ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ ଧରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶୁକ୍ରବାର ଅପରାହ୍ନ ୫ ଟାରେ ଗୁଣ୍ଡିଚା ମନ୍ଦିରରୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ନିକଟକୁ ଅଣାଯାଇ ରଥ ଚାରିପଟେ ତିନିଥର ପରିକ୍ରମା କରି ରଥାରୁଢ଼ କରାଯାଇଥିଲା। ରାଜ ପରିବାର ସଦସ୍ୟ ଆଦିତ୍ୟ ଦେଓ ବଳଭଦ୍ରଙ୍କ ପାଟ ଦଉଡ଼ି ଧରି ପହଣ୍ଡି ସେବା ସମ୍ପାଦନ କରିଥିବା ବେଳେ ରାଜ ପରିବାର ସଦସ୍ୟ ହୃଷୀକେଶ ଦେଓ ଦେବୀ ସୁଭଦ୍ରା ଏବଂ ସୁଧାଂଶୁ ଦେଓ ଜଗନ୍ନାଥଙ୍କ ପାଟ ଦଉଡ଼ି ଧରି ପହଣ୍ଡି ବିଜେ ସେବା ସମ୍ପାଦନ କରିଥିଲେ। ପରମ୍ପରା ଅନୁଯାୟୀ ରାଜ ପରିବାର ସଦସ୍ୟ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଳତି ଦର୍ଶନ କରିବା ପରେ ରଥରୁ ଚାରମାଳ ଫିଟା ଯାଇଥିଲା। ଅପରାହ୍ନ ୫ ଟା ୪୦ ମିନିଟ୍ ରେ ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ୪୫ ମିନିଟ୍ ରେ ରଥ ଜଗନ୍ନାଥ ମନ୍ଦିର ସିଂହଦ୍ଵାରରେ ପହଞ୍ଚିଥିଲା। ଜିଲା ପ୍ରଶାସନ ଏବଂ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ମହାପାତ୍ର, ସନ୍ତୋଷ କୁମାର ରଥ, ବିରଞ୍ଚି ନାରାୟଣ ମୁଣ୍ଡ, ସ୍ନେହଲତା ଷଡ଼ଙ୍ଗୀ ଓ ମିନତୀ କୁମାରୀ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ। ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ବାଚନିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ଉପଜିଲାପାଳ ପ୍ରଭାତ ପରିଡ଼ା, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଜିକ ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିନେଶ କହଁର, ଅତିରିକ୍ତ ଏସପି, ଭବାନୀପାଟଣା ଟାଉନ୍ ଥାନା ଅଧିକାରୀ ସମେତ ଆରକ୍ଷୀ ବାହିନୀ ଶୃଙ୍ଖଳିତ ରଥ ଯାତ୍ରାକୁ ତଦାରଖ କରିଥିଲେ। ଚଳିତ ବର୍ଷ ଜନ ସାଧାରଣଙ୍କ ଆଗ୍ରହ ଯୋଗୁଁ ଜିଲା ପ୍ରଶାସନର ନିଷ୍ପତ୍ତି ଓ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଅନୁମୋଦନ କ୍ରମେ ବଡ ଏକାଦଶୀ ଦିନ ଶ୍ରୀ ଜୀଉ ମାନେ ରଥ ଉପରେ ରହିବେ ଏବଂ ରଥରେ ସୁନାବେଶ ଅୟୋଜନ କରାଯାଉଛି। ରବିବାର ସକାଳ ଆଠଟାରେ ରଥ ଉପରେ ଅଧର ପଣା ଭୋଗ ନୀତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଗନ୍ନାଥ ମନ୍ଦିର ପୂଜକ ଅଜୟ ମହାପାତ୍ର ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily