ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ପୁଟାପାଲି କୁସଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକଅପ୍‌(ଓଡ଼ି ୧୫ ଇ ୪୨୬୩)ଗାଡ଼ି ଏକ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌(ସିଜି ୦୬ ଜିୟୁ ୪୨୪୯)କୁ ଶନିବାର ସାରେ ଧକ୍କା ଦେଇଥିଲା। ଏଥିରେ ବଲାଙ୍ଗୀର ଏଭିରାଲ ଫାଇନାନ୍ସର ଏରିଆ ମ୍ୟାନେଜର ସୁଦୀପ କୁମାର ବିଶ୍ବାଳ ଗୁରୁତର ଆହତ ହୋଇଥିଲେ । ଲୋଇସିଂହାର ବିଧାୟକ ମୁକେଶ ମହାଲିଙ୍ଗଙ୍କଠାରୁ ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପଞ୍ଚିଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଏଭିରାଲ ଫାଇନାନ୍ସ ର ଏରିଆ ମ୍ୟାନେଜର ବିଶ୍ବାଳ ବ୍ୟାଙ୍କ କାମରେ ସୋହେଲା ଯାଇ ବଲାଙ୍ଗୀର ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ବାଟ ଦେଇ ବିଧାୟକ ମହାଲିଙ୍ଗ ଯାଉଥିବାବେଳେ ଦୁର୍ଘଟଣା ତାଙ୍କ ନଜରକୁ ଆସିଥିଲା । ଏନେଇ ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ବିଧାୟକଙ୍କ ଏପରି କାମକୁ ସାଧାରଣରେ ପ୍ରଶଂସା କରାଯାଉଛି।