ସଙ୍କଟରେ ଗଣମାଧ୍ୟମ

ରବିନାରାୟଣ ସାମଲ

ଦେଶର ଗଣମାଧ୍ୟମ ବର୍ତ୍ତମାନ ଦୁଇଟି ଶିବିରରେ ବିଭକ୍ତ ହେବା ଲକ୍ଷ୍ୟ କରାଯାଉଛି। ଗୋଟିଏ ହେଉଛି ସରକାରୀ ଶିବିର, ଅନ୍ୟଟି ବିରୋଧୀ ଶିବିର। ସରକାରୀ ଶିବିରର ଗଣମାଧ୍ୟମଗୁଡ଼ିକ ସରକାରଙ୍କ ସ୍ତାବକ ପାଲଟି ଥିବା ସ୍ଥଳେ ବିରୋଧୀ ଶିବିରର ଗଣମାଧ୍ୟମଗୁଡ଼ିକ ସରକାରଙ୍କ ଦୋଷ ଦୁର୍ବଳତା ଲୋକଲୋଚନକୁ ଆଣୁଛନ୍ତି। ସରକାରୀ ଶିବିରର ଗଣମାଧ୍ୟମଗୁଡ଼ିକ ସରକାରଙ୍କ ଗେହ୍ଲା ପୁଅ ହୋଇଥିବା ବେଳେ ବିରୋଧୀ ଗଣମାଧ୍ୟମଗୁଡ଼ିକ ସାବତ ପୁଅ ସ୍ଥିତିରେ ରହିଛନ୍ତି। ଏଗୁଡ଼ିକ ଶାସକ ଗୋଷ୍ଠୀର କୋପ ଦୃଷ୍ଟିର ଶିକାର ହେଉଥିବା ଲକ୍ଷ୍ୟ କରାଯାଉଛି।
ଉତ୍ତରପ୍ରଦେଶର ଗାଜିଆବାଦରେ ୪ ଜଣ ବ୍ୟକ୍ତି ଅବଦୁଲ ସମାଦଙ୍କୁ ମାଡ଼ମାରି ତାଙ୍କ ଦାଢ଼ି କାଟିଦେବା ସହ ‘ଜୟ ଶ୍ରୀରାମ’ କହିବାକୁ ତାଙ୍କୁ ବାଧ୍ୟ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ସମେତ ୩ ଜଣ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ବିବରଣୀ ସୋସିଆଲ ମିଡିଆରେ ପ୍ରସାରଣ ଓ ଶେୟାର ଅଭିଯୋଗରେ ୮ଜଣ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ କରି ସାମାଜିକ ଗଣମାଧ୍ୟମରେ ଏକ ଟୁଲ୍‌କିଟ୍‌ ଉପସ୍ଥାପନ କରିଥିଲେ। ‘ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର୍‌ ଇନ୍‌ ଇଣ୍ଡିଆ’ର ପ୍ରତିଷ୍ଠାତା ବେଙ୍ଗାଲୁରୁର ଦିଶା ରବି ଏହାକୁ ଶେୟାର କରିବାରୁ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରି ଦେଶଦ୍ରୋହ ମାମଲାରେ ଜେଲକୁ ପଠାଇ ଦେଲା। ସେତେବେଳେ ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।
ଖାତନାମା ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଗୁହା ପ୍ରଧାନମନ୍ତ୍ରୀଙ୍କ ଭୋଟ ପ୍ରଚାର ଶୈଳୀକୁ ୟୁଟ୍ୟୁବ୍‌ରେ ସମାଲୋଚନା କରିଥିଲେ। ତାଙ୍କ ନାଆଁରେ ମଧ୍ୟ ଦେଶଦ୍ରୋହ ମାମଲା ରୁଜୁ ହେଲା। ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରି ମାମଲାଟିକୁ ଖାରଜ କରିଦେଲେ। ଆନ୍ଧ୍ରପ୍ରଦେଶର ଦୁଇଟି ଟିଭି ଚ୍ୟାନେଲ୍‌ ୱାଇଏସ୍‌ଆର୍‌ କଂଗ୍ରେସର ଜଣେ ସାଂସଦଙ୍କ ବିବୃତିକୁ ପ୍ରସାରଣ କରିବାରୁ ସେଗୁଡ଼ିକ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହା ଗଣମାଧ୍ୟମ ସ୍ବାଧୀନତା ଉପରେ ଆକ୍ରମଣ ବୋଲି ଟିପ୍ପଣି ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଲେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର କେତେଜଣ ବିଧାୟକ ଲାଞ୍ଚ ନେବା ସମୟରେ ଷ୍ଟିଙ୍ଗ୍‌ ଅପରେସନ ହୋଇଥିଲା। ଏହି ଷ୍ଟିଙ୍ଗ୍‌ ଅପରେସନ୍‌ କରିଥିବା ସାମ୍ବାଦିକଙ୍କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଫଳରେ ସେ ମୁକ୍ତ ହୋଇଥିଲେ।
କୋଭିଡ୍‌ ପରିଚାଳନାରେ କେନ୍ଦ୍ର ସରକାର ଅସଫଳ ହୋଇଛନ୍ତି। ଏକଥା ଯେ କେହି ସ୍ବୀକାର କରିବେ। କିନ୍ତୁ ସୋସିଆଲ ମିଡିଆରେ ତତ୍‌ ସମ୍ପର୍କରେ କିଛି ତଥ୍ୟ ବା ମତାମତ ପ୍ରକାଶ ପାଇଲେ କେନ୍ଦ୍ର ସରକାର ପ୍ରତିକ୍ରିୟାଶୀଳ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ପୋଷ୍ଟିଂ କର୍ତ୍ତାଙ୍କ ବିରୋଧରେ ମାମଲା ଦାଏର କରିବାକୁ ଗତ ଏପ୍ରିଲ ୨୯ରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ। କିନ୍ତୁ ଏହାର ଠିକ୍‌ ପରଦିନ ଏଥିରେ ହସ୍ତକ୍ଷେପ କରି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବାକ୍‌ ସ୍ବାଧୀନତାର ପରିପନ୍ଥୀ ବୋଲି କହିଲେ ଏବଂ ଏଥିପାଇଁ କାହାକୁ ଗିରଫ କଲେ ତାହାକୁ ଅଦାଲତ ଅବମାନନା ରୂପେ ଗ୍ରହଣ କରାଯିବ ବୋଲି ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ସତର୍କବାଣୀ ଶୁଣାଇ ଥିଲେ। କୋଭିଡ୍‌-୧୯ ସମ୍ପର୍କରେ ରିପୋର୍ଟିଂ କରି ଗତ ବର୍ଷ ୨୫ ମାର୍ଚ୍ଚ-୩୧ ମଇ ମଧ୍ୟରେ ୫୫ ଜଣ ସାମ୍ବାଦିକ ହିଂସା, ଧମକ, ନିର୍ଯାତନା, ଗିରଫ କିମ୍ବା କୈଫିୟତ୍‌ ତଲବର ଶିକାର ହୋଇଛନ୍ତି। ଭାଜପା ଶାସିତ ରାଜ୍ୟରେ ଗିରଫଦାରି ଅଧିକ ହେବା ସହିତ ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା ମଧ୍ୟ ରୁଜୁ ହୋଇଛି।
