ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ

ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ଉଭୟେ ଦଣ୍ଡକାରଣ୍ୟ ଡିଭିଜନର ଦରଭା କମିଟିରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ।
ସୂଚନା ଯୋଗ୍ୟ, ଆର୍ଛା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ଗୋଇନ୍ଦା ସୂଚନା ପାଇ ପୋଲିସ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ଜଙ୍ଗଲକୁ ପୋଲିସ ଆସିଥିବା ଜାଣି ପ୍ରଥମେ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିର ସାମନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ତଲାସି କଲା ବେଳେ ୨ଜଣ ମାଓବାଦୀ ନିହତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏଥିସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ୩ଟି ରାଇଫଲ୍‌, ଅନେକ ଜୀବନ୍ତ ଗୁଳି, ପୋଷାକ, ଔଷଧ ଏବଂ ଧନୁ ତୀର ରହିଛି । ଘଟଣା ସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବସ୍ତର ପୋଲିସ ପକ୍ଷରୁ କୁହାଯାଇଛି।