ଶିକ୍ଷା ଓ ଶିକ୍ଷଣର ମନ୍ତ୍ର: ସୃଜନଶୀଳତା

ବର୍ତ୍ତମାନର ଆହ୍ବାନ ଡିଜିଟାଲ ଇଣ୍ଡିଆ। ସହରଠୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ସ୍ମାର୍ଟ ଫୋନ୍‌ ଆଦି ଇଲେକ୍‌ଟ୍ରୋନିକ ପଦାର୍ଥର ବହୁଳ ବ୍ୟବହାର। ଅଳ୍ପବହୁତେ ସମସ୍ତେ ହ୍ବାଟ୍‌ସଆପ, ଫେସବୁକ୍‌ ଆଦି ବ୍ୟବସ୍ଥା ସହିତ ପରିଚିତ। ସାରା ଦୁନିଆର ସୂଚନା ଓ ଚିତ୍ର ଶିକ୍ଷାର୍ଥୀଙ୍କ ହାତମୁଠାରେ। ପିଲାମାନଙ୍କ ହାତପାହାନ୍ତାରେ ପୂର୍ବାପେକ୍ଷା ଅଧିକ ତଥ୍ୟ। ସମୟ ସେମାନଙ୍କୁ ଜଟିଳ ଦୁନିଆରେ ପହଞ୍ଚାଇ ଦେଇଛି। ତେଣୁ ପୁରୁଣାକାଳିଆ ଶିକ୍ଷଣ ପଦ୍ଧତି ଏକ ପ୍ରକାର ଅଚଳ। ତାହା ସେମାନଙ୍କୁ ବିରକ୍ତିକର ଲାଗୁଛି। କେବଳ ପୁସ୍ତକର ବ୍ୟବହାର ଦ୍ୱାରା ସୃଜନଶୀଳତା ସଙ୍କୁଚିତ ହୋଇଯାଏ। ଶ୍ରେଣୀଗୃହରେ ଆଧୁନିକ ନୂଆ ନୂଆ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସର୍ବାଦୌ ବାଞ୍ଛନୀୟ। ବୈଦ୍ୟୁତିକ ସମ୍ବଳର ବିନିଯୋଗ ହେବା ଦରକାର। କେବଳ ବିଜ୍ଞାନ, ଗଣିତ ଆଦି ବିଷୟରେ କମ୍ପ୍ୟୁଟର ବ୍ୟବହାରକୁ ସୀମିତ ରଖିବାର ସମୟ ଏହା ନୁହେଁ। ଡ୍ରାମା, ଇତିହାସ, ଭୂଗୋଳ ଓ ଲେଖାଲେଖି ପ୍ରଭୃତି ଅଣଯାନ୍ତ୍ରିକ ବିଷୟରେ ଦୃଶ୍ୟ-ଶ୍ରବ୍ୟ ଉପକରଣମାନ ବ୍ୟବହାର କରାଯାଇପାରିବ।
ପ୍ରଯୁକ୍ତିବିଦ୍ୟାର ଆଲୋକ ଓ ଶବ୍ଦ ଆଦି ମାଧ୍ୟମରେ ଦିଆଯାଉଥିବା ଜ୍ଞାନ ସ୍ମରଣୀୟ,ସ୍ଥାୟୀ ଓ ପ୍ରଭାବୀ ହୋଇ ରହେ। ଛାତ୍ରମାନେ ଶିକ୍ଷାଗ୍ରହଣ ପ୍ରକ୍ରିୟାରେ ଯେତେ ଅଧିକ ମଜ୍ଜି ରହନ୍ତି ସେମାନଙ୍କର ଅବବୋଧ ସେତେ ଦୃଢ଼ମୂଳ ହୁଏ; ବୋଧ ସ୍ପଷ୍ଟ ଥିଲେ ପିଲାମାନେ ବିଭିନ୍ନ ଧାରଣା ମଧ୍ୟରେ ସଂଯୋଗ ଆଣିବା ଆରମ୍ଭ କରିଥାନ୍ତି। ମୂର୍ତ୍ତିମନ୍ତ ସ୍ପର୍ଶନୀୟ ରୂପରେ ଶିକ୍ଷାକୁ ଗ୍ରହଣ କରନ୍ତି। ଏହା ହିଁ ସୃଜନର ଗୋଟିଏ ସକାରାତ୍ମକ ପ୍ରତିକ୍ରିୟା। ଶିକ୍ଷାବିତ୍‌ ଷ୍ଟେଭ୍‌ ଜବାସ୍‌ କହନ୍ତି ”ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି ସହିତ ସୃଜନଶୀଳତାକୁ ସଂଯୋଗ କଲେ ସର୍ବଶ୍ରେଷ୍ଠ ମୂଲ୍ୟବୋଧ ସୃଷ୍ଟି ହୋଇପାରିବ।“ଏହା ହେଉଛି ନୂଆ ପଦାର୍ଥ ଚିନ୍ତା କରିବାର ଧାରା, ନବକ୍ରିୟା। ବୋଧଜ୍ଞାନ ମୂଳଦୁଆ। ତା’ଉପରେ ରଚନାତ୍ମକ ଓ ସୃଜନର ସୌଧ ଗଢ଼ିବା ସହଜ ହୋଇଥାଏ। ଥରେ ବୋଧ ସ୍ପଷ୍ଟ ହେଲେ ଜଣେ ଛାତ୍ର ଗୋଟିଏ ନିର୍ଦ୍ଦିଷ୍ଟ ସମସ୍ୟାର ନୂତନ ସମାଧାନ ପନ୍ଥା ବାହାର କରିପାରେ। ସୁତରାଂ ଗତାନୁଗତିକତାକୁ ପରିହାର କରି ପ୍ରଦତ୍ତ ଶିକ୍ଷାକୁ ସୃଜନମୁଖୀ କରିବାକୁ ହେବ। କାରଣ ପିଲା ଯାହା ଶୁଣନ୍ତି ଭୁଲିଯାନ୍ତି, ଯାହା ଦେଖନ୍ତି ମନେ ରଖନ୍ତି ଓ ଯାହା କରନ୍ତି ତାହା ବୁଝନ୍ତି। ଉପକରଣ ଦ୍ୱାରା ପିଲାମାନଙ୍କର ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ହୁଏ,ଅଭିଜ୍ଞତା ଓ ଅନୁଭୂତିର ଅଭିବୃଦ୍ଧି ଘଟେ। ପିଲାମାନେ ଗଳ୍ପପ୍ରିୟ। ଗଳ୍ପ କହି ବା ଲେଖାଇ ପିଲାମାନଙ୍କର କୌତୂହଳ ବୃଦ୍ଧି କରାଯାଇପାରେ। ପିଲାମାନଙ୍କର ନିରୀକ୍ଷଣ ତୀକ୍ଷ୍ଣ। ସେମାନେ ତୀକ୍ଷ୍ଣ ଭାବରେ ନିରୀକ୍ଷଣ କରି ଶିକ୍ଷାଲାଭ କରିଥାନ୍ତି। ସେମାନେ ବଡ଼ ବଡ଼ ଚିନ୍ତକ ଓ ଗ୍ରହଣକାରୀ ଅଟନ୍ତି। ଗଳ୍ପରେ ପିଲାମାନେ ନିଜର ଭାବ ପ୍ରକାଶ କରିଥାନ୍ତି। ସେ ଯାହା ପଢ଼ିଛି ତା’ଉପରେ ନୁହେଁ,ଯାହା ନ ପଢ଼ିଛି ତାହା ଉପରେ ଗଳ୍ପ ଲେଖିବା ପାଇଁ କହିଲେ ସେ ତା’ନିଜର ଭାଷା ପ୍ରୟୋଗ କରି ପାରିବ। ଗଳ୍ପଲିଖନ ସରିଲା ପରେ ସାଙ୍ଗ ପିଲାମାନଙ୍କ ସମ୍ମୁଖରେ ତାହା ପାଠ କରାଯିବା ଆବଶ୍ୟକ। ଶ୍ରେଷ୍ଠ ଗଳ୍ପ ପାଇଁ ବାହାବା ମିଳିଲେ ସୃଜନଶୀଳତା ଉତ୍ସାହିତ ହୋଇପାରିବ। କେବଳ ଛବିଟି ଦେଖାଇ ତା’ ଉପରେ ଗଳ୍ପଟିଏ ଲେଖିବା ପାଇଁ ପିଲାମାନଙ୍କୁ କୁହାଯାଇ ପାରେ।
