ଗଣତନ୍ତ୍ର-ଗଣମତ ଗତିପଥରେ ଗଣମାଧ୍ୟମ

ଡ. ଗୌରାଙ୍ଗ ଚରଣ ରାଉତ

ଭାରତର ଜନସଂଖ୍ୟା ଏବଂ ମତଦାତାଙ୍କ ସଂଖ୍ୟା ଆଧାରରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣମାନଙ୍କର, ଗଣମାନଙ୍କ ପାଇଁ ଏବଂ ଗଣ ଦ୍ୱାରା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଢାଞ୍ଚା ଯେଉଁ ଚାରିଟି ସ୍ତମ୍ଭକୁ ଭିତ୍ତିକରି ସୁବିନ୍ୟସ୍ତ ତନ୍ମଧ୍ୟରୁ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଅନ୍ୟତମ। ୧୯୫୦ ଜାନୁୟାରୀ ୨୬ଠାରୁ ଲୋକାର୍ପିତ ହୋଇଥିବା ସମ୍ବିଧାନରେ ଭାରତ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଅଧିନିୟମିତ ହେବା ଦ୍ୱାରା ଗଣତନ୍ତ୍ର ଶବ୍ଦଟି ସାମାଜିକ ଜୀବନରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଅଧିକ ବ୍ୟବହୃତ ଶବ୍ଦ ପାଲଟି ଯାଇଛି। ରାଜା-ରାଜୁଡା ଏବଂ ବିଦେଶୀ କୁଶାସନରୁ ମୁକ୍ତ ସ୍ବାଧୀନ ଭାରତର ଗଣତନ୍ତ୍ର ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମ ପରି ଚାରିଟି ସ୍ତମ୍ଭକୁ ନେଇ ଗତିଶୀଳ।
ଗଣତନ୍ତ୍ରର ସୁପରିଚାଳନା ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରରେ ସଂଘଟିତ ହେଉଥିବା ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କୁ ସମସ୍ତ ବିଷୟରେ ତଥ୍ୟ ପ୍ରଦାନ କରିବା ତଥା ଗଣ ଏବଂ ତନ୍ତ୍ର ମଧ୍ୟରେ ସଂଯୋଗର ସେତୁ ପରି କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ। ଏ ଦୃଷ୍ଟିରୁ ଗଣମାଧ୍ୟମର ଭୂମିକା ବିଶେଷ ମହତ୍ତ୍ୱପୂର୍ଣ୍ଣ। ସମ୍ବିଧାନର ଗଣ୍ଡି ମଧ୍ୟରେ, ଜାତି-ବର୍ଣ୍ଣ-ଧର୍ମ-ଲିଙ୍ଗ-ସମ୍ପ୍ରଦାୟ-ଆଞ୍ଚଳିକତା-ଭାଷା-ଭୂଖଣ୍ଡ ନିର୍ବିଶେଷରେ ଜନଗଣ ଆଶା ଆକାଂକ୍ଷା ପରିପୂରଣ ଦିଗରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ସଫଳ ରୂପାୟନ ଏବଂ ଗଣମତ ସପକ୍ଷରେ ଜାଗ୍ରତ ପ୍ରହରୀ ସଦୃଶ ଗଣମାଧ୍ୟମର କାର୍ଯ୍ୟଧାରା ଅବଧାରିତ। ସମ୍ବିଧାନର ଧାରା ୧୯(୧)(କ) ଦ୍ୱାରା ପ୍ରଦତ୍ତ ଅଧିକାର ମୁକ୍ତଚିନ୍ତନ, ମୁକ୍ତଲିଖନ, ବିଚାରବିମର୍ଷ, ବିଶ୍ଳେଷଣ, ସମାଲୋଚନା ଏବଂ ଭିନ୍ନମତ ପୋଷଣ ସହିତ ଧାରା ୧୯ (୨)ରେ ଦେଶର ଏକତା, ଅଖଣ୍ଡତା, ସଂହତିକୁ ଅକ୍ଷୁଣ୍ଣ ରଖିବାର ନୈତିକ ଅଧିକାର ମଧ୍ୟରେ ବ୍ୟକ୍ତିବିଶେଷ, ଅନୁଷ୍ଠାନ ସମୂହଙ୍କ ପରି ଗଣମାଧ୍ୟମର ସୀମା-ସରହଦ ନିର୍ଦ୍ଧାରିତ।
