ବଦଳୁଛି ବସ୍ତିର ମାନଚିତ୍ର

ବାଲେଶ୍ୱର ଅଫିସ, ୬।୭-ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବାଲେଶ୍ୱର ସହରର ବିଭିନ୍ନ ବସ୍ତିରେ ନିର୍ମାଣ ହେବାକୁ ଯାଉଛି ଓଏସ୍‌ଡ଼ି (ଓପନ୍‌ ସ୍ପେଶ୍‌ ଡେଭଲପମେଣ୍ଟ)। ଏହି ପ୍ରକଳ୍ପରେ ବସ୍ତି ଅଞ୍ଚଳର ପିଲାମାନଙ୍କ ଖେଳିବା ପାଇଁ ନିର୍ମାଣ ହେଉଛି ଛୋଟ ଛୋଟ ପାର୍କ। ଅଳ୍ପ ଜାଗାକୁ ବିକଶିତ କରାଯାଇ ସୁନ୍ଦର ଛୋଟ ପାର୍କରେ ପରିଣତ କରାଯାଉଛି। ସେଠାରେ ପିଲାମାନଙ୍କ ଖେଳକୁଦ ତଥା ମନୋରଞ୍ଜନ ପାଇଁ ଖସଡ଼ା, ଦୋଳି ଆଦି ଖେଳ ସାମଗ୍ରୀ ବ୍ୟବସ୍ଥା କରାଯାଇଛି।
ବସ୍ତିବାସିନ୍ଦା ତଥା ବସ୍ତି ପିଲାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ବସ୍ତି ଅଞ୍ଚଳକୁ ଆଦର୍ଶ ବସ୍ତିରେ ପରିଣତ କରାଯିବାକୁ ଉଦ୍ୟମ କରାଯାଉଛି। ଏମିତିକି ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ନିଯୁକ୍ତ କରାଯାଇ ରୋଜଗାରକ୍ଷମ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ପୌରପାଳିକା ପକ୍ଷରୁ ଅଙ୍ଗାରଗଡ଼ିଆ ଓ ଯାଦବପୁର ବସ୍ତିରେ ଓଏସ୍‌ଡି ନିର୍ମିତ ହୋଇସାରିଛି। ଏଥିପାଇଁ ଏସ୍‌ଡିଏଫ୍‌ (ସ୍ଲମ୍‌ ଡେଭଲପମେଣ୍ଟ ଆସୋସିଏଶନ) ମାଧ୍ୟମରେ ସ୍ବତନ୍ତ୍ର ଭାବେ ବସ୍ତି କମିଟି ଗଠନ କରାଯାଇ ବସ୍ତି ଲୋକଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ପ୍ରତି ଓଏସ୍‌ଡି ପାଇଁ ୧ରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲ କୁହନ୍ତି, ବାଲେଶ୍ୱର ପୌରପାଳିକା ଅଧୀନରେ ମୋଟ ୪୧ଟି ବସ୍ତି ରହିଛି। ସେଥିମଧ୍ୟରୁ ୨୧ଟି ସରକାରୀ ଜମି ଏବଂ ୨୦ଟି ରେଲୱେ ଓ ବ୍ୟକ୍ତିଗତ ଜମିରେ ରହିଛି। ଫଳରେ ଓଏସ୍‌ଡି ନିର୍ମାଣ ପାଇଁ ସମସ୍ୟା ଉପୁଜୁଛି। ଯେଉଁଠି ତିଆରି ପାଇଁ ଯୋଜନା ହେଉଛି ସେଠାରେ ଲୋକ ବିରୋଧ କରୁଛନ୍ତି। ଆଗାମୀ ଦିନରେ ଲୋକମାନଙ୍କୁ ବୁଝାଶୁଝା କରି ଅନ୍ୟ ବସ୍ତିଗୁଡ଼ିକରେ ଓଏସ୍‌ଡ଼ି ନିର୍ମାଣ କରାଯିବ।