ଡ. ଏ.ପି.ଜେ. ଅବଦୁଲ କଲାମ କୁହନ୍ତି,”ଭବିଷ୍ୟତର ସଫଳତା ନିମନ୍ତେ ସୃଜନଶୀଳତା ଏକ ଚାବି। ପ୍ରାଥମିକ ଶିକ୍ଷାରେ ଶିକ୍ଷକମାନେ ସୃଜନଶୀଳତା ଆଣିପାରିବେ।“ଶିକ୍ଷକ ନିଜେ ଊର୍ଦ୍ଧ୍ୱଦୃଷ୍ଟି ଓ ଦୂରଦୃଷ୍ଟିସମ୍ପନ୍ନ ଥିଲେ ତାଙ୍କ ପାଠ୍ୟଦାନ ଭିତରେ ମଧ୍ୟ ସୃଜନଶୀଳ ଦିଗକୁ ଛୁଇଁ ଛୁଆଇଁ ଯାଆନ୍ତି। ପ୍ରଥମେ ସେମାନଙ୍କୁ ସର୍ଜନ ଚେତନାରେ ଉଦ୍‌ବୁଦ୍ଧ ହେବାକୁ ପଡ଼ିବ। ସୃଷ୍ଟିଶୀଳତାର ସୁସ୍ଥ ମାନସିକତାକୁ ଆପଣେଇବାକୁ ହେବ। ଉନ୍ନତ ଦେଶଗୁଡ଼ିକରେ ଶିକ୍ଷକମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଚୟନ କରାଯାଇ ସେମାନଙ୍କର ଯୋଗ୍ୟତା, ମନୋବୃତ୍ତି, ଦକ୍ଷତା ସୃଜନଶୀଳତାର ପରୀକ୍ଷା ନିଆଯାଏ। ଏହା ନୂତନ ଶିକ୍ଷାନୀତି ୨୦୨୦ରେ ଅନ୍ତର୍ଭୁକ୍ତ କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ସର୍ବୋତ୍ତମ ଶିକ୍ଷକ ପଢ଼ାନ୍ତି ନାହିଁ, ପ୍ରେରଣା ଦିଅନ୍ତି।
ଇତିହାସ କହେ କଳ୍ପନା ସୃଜନଶୀଳତାର ଆଧାରଶିଳା। ନିରନ୍ତର ସୃଜନଶୀଳ ପ୍ରଚେଷ୍ଟା ଦ୍ୱାରା କଳ୍ପନା ଧୀରେ ଧୀରେ ବାସ୍ତବ ରୂପ ନିଏ। ତେଣୁ ”ତୁମେ ଯାହା କଳ୍ପନା କରି ପାରୁଛ,ତାହା ସତ୍ୟ,“ବୋଲି ବାବ୍ଲୋ ପିକାସୋ ପ୍ରକାଶ କରନ୍ତି। କାହାର ସ୍ବପ୍ନ ଭାଙ୍ଗିବା ଏକ ଅପରାଧ। ସୃଜନବିଶେଷଜ୍ଞ ହେନେରି ଡାଭିଡ୍‌ ଥୋରେ କହନ୍ତି,”ସ୍ବପ୍ନ ଆମର ଚରିତ୍ରର କଷଟି ପଥର।“ ଲେଖୁ ଲେଖୁ ଲେଖକ ହେଲା ପରି ମନପ୍ରାଣ ଦେଇ ଶିକ୍ଷା ଲାଭ କରୁ କରୁ ମସ୍ତିଷ୍କର ରୁଦ୍ଧ କୋଠରି ସବୁ ଖୋଲି ଖୋଲି ଯାଏ। ଆଗକୁ ଯିବାର ନୂଆ ନୂଆ ବାଟ ମନଶ୍ଚକ୍ଷୁ ଆଗରେ ଝଲିସ ଉଠେ। ନବ ନବ ଉନ୍ମେଷ ଘଟେ। ସୃଜନଶୀଳତାରେ ଡେଣା ଲାଗିଯାଏ। ଶିଶୁ ପ୍ରକୃତିର ନିକଟତର ହେଲେ ମନ ବିସ୍ତାରିତ ହୁଏ।