ଉଲ୍ଳେଖଯୋଗ୍ୟ ଯେ, ନରେନ୍ଦ୍ର ମୋଦିଙ୍କ ୭ ବର୍ଷର ଶାସନକାଳ (୨୦୧୪-୨୦୨୦) ମଧ୍ୟରେ ୨୦୦ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି ଏବଂ ୪୦ ଜଣଙ୍କୁ ହତ୍ୟା କରାଯାଇଛି। ଦୁର୍ଭାଗ୍ୟର କଥା ଯେ ଏହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଫ୍ରିଡମ୍‌ ହାଉସ୍‌ ନାମକ ଏକ ସଂସ୍ଥା ଏହି ତଥ୍ୟ ପ୍ରକାଶ କରିଛି। କେବଳ ସାମ୍ବାଦିକ ନୁହନ୍ତି, ସରକାରଙ୍କୁ ସମାଲୋଚନା କରିଥିବା ୪୦୫ ଜଣ ଲେଖକ ଓ ବୁଦ୍ଧିଜୀବୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ବି ରୁଜୁ ହୋଇଛି। ବିଚାରାଧୀନ ଅବସ୍ଥାରେ ଜେଲରେ ଥିବା ଲେଖକ ତଥା ସାମାଜିକ କର୍ମୀ ଫାଦର୍‌ ଷ୍ଟାନ୍‌ ସ୍ବାମୀଙ୍କର ଦୁଃଖଦ ଦେହାନ୍ତ ଘଟିଛି। ବିଶ୍ୱରେ ସାମ୍ବାଦିକଙ୍କ ପାଇଁ ବିପଜ୍ଜନକ ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ୧୮୦ଟି ଦେଶ ମଧ୍ୟରେ ଏହାର ସ୍ଥାନ ୧୪୨ ବୋଲି ରିପୋର୍ଟସ୍‌ ୱିଦାଉଟ୍‌ ବର୍ଡରସ୍‌ ତା’ର ସମୀକ୍ଷାରେ ପ୍ରକାଶ କରିଛି।
ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହି ସ୍ତମ୍ଭ ଉପରେ ଆକ୍ରମଣ ହେଲେ ଗଣତନ୍ତ୍ର ନିଶ୍ଚୟ ଦୁର୍ବଳ ହୋଇପଡ଼ିବ। ସରକାରଙ୍କ ନୂଆ ସୂଚନା ପ୍ରଯୁକ୍ତି ଆଇନ୍‌-୨୦୨୦ରେ ସୋସିଆଲ ମିଡିଆ, ଓଭର ଦି ଟପ୍‌, ଡିଜିଟାଲ ମିଡିଆ ୱେବ୍‌ସାଇଟ୍‌ ଉପରେ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଗଣମାଧ୍ୟମର ସ୍ବାଧୀନତାକୁ କ୍ଷୁଣ୍ଣ କରୁଛି। ଏହା ମଧ୍ୟ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛି ବୋଲି ଜାତିସଂଘ ମନ୍ତବ୍ୟ ଦେଇ ଏହାକୁ ପ୍ରତ୍ୟାହାର କରି ନେବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛି। କିନ୍ତୁ ସରକାରଙ୍କର ଏଥି ପ୍ରତି ଭ୍ରୂକ୍ଷେପ ନାହିଁ। ସରକାର ବ୍ରିଟିଶ୍‌ ଅମଳର ଦେଶଦ୍ରୋହ ଦଫାକୁ କଥା କଥାକେ ଲାଗୁ କରିଦେଉଛନ୍ତି। ସରକାରୀ ଶିବିରରେ ଥିବା ମିଡିଆଗୁଡ଼ିକ ବର୍ତ୍ତମାନ ନୀରବ ଦର୍ଶକ ସାଜିଛନ୍ତି। ଏହା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଗଣତନ୍ତ୍ର ପାଇଁ ଏହା ବିପଜ୍ଜନକ ଅବସ୍ଥା ରୂପେ ଉଭା ହୋଇଛି।
ଏଭଳି ପରିସ୍ଥିତିରେ ଗଣତନ୍ତ୍ରପ୍ରେମୀ ବ୍ୟକ୍ତିବିଶେଷଙ୍କର ଦାୟିତ୍ୱ ବଢ଼ିଯାଇଛି। ସେମାନଙ୍କ ସମ୍ମିଳିତ ସ୍ବର ହିଁ ଦେଶକୁ ଏହି ସଙ୍ଗିନ ପରିସ୍ଥିତିରୁ ଉଦ୍ଧାର କରିପାରିବ, ଅନ୍ୟ ରାସ୍ତା ନାହିଁ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri