ମୁହଁ ଖୋଲିଲେ ଶ୍ରୀମନ୍ଦିର ଚୁଲା ଭାଙ୍ଗିଥିବା ସନ୍ଦିଗ୍ଧଙ୍କ ମା’

ଖୋର୍ଦ୍ଧା ଅଫିସ,୬ା୪:

ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ର ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ ସେ କିଛି ଅସହଜ ଅନୁଭବ କରିଥିଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିବା ପୁରୀ ଏସ୍‌ପି କନଓ୍ବାର ବିଶାଳ ସିଂହ କହିଛନ୍ତି। ହେଲେ ଜଗନ ଏପରି କାମ କରିଥିବେ ବୋଲି ପରିବାର ଲୋକ ବିଶ୍ୱାସ କରିପାରୁ ନାହାନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ, ଜଗନ ଅତ୍ୟଧିକ ଧର୍ମପରାୟଣ ବ୍ୟକ୍ତି ଥିଲେ। ବିଶେଷକରି ପୁରୀ ଓ ରଣପୁର ଜଗନ୍ନାଥ ମନ୍ଦିରକୁ ବହୁ ସମୟରେ ଯାଇଥାଆନ୍ତି। ଏପରିକି ଗାଁରେ ଥିବା ମନ୍ଦିରରେ ବହୁ ସମୟ ବିତାଇ ଥାଆନ୍ତି। ମନ୍ଦିର ଭିତରେ କୌଣସି ପ୍ରକାର ଅପରିଷ୍କାରକୁ ସେ ବରଦାସ୍ତ କରନ୍ତିନାହିଁ। ତେବେ ଠାକୁରଙ୍କୁ ଏତେ ଭଲ ପାଉଥିବା ଜଗନ ରୋଷ ଘର ଚୁଲି କିଭଳି ଭାଙ୍ଗିଲା, ତାହା ଜଗନ୍ନାଥଙ୍କୁ ଜଣା ବୋଲି ଜଗନଙ୍କ ବାପା କହିଛନ୍ତି। ଯଦି ସେ କୌଣସି ଦୋଷ କରିଛି, ତାହାହେଲେ ସେହି ପ୍ରଭୁ ତାକୁ ଦଣ୍ଡ ଦେବେ ବୋଲି ଭାବବିହ୍ବଳ ହୋଇ କହିଛନ୍ତି। ସେହିପରି ତାଙ୍କ ମା’କହିଛନ୍ତି ମୋ ପୁଅ ନିର୍ଦ୍ଦୋଷ।

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାହତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।