ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ଖଇରା, ୧୦।୪(ଡି.ଏନ.ଏ.) – ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ବାଲେଶ୍ବର ଜିଲା ଖଇରା ବ୍ଲକରେ ଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ନିର୍ମାଣାଧିନ ରାସ୍ତା ଓ ବିଜୁ ସେତୁ ଯଥାଶୀଘ୍ର ଶେଷ ହେବା ଏବଂ ଆରମ୍ଭ ହୋଇ ନ ଥିବା ପ୍ରକଳ୍ପଗୁଡ଼ିକ କିଭଳି ଶୀଘ୍ର ଶେଷ ହେବ ସେଥିପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପ କାର୍ଯ୍ୟଗୁଡିକ ତ୍ୱରାନ୍ନିତ କରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଥମେ କୁପାରୀ-କଳମଚୁଆ ରାସ୍ତା ଏବଂ ପରେ ବାରାପୁର-ଗର୍ସଙ୍ଗ, ଡୁଙ୍ଗୁରାରୁ ଗୋଳିହା ଦେଇ ତୋରାଣିପଦା, ଖଇରା-ଫତେପୁର, ଚକମହାସମପୁର ବିଜୁ ସେତୁ, ଖଇରା-ବଣପାରିଆ, ନନ୍ଦୁର-ସୁଙ୍ଗୁଡା ଏବଂ ବକ୍ରେଶ୍ବର ବିଜୁସେତୁ କାର୍ଯ୍ୟ ପରିଦର୍ଶନ କରିଥିଲେ। ଏହାବ୍ୟତୀତ ଅର୍ଜୁନପୁରଠାରେ ଚାଲିଥିବା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶିଶିର ମିଶ୍ର, ନିର୍ବାହୀ ଯନ୍ତ୍ରୀ ରମେଶ ଜାଲି ଓ କନିଷ୍ଠ ଯନ୍ତ୍ରୀ ସପନ କୁମାର ଜେନା ତଥା ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।