ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମିଳିତ ଭାବେ ରବିବାର ପୂର୍ବାହ୍ନରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଶତାଧିକ ହିତାଧିକାରୀ ଓ ରୋଗୀଙ୍କୁ ଏମ୍‌ପି ପଣ୍ଡା ଆୟୁଷ୍ମାନ କାର୍ଡ ଏବଂ ବିଭିନ୍ନ ସହାୟକ କିଟ୍ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନିରଞ୍ଜନ କର, ପ୍ୟାରୀମୋହନ ନନ୍ଦ ଏବଂ ବତୀଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭମ ରାଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ପରେ ଏମ୍‌ପି ପଣ୍ଡା ଓ ବିଧାୟକ ନାୟକ ବତୀଘର ଶିବମନ୍ଦିର ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶ୍ରବଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ହସ୍ତତନ୍ତ ଶିଳ୍ପ, ‘ଆତ୍ମନିର୍ଭର ଭାରତ’, ଦେଶର ନୂତନ ସୁପର କମ୍ପ୍ୟୁଟର ଓ ବିଜ୍ଞାନ-ଟେକ୍ନୋଲୋଜି ଏବଂ ଉନ୍ନତ ସ୍ୱାସ୍ଥ୍ୟସେବାର ନୂଆ ସଞ୍ଜୀବନୀ ସମ୍ବନ୍ଧୀୟ ବାର୍ତ୍ତାକୁ ଏମ୍‌ପି ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଜନସାଧାରଣଙ୍କ ସହ ମିଶି ଶୁଣିଥିଲେ। ଏହାପରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା କେତେଜଣ ବରିଷ୍ଠ ଶିକ୍ଷକ ଓ ଗ୍ରାମର ମୁରବୀମାନଙ୍କୁ ଏମ୍‌ପି ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ବକ୍ତବ୍ୟ ରଖି ଅତିଥିମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ବିଶ୍ୱରେ ଏକ ଐତିହାସିକ ବାର୍ତ୍ତା ଯାହା ସମସ୍ତଙ୍କୁ ଯୋଡ଼ିବା ଏବଂ ରାଷ୍ଟ୍ର ଗଠନରେ ସାମିଲ ହେବାକୁ ପ୍ରେରଣା ଦେଇଥାଏ। ଡବଲ ଇଞ୍ଜିନ ସରକାରର ପ୍ରଭାବରେ ଜିଲ୍ଲାରେ ରେଳପଥ ସଂପ୍ରସାରଣ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ରହିଛି। ଖୁବ୍ ଶୀଘ୍ର ଜିଲାରେ ନୂତନ ଶିଳ୍ପ ପ୍ରତିଷ୍ଠା ଏବଂ ସେତୁ ନିର୍ମାଣ କରାଯିବ ବୋଲି ଏମ୍‌ପି  ପଣ୍ଡା ଓ ବିଧାୟକ ଡ. ନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେହିପରି ବରିଷ୍ଠ ନାଗରିକମାନଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିବା ସଭାରେ ସୂଚନା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ପ୍ରବକ୍ତା ସଞ୍ଜୟ ରଥ, ବିକ୍ରମ ରାଉତରାୟ, ସରୋଜ କାନ୍ତ ସାହୁ, ରଞ୍ଜନ ଚୌଧୁରୀ, ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ଦାସ, ନାରୀ ନେତ୍ରୀ ରାଜଲକ୍ଷ୍ମୀ ଦାସ, ସରପଞ୍ଚ ଶିବାନୀ ବିଜୁଳି, ସମିତି ସଭ୍ୟ କୃଷ୍ଣପଦ ମଣ୍ଡଳ, ଜୋନ୍ ସଭାପତି ତ୍ରିଲୋଚନ ରାଉତ, ପ୍ରଶାନ୍ତ ସେଠୀ, ବିଶ୍ୱଭୂଷଣ ମଲିକ, କୁମର ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share