ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା: ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

କଟକ ଅଫିସ,୨୨।୨: ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ଆଜି ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ବିବନ। ତେବେ ମାମଲାର ତଦନ୍ତ କରୁଥିଲା ସିବିଆଇ। ପୂର୍ବରୁ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଥିଲେ ମାନ୍ୟବର କୋର୍ଟ। ୩ ମାସ ତଳୁ ବିବନଙ୍କୁ ଖୋଜିବା ଆରମ୍ଭ କରିଥିଲା କମିଶନରେଟ୍‌ ପୋଲିସ। ମୁମ୍ବାଇ-ପୁଣେରେ ନିଜ ନାମ ପରିବର୍ତ୍ତନ କରି ଜଳନ୍ଧର ସ୍ବାଇଁ ନାମରେ ରହୁଥିଲେ ବିବନ। ଶେଷରେ ପୋଲିସ ହାତରେ ଧରା ପଡ଼ିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ସୂଚନାଯୋଗ୍ୟ, ୯ ଜାନୁୟାରୀ ୧୯୯୯ରେ ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ଜାଗାରେ କାର୍‌ ଭିତରେ ୩ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ପୋଲିସ ସେହି ଜାନୁୟାରୀରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବିବନ ଫେରାର ଥିଲେ।