‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର

ଭୁବନେଶ୍ୱର, ୬।୧୨ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର। ମୁକ୍ତାକାଶ ଜିମ୍‌ ସହିତ ପିଲାଙ୍କ ପାଇଁ ପାର୍କ, କମ୍ୟୁନିଟି ସେଣ୍ଟର ଠାରୁ ଆରମ୍ଭ କରି ପୋଖରୀ ମରାମତି, ରାସ୍ତା, ସୌନ୍ଦର୍ଯ୍ୟକରଣ ଆଦି କରାଯିବ। ଏନେଇ ସୋମବାର ବିଏମ୍‌ସି କାର୍ଯ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଡିସେମ୍ବର ୧୫ ସୁଦ୍ଧା ନିଜ ନିଜ ଓ୍ବାର୍ଡରେ କେଉଁ କେଉଁ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ସେ ନେଇ ପ୍ରସ୍ତାବ ଦେବା ସହ ଜାଗା ମଧ୍ୟ ଚିହ୍ନଟ କରାଇବା ପାଇଁ କର୍ପୋରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପ୍ରକଳ୍ପ ପାଇଁ ସର୍ବାଧିକ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଦିଆଯିବ। ସେମାନେ ସଂସ୍ଥା ବା କଣ୍ଟ୍ରାକ୍ଟରକୁ ଉକ୍ତ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦେବେ। ୨୦୨୩-୨୪ରେ ବେଳକୁ ମୁକ୍ତା ମାଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। କମିଟି ଗଠନ କରାଯାଇ କାମ ତାଲିକା ପ୍ରସ୍ତୁତ ହେବ। ଏଥିରେ ସମ୍ପୃକ୍ତ ଓ୍ବାର୍ଡର କର୍ପୋରେଟର ଚେୟାରମ୍ୟାନ୍‌ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଜାଇର (ସିଓ), ଜେଇ, ୩ଟି ମିଶନ୍‌ଶକ୍ତିର ସଭାପତି କିମ୍ବା ସେକ୍ରେଟାରୀ, ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଓ୍ବାର୍ଡରେ ଥିବା ବସ୍ତିର ସଭାପତି ବା ସମ୍ପାଦକ, ସ୍ବଚ୍ଛସାଥୀ ପ୍ରମୁଖ କମିଟିର ସଦସ୍ୟ ଭାବେ ରହିବେ। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଓ୍ବାର୍କ୍ସ କମିଟି ଚେୟାରମ୍ୟାନ ଅମରେଶ ଜେନା, ସିଟି ଇଂଜିନିୟର ଅରୁଣ ମହାନ୍ତି, ଏବଂ ସମସ୍ତ ଓ୍ବାର୍ଡର କର୍ପୋରେଟର ଉପସ୍ଥିତ ଥିଲେ।