ପ୍ରତିଭା ସୃଜନମନ୍ତ୍ରରେ ଦୀକ୍ଷିତ ହେଲେ ଭବିଷ୍ୟତ ନିର୍ମାଣ ପାଇଁ ଆଉ ଚିନ୍ତା କରିବାକୁ ପଡ଼େ ନାହିଁ। ନିଜର ମୌଳିକ ଭାବନାକୁ ସୃଷ୍ଟିଶୀଳ କରି କାର୍ଯ୍ୟକାରୀ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଯାଏ। ଶ୍ରେଣୀକକ୍ଷର ସୃଜନଶୀଳତା ପରବର୍ତ୍ତୀ ଜୀବନର ବିଭିନ୍ନ କ୍ଷେତ୍ରରେ ଅସମ୍ଭବ ଲାଗୁଥିବା ବହୁ ଲକ୍ଷ୍ୟ ଓ କାର୍ଯ୍ୟ ସହଜସାଧ୍ୟ କରିଦେଇଥାଏ। ଅନେକ ଉଦ୍ଭାବନ ଓ ଆବିଷ୍କାରର ପଥ ପରିଷ୍କାର ହୋଇ ଦିଶେ। ଶିକ୍ଷାର୍ଥୀମାନେ ସୃଜନଶୀଳ ହେଲେ କୌଣସି ନୂତନ ପନ୍ଥାକୁ ଆପଣେଇବା ପାଇଁ ସାହସ ବାନ୍ଧି ପାରନ୍ତି। ଏଡ୍‌ୱିନ୍‌ ଲାଣ୍ଡ୍‌ କୁହନ୍ତି,”ସୃଜନଶୀଳତାର ବିଶେଷତ୍ୱ ହେଉଛି ପତନକୁ ଭୟ ନ ଥାଏ।“
ଯାହା ଆଗରୁ ନାହିଁ ତାକୁ ଦେଖିବା ହେଉଛି ସୃଜନଶୀଳତା। ସୃଜନଶୀଳ ଲୋକଙ୍କ ବିଷୟରେ ପଢ଼ିବା ଓ ଶୁଣିବା ଦ୍ୱାରା ସୃଜନଶୀଳତାର ସ୍ଫୁରଣ ହୋଇପାରେ ଏକ ମାନସିକ ପ୍ରସ୍ତୁତି। ଦୃଷ୍ଟିଭଙ୍ଗୀ ଗବେଷଣାତ୍ମକ, ଅନୁସନ୍ଧାନମୂଳକ ଓ ନିର୍ମାଣାତ୍ମକ ହୋଇପାରିଲେ ସୃଷ୍ଟି ତଦନୁରୂପ ହେବ। ବହୁମୁଖୀ ସୃଜନର ପ୍ରକ୍ରିୟା ସାଧନା ଓ ଧୈର୍ଯ୍ୟ ସାପେକ୍ଷ। ଶିକ୍ଷା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷମାନେ ଶିକ୍ଷାକୁ ଅଧିକ ଫଳପ୍ରସୂ ଓ ସୃଜନଶୀଳ କରିବା ପାଇଁ ମନସ୍କ ରହିଲେ,ବ୍ୟୟବହୁଳ ଶିକ୍ଷାରୁ ଅନେକ ଆଶୁ ଓ ସ୍ଥାୟୀ ଲାଭ ମିଳିପାରିବ।

– ଡ. ଶରତ ଚନ୍ଦ୍ର ପରିଡ଼ା
ପଟିଆ, ଭୁବନେଶ୍ୱର
ମୋ- ୭୦୦୮୪୭୫୪୪୨


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri