ପାରଦ ୪୧ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ୭ ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ପାର୍‌ କରିଥିଲା। ସର୍ବାଧିକ ୪୧.୭ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହା ତଳକୁ ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣା ୪୧.୨, ନୟାଗଡ଼ ୪୧, ବଲାଙ୍ଗୀର ୪୧, ତାଳଚେର ୪୧, ଅନୁଗୋଳ ୪୦.୭ ଓ ଝାରସୁଗୁଡ଼ା ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ରାଜ୍ୟରେ ପ୍ରବଳ ଖରା ସହିତ ଗ୍ରୀଷ୍ମପ୍ରବାହ ରହିବ। ୩ରୁ ୬ ତାରିଖ ପର୍ଯ୍ୟନ୍ତ ୪ଦିନ ରାଜ୍ୟରେ ଉଷ୍ଣ-ଆର୍ଦ୍ର ପାଣିପାଗ, ଗ୍ରୀଷ୍ମପ୍ରବାହ ତଥା ଉଷ୍ଣ ରାତ୍ରି ପରିସ୍ଥିତି ହେବାର ସମ୍ଭାବନା ରହିଛି। ସେଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୪ରୁ ୬ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରକୁ ଗ୍ରୀଷ୍ମ ପ୍ରବାହ ପାଇଁ ଏବଂ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, କନ୍ଧମାଳ ଓ ନୟାଗଡ଼ ଜିଲାକୁ ଉଷ୍ମ ରାତ୍ରି ଲାଗି ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ୭ରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଥିବାବେଳେ ୮ରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲା ଏବଂ ରାଜ୍ୟର ଆଉ କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।