ପାଳିତ ମା’ଙ୍କ ପାଖରୁ ଉଦ୍ଧାର ହେଲେ ନାବାଳିକା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ୯ ବର୍ଷୀୟା ନାବାଳିକାକୁ ନେଇ ପାଳିତ ଦମ୍ପତି ଓ ଜନ୍ମିତ ମା’ବାପାଙ୍କ ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟିବାକୁ ଯାଇଛି। ୪ ଦିନର କସରତ ପରେ ଶେଷରେ ଚାଇଲ୍ଡ ଲାଇନ୍‌ ଓ ପୋଲିସର ମିଳିତ ଉଦ୍ୟମରେ ଉକ୍ତ ନାବାଳିକାଙ୍କୁ ରବିବାର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ବସ୍ତିରୁ ଉଦ୍ଧାର କରାଯାଇଛି। ପୂର୍ବାହ୍ନରେ ନାବାଳିକାଙ୍କୁ ଉଦ୍ଧାରବେଳେ ମୁଣ୍ଡାସାହି ବସ୍ତିରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ୮ ବର୍ଷ ଧରି ନାବାଳିକାଙ୍କୁ ଝିଅର ସ୍ନେହ ଦେଇ ବଢ଼ାଇଥିବା ପାଳିତା ମା’ ଟୁନି ବିଷୋୟୀ କାନ୍ଦିକାନ୍ଦି ଅଧିକାରୀଙ୍କୁ ନେହୁରା ହୋଇଥିଲେ। କୁନିଝିଅ ମଧ୍ୟ ଟୁନିଙ୍କ ପାଖରେ ରହିବେ ବୋଲି କହୁଥିଲେ। ବସ୍ତିବାସିନ୍ଦା ଏକାଠି ହେଇ ନାବାଳିକାଙ୍କୁ ନ ନେବାକୁ ପୋଲିସ ଓ ଚାଇଲ୍ଡଲାଇନକୁ ବାଧ୍ୟ କରିଥିଲେ। ଏହାକୁ ନେଇ କିଛି ସମୟ ବସ୍ତିରେ ଉତ୍ତେଜନା ଦେଖାଯାଇଥିଲା। ସେମାନେ ନାବାଳିକାଙ୍କୁ ହସ୍ତାନ୍ତର କରିବେ ନାହିଁ ବୋଲି ଅଡ଼ି ବସିଥିଲେ। ସେଠାରୁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆଣି ରହିଥିବା ଆଇନ ଆଧାରରେ ବୁଝାଇଥିଲା। କିଛି ବସ୍ତିବାସିନ୍ଦା ଟୁନିଙ୍କୁ ସହଯୋଗ ପାଇଁ ଥାନାରେ ପହଞ୍ଚତ୍ଥିଲେ। ଶେଷରେ ପୋଲିସ ଓ ଚାଇଲ୍ଡଲାଇନର ବୁଝାଶୁଝା ପରେ ନାବାଳିକାଙ୍କୁ ଦେବା ଲାଗି ପାଳିତା ମା’ ଟୁନି ରାଜି ହୋଇଥିଲେ। ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି, ଉଦ୍ଧାର ନାବାଳିକାଙ୍କୁ ଅତିରିକ୍ତ ଶିଶୁକଲ୍ୟାଣ ସମିତି ଅଧ୍ୟକ୍ଷଙ୍କ ନିକଟରେ ହାଜର କରାଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ କଳିଙ୍ଗବିହାରସ୍ଥିତ ବିଶ୍ୱଜୀବନ ସେବା ସଂଗଠନର ସେଲ୍ଟର ହୋମ୍‌ରେ ତାଙ୍କୁ ରଖାଯାଇଛି। କେଉଁ ପରିସ୍ଥିରେ ମା’ବାପା ଝିଅଙ୍କୁ ଭୁବନେଶ୍ୱରରେ ଛାଡ଼ିଥିଲେ, ଦୀର୍ଘଦିନ ପର୍ଯ୍ୟନ୍ତ କାହିଁକି ଖୋଜୁ ନ ଥିଲେ ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ। ଏଥିସହ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ, ସେଠାକାର ଚାଇଲ୍ଡଲାଇନ ଓ ସିଡବ୍ଲୁସିର ମଧ୍ୟ ସହଯୋଗ ନିଆଯିବ। ତଦନ୍ତ ପରେ ନାବାଳିକାଙ୍କୁ କାହାକୁ ହସ୍ତାନ୍ତର କରାଯିବ ଅତିରିକ୍ତ ସିଡବ୍ଲୁସି ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୪ରେ ଝିଅଙ୍କୁ ଯେତେବେଳେ ଦେଢ଼ବର୍ଷ ହୋଇଥିଲା ବାପା ସନ୍ତୋଷ ପ୍ରଧାନ ଓ ମନ୍ଦାକିନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ମନ୍ଦାକିନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ଏହାପରେ ସନ୍ତୋଷ ଝିଅଙ୍କୁ ନେଇ ଭୁବନେଶ୍ୱର ଚାଲି ଆସିଥିଲେ। ଟୁନିଙ୍କ ଘରେ ସେ ରହିଥିଲେ। ଟୁନି ଓ ତାଙ୍କ ସ୍ବାମୀ ବାବୁଲିଙ୍କ ପିଲାଛୁଆ ନ ଥିବାରୁ ସନ୍ତୋଷଙ୍କ ଝିଅଙ୍କୁ ସେମାନେ ସ୍ନେହଶ୍ରଦ୍ଧା ଦେଇ ରଖିଥିଲେ। ୨୦୧୮ରେ ସନ୍ତୋଷ ଝିଅକୁ ଛାଡ଼ି ଘରକୁ ଚାଲିଯାଇଥିଲେ। ସନ୍ତୋଷ ଓ ମନ୍ଦାକିନୀଙ୍କର ଆଉ ଦୁଇ ଝିଅ ଥିଲେ। ହେଲେ କିଛିଦିନ ତଳେ ମନ୍ଦାକିନୀ ଭୁବନେଶ୍ୱରରେ ଛାଡ଼ି ଯାଇଥିବା ବଡ଼ ଝିଅଙ୍କୁ ଆଣିବାକୁ ସ୍ବାମୀ ସନ୍ତୋଷଙ୍କୁ ବାଧ୍ୟ କରିଥିଲେ। ତେଣୁ ସେମାନେ ବାରମ୍ବାର ଭୁବନେଶ୍ୱର ଆସି ଝିଅକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଝିଅଙ୍କୁ ଦେବାକୁ ପାଳିତା ମା’ ଟୁନି ରାଜି ହେଉ ନ ଥିବାରୁ ସେମାନେ ଫେରି ଯାଉଥିଲେ। ତେଣୁ ସନ୍ତୋଷ ଓ ମନ୍ଦାକିନୀ ଚାଇଲ୍ଡ ଲାଇନକୁ ଜଣାଇଥିଲେ। ଏଥିସହ ସେମାନେ ଡିସିପିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଚାଇଲ୍ଡଲାଇନ୍‌ ଉଦ୍ଧାର ପାଇଁ ଏକାଧିକ ଥର ଯାଇଥିଲେ ମଧ୍ୟ ନାବାଳିକାଙ୍କୁ ଧରି ପାଳିତା ମା’ ଓ ବାପା କେଉଁଆଡେ ପଳାଉଥିଲେ।