଟି ମୋବାଇଲ ସମେତ ନଗଦ ୧୫ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ଟାଉନ ଥାନାରେ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସ୍‌ଡିପିଓ ଶ୍ରାବଣୀ ନାୟକ।