ଧାନ ସଂଗ୍ରହ କମିଟି ବୈଠକରେ ତାତି: ଅଧାରୁ ଉଠି ପଳାଇଲେ ବିଧାୟକ

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ରବିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ (ଡିଏଲପିସି)କୁ ବର୍ଜନ କରି ଉଠିଯାଇଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଏବଂ ଜିଲାପରିଷଦ ସଭାପତି କୁମୁଦିନି ନାଏକ। ବୈଠକରେ ଚାଷୀଙ୍କ ଅନୁପସ୍ଥିତି, ଆଲୋଚନାର ବିବରଣୀ ନ ପଠାଇବା ଏବଂ ମଣ୍ଡି ପରିଚାଳନାରେ ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସଏଚଜି)ଙ୍କୁ ବାଦ୍‌ ଦେବା ଭଳି ପ୍ରସଙ୍ଗକୁ ନେଇ ଉଭୟ ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କକ୍ଷତ୍ୟାଗ କରିଛନ୍ତି।
ବୈଠକ ବର୍ଜନ କରିବା ପରେ ବିଧାୟକ ସୁଦର୍ଶନ ହରିପାଲ କହିଛନ୍ତି ଯେ ପୂର୍ବ ବୈଠକର ବିବରଣୀ (ମିନିଟ୍ସ) ପଠାଇବା ପାଇଁ ସେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ତାହା କରାଯାଇନାହିଁ। ଚାଷୀମାନଙ୍କ ମତାମତକୁ ଗୁରୁତ୍ୱ ନ ଦେଇ କେବଳ ଭୁବନେଶ୍ୱରରେ ପ୍ରସ୍ତୁତ ପଲିସିକୁ ଏଠାରେ ପଢ଼ି ଶୁଣାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ବିନା ଚାଷୀରେ ଡିଏଲପିସି ବୈଠକ କରିବା ଅର୍ଥହୀନ ଏବଂ ଏହାକୁ ବନ୍ଦ କରାଯାଇ ଚାଷୀମାନଙ୍କ ସହ ଆଲୋଚନା ପରେ ପୁଣି ବୈଠକ ଡକାଯିବା ଉଚିତ ବୋଲି ବିଧାୟକ ଦାବି କରିଛନ୍ତି। ଏଥିସହ ଏହି ପ୍ରସଙ୍ଗକୁ ଆଗାମୀ ବିଧାନସଭାରେ ଉଠାଇବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ଜିଲାପରିଷଦ ସଭାପତି କୁମୁଦିନି ନାଏକ କହିଛନ୍ତି ଯେ, ବୈଠକରେ ଚାଷୀମାନେ ଉପସ୍ଥିତ ନାହାନ୍ତି, ଯାହା ଦୁଃଖଦାୟକ। ମହିଳାଙ୍କୁ ସଶକ୍ତ କରିବା ଓ ଲକ୍ଷପତି ଦିଦି ଗଢ଼ିବାର ଡଣ୍ଡିମ ପିଟୁଥିବା ସରକାର ମଣ୍ଡି ପରିଚାଳନାରୁ ଏସ୍‌ଏଚ୍‌ଜିମାନଙ୍କୁ କାହିଁକି ବାଦ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଭିତ୍ତିଭୂମି ନ ଥିବା ଦର୍ଶାଇ ଏସ୍‌ଏଚ୍‌ଜିମାନଙ୍କୁ ବାଦ ଦିଆଯାଇଥିବା ବେଳେ ସେମାନଙ୍କ ପାଖରେ ଭିତ୍ତିଭୂମିର ପ୍ରମାଣ ଓ ରିପୋର୍ଟ ରହିଛି ବୋଲି କୁମୁଦିନି ନାଏକ ଦାବି କରିଛନ୍ତି। ସେ କହିଛନ୍ତି, ଯଦି କୌଣସି ସ୍ଥାନରେ ଭିତ୍ତିଭୂମି ଅଭାବ ରହିଛି, ତେବେ ସରକାର ସେଠାରେ ଘର ନିର୍ମାଣ କରି ଧାନ କିଣିବାର ବ୍ୟବସ୍ଥା କରିବା କଥା।

Dharitri – Odisha’s No.1 Odia Daily

Share