ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଇକ ଦେଖିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ସାବଧାନ! ଏଣିକି ବାଇକ୍‌ରୁ ଉଚ୍ଚ ଶବ୍ଦ ବାହାରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଖୋଜି ଖୋଜି ଧରିବ ପୋଲିସ। ରାଜଧାନୀରେ ଅନେକ ଯୁବକ ବାଇକ୍‌କୁ ମଡେଲିଂ କରିବା ସହ ସେଥିରେ ବିକଟାଳ ବା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ପାଇପ୍‌ ଲଗାଉଛନ୍ତି। କେଉଁ ସାଲେନ୍ସର ପାଇପ୍‌ରୁ ବାଟ ଫୁଟିବାର ଶବ୍ଦ ବାହାରୁଛି ତ ପୁଣି ଆଉ କେଉଁଥିରୁ ଛାତି ଥରାଇ ଦେବା ଭଳି ଢ଼ୋ ଢ଼ା ଠୋ ଠା ଶବ୍ଦ ବାହାରୁଛି। ରାସ୍ତାରେ ଏଭଳି ଶବ୍ଦ ମାଧ୍ୟମରେ ଅନ୍ୟ ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଯୁବପିଢ଼ି ଖୁସି ହେଉଥିଲେ ମଧ୍ୟ ଏହା ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ଆଣୁଛି। ଦୁର୍ଘଟଣା ଘଟାଇବା ସହ ହୃଦ୍‌ରୋଗୀଙ୍କ ପାଇଁ ଘାତକ ସାଜୁଛି। ଏହାଦ୍ୱାରା ପରିବେଶ ଓ ଧ୍ୱନି ପ୍ରଦୂଷିତ ହେଉଛି। ଏହା ବେଆଇନ ହୋଇଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ଥିବାରୁ କେହି ମାନୁନାହାନ୍ତି। ତେବେ ବିଳମ୍ବରେ ହେଲେ ମଧ୍ୟ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରିଛି। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ଟ୍ରାଫିକ୍‌ ପୋଲିସର ଏକାଧିକ ଟିମ୍‌ ସହରର ଫାଲକନ୍‌ ହାଉସ ଛକ, ମ୍ୟୁଜିଅମ୍‌ ଛକ, ରୂପାଲି ଛକ, ଲିଙ୍ଗିପୁର ଛକ, ନାଲ୍‌କୋ ଛକ, ପଟିଆ ଛକ, ନନ୍ଦନକାନନ ଛକରେ ରହି ସ୍ବତନ୍ତ୍ର ଭାବେ ଯାଞ୍ଚ କରିଥିଲା। ରାସ୍ତାରେ ଯାଉଥିବା ବାଇକଗୁଡ଼ିକୁ ଅଟକାଇ ସାଇଲେନ୍ସର ପାଇପ୍‌ ଯାଞ୍ଚ କରାଯାଇଥିଲା। ପ୍ରଥମ ଦିନରେ ପ୍ରାୟ ୨୭ ବାଇକ୍‌ ଜବତ କରାଯାଇଛି। ବାଇକ୍‌ ଚାଳକଙ୍କଠାରୁ ଜରିମାନା ନିଆଯିବା ସହ ନିର୍ବାଚନ ସରିବା ପର୍ଯ୍ୟନ୍ତ ଗାଡିଗୁଡ଼ିକୁ ଥାନାରେ ରଖାଯିବ ବୋଲି ସୂଚନା ଦିଆଯାଇଛି।
କମିଶନରେଟ ପୋଲିସ ପକ୍ଷରୁ ଏକ ମୋବାଇଲ ଫୋନ୍‌ ନଂ.୮୦୯୩୦୨୮୧୦୭ ଜାରି କରାଯାଇଛି। ଯଦି ଏପରି ଉଚ୍ଚଶବ୍ଦ କରୁଥିବା କୌଣସି ବାଇକ ନଜରକୁ ଆସେ ତା’ହେଲେ ତାହାର ଫଟୋ ଉଠାଇ ଏହି ନମ୍ବରରେ ହ୍ବାଟ୍ସଆପ୍‌ ମାଧ୍ୟମରେ ପୋଷ୍ଟ କରିକୁ ପରାମର୍ଶ ଦିଆଯାଇଛି। ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି କୁହାଯାଇଛି। ଏନେଇ ଡିସିପି ଦାଶ କହିଛନ୍ତି, ରାସ୍ତାରେ ନିଜର ଉପସ୍ଥିତି ଜାହିର କରିବାକୁ ଏଭଳି ବାଇକ ବ୍ୟବହାର କରାଯାଉଛି। ସ୍ବତନ୍ତ୍ର ଡ୍ରାଇଭ୍‌ ମାଧ୍ୟମରେ ବିକଟାଳ ବା ଉଚ୍ଚ ଶବ୍ଦ କରୁଥିବା ବାଇକ ବ୍ୟବହାର କରୁଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆମେ ସିସିଟିଭି ଦ୍ୱାରା ଅଭିଯାନକୁ ମନିଟର କରୁଛୁ। ଯେଉଁଠି ବି ପରିବର୍ତ୍ତିତ ସାଇଲେନ୍‌ସର ଦେଖାଯିବ ସେ ବାଇକକୁ ଜବତ କରିବାକୁ ପିସିଆର୍‌ ଟିମ୍‌କୁ କୁହାଯାଇଛି। ଆବଶ୍ୟକତା ପଡ଼ିଲେ ଚାଳକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଡିସିପି ଦାଶ କହିଛନ୍ତି।