ଥୁଆମୂଳ ରାମପୁର, ୧୩/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ (ୟୁପିଏମ୍ପି) ଜରିଆରେ ମଧୁବାବୁ ପେନ୍ସନ୍ ଯୋଜନାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ବ୍ଲକର ୨୩୫ ଜଣ ନୂତନ ହିତାଧିକାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ମାସର ଦୁଇ ମାସର ବକେୟା ଭତ୍ତା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ନଭେମ୍ବର ୧୧ ତାରିଖରେ ବାଲେଶ୍ୱର ସହରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଚଳିତ ବର୍ଷ ଅକ୍ଟୋବର ମାସରୁ ରାଜ୍ୟର ୪,୦୪,୮୧୨ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ଥୁଆମୂଳ ରାମପୁର ବ୍ଲକରେ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆବେଦନ କରିଥିବା ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ନଭେମ୍ବର ୨୫ ତାରିଖ ମଧ୍ୟରେ ନିଜ ନିଜ ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଭତ୍ତା ପ୍ରଦାନ କରାଯିବ। ଏହାଦ୍ୱାରା ଆବେଦନ କରିଥିବା ଅବଶିଷ୍ଟ ହିତାଧିକାରୀମାନେ ମଧ୍ୟ ଉପକୃତ ହୋଇପାରିବେ।
ଏହି ବ୍ଲକସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ବିଧାୟକଙ୍କ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ବିଡିଓ ଧ୍ରୁବ ଚରଣ ମୁଦୁଲି, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୁକେଶ କୁମାର ପଟେଲ, ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ଭାଜପା ନେତା ବାଜରା ଭୋଇ, ବିପିନ ବିହାରୀ ନାଏକ ଓ ପୁଷ୍ପ ନାଏକ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ନିଜ ହାତରେ ଭତ୍ତା ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ ସଫଳତାର ସହ ପରିଚାଳନା କରିଥିବା ବେଳେ ବିପିସି ଆର୍ଏଚ୍ ରାଜେନ୍ଦ୍ର ନାରାୟଣ ଦେବଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିଥିଲେ।
ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ବର୍ଷ ବର୍ଷ ଧରି ଭତ୍ତା ପାଇଁ ଅପେକ୍ଷା କରିଥିବା ନୂତନ ହିତାଧିକାରୀମାନେ ଭତ୍ତା ପାଇ ଖୁସି ପ୍ରକାଶ କରିଥିବା ଦେଖିବାକୁ ମିଳିଛି।