ମିଲର ଆସୁନାହାନ୍ତି, ମଣ୍ଡିରେ ଧାନ ଗଦା ହୋଇଛି

ବିଞ୍ଝାରପୁର,୩୦।୧(ଡି.ଏନ.ଏ.):ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ଟୋକନର ଅବଧି ସରିବାକୁ ବସିଥିବା ବେଳେ ମିଲର ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ୨୫ ଦିନ ହେଲା ମଣ୍ଡିରେ ଧାନ ଜମାକାରୀ ଶୀତ କାକରରେ ଗାଡି ଅପେକ୍ଷାରେ ଚାଷୀ ପଡି ରହଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବିଞ୍ଝାରପୁର ଶାଖା ଅଧୀନ ଗୁହଳି ପଞ୍ଚାୟତରେ ଗୋବିନ୍ଦପୁର ଗଁାରେ। ଜୟ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଗୁହଳି, କରୁଣା ଓ ଗୋବିନ୍ଦପୁର ରାଜସ୍ବ ଗ୍ରାମର ଚାଷୀ ମଧୁ ପରିଡା, କରୁଣାକର ଦାଶ, ଶ୍ୟାମସୁନ୍ଦର ମିଶ୍ର, ମୋହନ ଚରଣ ଭୂୟଁା, ଜନ୍ମଜୟ ମହଲ, ମୁରଲୀଧର ଧଳ, ସୁଧାଂଶୁ ଶେଖର ପଣ୍ଡା, ପୂର୍ଣଚନ୍ଦ୍ର ଶତପଥୀଙ୍କ ସମେତ ଶତାଧିକ ଚାଷୀ ମଣ୍ଡିରେ ଧାନ ଦେବାକୁ ନାମ ପଞ୍ଜୀକରଣ କରିଥିଲେ। ଚଳିତ ମାସ ୪ ତାରିଖରେ ମଣ୍ଡିରେ ଧାନ ଦେବାକୁ ଚାଷୀମାନଙ୍କୁ ଟୋକନ ମିଳିଥିଲା। ଟୋକନ ଅନୁଯାୟୀ, ଚାଷୀ ଧାନ ଦେବାକୁ ଗତ ୪ ତାରିଖରୁ ଅପେକ୍ଷା କରିଛନ୍ତି। ୨୫ ଦିନ ହେଲା ଚାଷୀ ଧନକୁ ନେଇ ଗୋବିନ୍ଦପୁରସ୍ଥିତ ଏ.ଜି. ଆଇ. ହାଇସ୍କୁଲ ପଡ଼ିଆରେ ଜମା କାରଛନ୍ତି। ଗାଡି ଆଜି ଆସିବ କାଲି ଆସିବ କହି ଚାଷୀଙ୍କୁ ଭଣ୍ଡା ଯାଉଛି। ଚାଷୀ ୨୫ ଦିନ ହେଲା ଶୀତ କାକରରେ ଧାନକୁ ଜଗି ପଡିରହିଛନ୍ତି। ଅନ୍ୟପକ୍ଷେ ଟୋକନର ଅବଧି ଆଉ ମାତ୍ର ୪ ଦିନ ଥିବାବେଳେ ଚାଷୀ କିଭଳି ଧାନ ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ଶୀତ କାକରରେ ଖୋଲା ଆକାଶରେ ଚାଷୀ ଧାନକୁ ଜଗି ରୋଗର ଶିକାର ହୋଇଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ସଲାଉଦ୍ଦିନ ଖାନଙ୍କୁ ପଚାରିବାରୁ ଚାଷୀଙ୍କ ସମସ୍ୟା ନେଇ ଜିଲାପାଳଙ୍କ ସହ ବୈଠକ ହୋଇଛି। ତୁରନ୍ତ ଚାଷୀଙ୍କଠାରୁ ଧାନ ନେବା ପାଇଁ ଗାଡି ପଠାଇବାକୁ ମିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।