ଦେଶର ସାମଗ୍ରିକ ବିକାଶରେ ଗଣତନ୍ତ୍ର ଏବଂ ଗଣମାଧ୍ୟମ ଦୁଇଟି ପ୍ରମୁଖ ଅଙ୍ଗ। ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନ ଥିବା ଯାନ ସଦୃଶ। ସପ୍ତଦଶ ଶତାବ୍ଦୀର ଶେଷାର୍ଦ୍ଧରୁ ଯାତ୍ରା ଆରମ୍ଭ କରିଥିବା ଗଣମାଧ୍ୟମ ପରବର୍ତ୍ତୀ ସମୟରେ ଆକାଶବାଣୀ ଏବଂ ୧୭୮୦ ମସିହାରେ ବଙ୍ଗଳା ଗେଜେଟ୍‌ ନାମକ ମୁଦ୍ରିତ ଖବରକାଗଜ ମାଧ୍ୟମରେ ଆତ୍ମ ପ୍ରକାଶ କରିଥିଲା। ଖବରକାଗଜ ପ୍ରକାଶନରେ ବିଶ୍ୱରେ ଆମ ଦେଶ ଦ୍ୱିତୀୟ ସର୍ବ ବୃହତ୍‌ ହୋଇଥିବା ବେଳେ ବ୍ରଡ୍‌ ବ୍ୟାଣ୍ଡ ଇଣ୍ଟରନେଟ୍‌ ବ୍ୟବହାରରେ ୧୮ତମ ଏବଂ ଦୂରଦର୍ଶନ କେନ୍ଦ୍ର ସ୍ଥାପନରେ ୮ମ ସ୍ଥାନରେ ରହିଥିବା ଗଣ ଯୋଗାଯୋଗ ବ୍ୟବସ୍ଥାର ଅଗ୍ରଗତିକୁ ସୂଚିତ କରେ। ସ୍ବାଧୀନ ଭାରତରେ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ ଏବଂ ୧୯୬୬ ମସିହା ଆଜିର ଦିନ ନଭେମ୍ବର ୧୬ରେ ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପ୍ରତିଷ୍ଠା ହୋଇଥିଲା। ଭାରତ ସରକାରଙ୍କ ପ୍ରସାର ଭାରତୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପରି ପ୍ରାଦେଶିକ ଓ ଜାତୀୟ ସ୍ତରରେ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମଗୁଡିକର ଅନେକ ସଂଗଠନ ସୃଷ୍ଟି ହୋଇ ଦେଶ-ବିଦେଶରେ ଘଟୁଥିବା ବିଭିନ୍ନ ଘଟଣା ସହ ଜନସାଧାରଣଙ୍କୁ ସାମଗ୍ରିକ ତଥ୍ୟ ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି।
ଦେଶର ସ୍ବାଧୀନତା, ସମ୍ବିଧାନ ପ୍ରଣୟନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନ ପରିଚାଳନାକୁ ଇତି ମଧ୍ୟରେ ସାତ ଦଶନ୍ଧିରୁ ଅଧିକ ସମୟ ଅତିକ୍ରମ କରି ଗଲାଣି। ଏହାର ଜନସଂଖ୍ୟା ୪୦ କୋଟିରୁ ଏବେ ୧୩୦ କୋଟିରେ ପହଞ୍ଚତ୍ଛି। ଏକବିଂଶ ଶତାବ୍ଦୀରେ ପରିମାଣାତ୍ମକତାରେ ବୃଦ୍ଧି ଘଟିଥିଲେ ସୁଦ୍ଧା ଗୁଣାତ୍ମକ ଦୃଷ୍ଟିକୋଣରୁ ଗଣତନ୍ତ୍ର ଏବଂ ଗଣମତ ଗତି ପଥରେ ଗଣମାଧ୍ୟମ କେତେ ଦୂର ଅଗ୍ରଗତି କରିଛି ତାହାର ମୂଲ୍ୟାୟନ ଅନୁଭୂତ ହେଉଛି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମୋ ସ୍ବପ୍ନର ଭାରତବର୍ଷ ଏବଂ ପରିକଳ୍ପିତ ରାମରାଜ୍ୟ ଆଜି କେଉଁ ସ୍ଥିତିରେ ପହଞ୍ଚତ୍ଛି ସାଧାରଣ ଭାବେ ତାହାର ସମୀକ୍ଷା କଲେ ବସ୍ତୁସ୍ଥିତି ସ୍ପଷ୍ଟ ହୋଇପାରିବ। ସର୍ବନିମ୍ନ ମୌଳିକ ଆବଶ୍ୟକତାର ପରିପୂରଣ ସହ ଜନସାଧାରଣଙ୍କ ସାମାଜିକ, ଆର୍ଥିକ, ରାଜନୈତିକ, ଶୈକ୍ଷିକ, ସାଂସ୍କୃତିକ ଏବଂ ପାରିବେଶିକ ଆଙ୍ଗିକ ଓ ଆତ୍ମିକ ଉତ୍ତରଣ ଦିଗରେ ଅନ୍ୟ ତିନି ସ୍ତମ୍ଭ ମଧ୍ୟରେ ସମନ୍ବୟ ରକ୍ଷାପୂର୍ବକ ଚତୁର୍ଥ ସ୍ତମ୍ଭର ନିର୍ଭୀକ, ନିରପେକ୍ଷ, ନିଃସ୍ବାର୍ଥପର ଏବଂ ଅଙ୍ଗୀକାରବଦ୍ଧ ଭୂମିକା ବିଷୟରେ ବିଶ୍ଳେଷଣ କରାଯିବାର ଔଚିତ୍ୟ ରହିଛି। ଗଣତନ୍ତ୍ର ନାମରେ କ୍ରମାଗତ ବହୁ ସଂଖ୍ୟକ ରାଜନୈତିକ ଦଳର ଅଭ୍ୟୁଦୟ ସାଙ୍ଗକୁ କ୍ଷମତାସୀନ ହେବାକୁ ନିର୍ବାଚନରେ ଅଂଶଗ୍ରହଣ ଦ୍ୱାରା ବିଭାଜିତ ଗଣମତ ଦୃଶ୍ୟପଟରେ ଏକ ସ୍ବଚ୍ଛ-ସମୃଦ୍ଧ-ଦୁର୍ନୀତିମୁକ୍ତ ଏବଂ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ସାକାର ହେଉଛି କି ନାହିଁ ତାହା ବିଚାର ଯୋଗ୍ୟ।
ଗଣମତକୁ ପ୍ରଭାବିତ କରିବାରେ ଗଣମାଧ୍ୟମର ବିଶେଷ ଭୂମିକା ରହି ଆସିଥିଲା ବେଳେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଶିଳ୍ପ ସାମ୍ରାଜ୍ୟ, ପୁଞ୍ଜିପତି, ରାଜନୈତିକ ବ୍ୟକ୍ତିବିଶେଷ ଏବଂ ଉଚ୍ଚବର୍ଗର କ୍ଷମତାଶାଳୀଙ୍କ ନିୟନ୍ତ୍ରଣରେ ରହିଥିବା ଅଧିକତର ଗଣମାଧ୍ୟମ ସଂସ୍ଥା ଗଣତନ୍ତ୍ର ଓ ଗଣମତ ପ୍ରତି କେତେ ସମର୍ପିତ ତଥା ସମ୍ବେଦନଶୀଳ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାବତୀୟ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ସୁଦ୍ଧା ଗଣମାଧ୍ୟମ ପ୍ରତିନିଧିମାନଙ୍କର ଜୀବନ, ଜୀବିକା, ନିରାପତ୍ତା ଆଦି ଯେ ସୁନିଶ୍ଚିତ ନୁହେଁ ତାହାର ଅବତାରଣା ଅନାବଶ୍ୟକ।
ଅସଲରେ ତନ୍ତ୍ରରେ ଗଣ ଗୁରୁତ୍ୱ ନ ଥିଲେ ଗଣତନ୍ତ୍ର ଯେପରି କେବଳ ଏକ ଶ୍ରୁତି ମଧୁର ଶବ୍ଦଟିଏ ମାତ୍ର ହୋଇ ରହିଥିବ ସେପରି ଗଣମାଧ୍ୟମ ନିଜର ମର୍ଯ୍ୟାଦା ହରାଇଲେ ଅନ୍ୟ ତିନି ସ୍ତମ୍ଭର ସ୍ବେଚ୍ଛାଚାରିତା ସାମାଜିକ ସନ୍ତୁଳନ ରକ୍ଷା ପ୍ରତି ବିପଦ ସୃଷ୍ଟି କରି ଚାଲିଥିବ ଏଥିରେ ସନ୍ଦେହ ନାହିଁ।
ମୋ-୮୨୭୦୭୭୬୪୫୫


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri