Posted inଜାତୀୟ

କେନ୍ଦ୍ର ଲାଗି ଲୋକପାଳ ଦୁର୍ବଳ

ନୂଆଦିଲ୍ଲୀ,୧୬।୩: ଭାରତର ଦୁର୍ନୀତି ବିରୋଧୀ ଅମ୍ବୁଡ୍ସମ୍ୟାନ୍‌ ଲୋକପାଳ ୨୦୨୧ ଏପ୍ରିଲରୁ ୨୦୨୨ ଜାନୁୟାରୀ ୩୧ ମଧ୍ୟରେ ୪,୨୪୪ଟି ଅଭିଯୋଗ ପାଇଛନ୍ତି, ଯାହାକି ୨୦୨୦-୨୧ ତୁଳନାରେ ୮୦% ଅଧିକ। ଅଭିଯୋଗ ସଂଖ୍ୟା ବଢ଼ୁଥିଲେ ହେଁ କେନ୍ଦ୍ର ସରକାର ତ୍ୱରିତ ଫଇସଲା ଦିଗରେ ବିଶେଷ ପଦକ୍ଷେପ ନେଉ ନ ଥିବା ଦେଖିବାକୁ ମିଳିଛି। ୨୦୨୨-୨୩ ଆର୍ଥିକ ବର୍ଷ ବଜେଟରେ ଲୋକପାଳଙ୍କ ପାଇଁ ୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୨୧-୨୨ରେ ଏହି ବାବଦରେ ୩୯.୬୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିବାବେଳେ ପରେ ତାକୁ ୨୬ କୋଟିକୁ ହ୍ରାସ କରାଯାଇଥିଲା। ଅର୍ଥାତ୍‌ ଆସନ୍ତା ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ଅର୍ଥକୁ ମଧ୍ୟ କେନ୍ଦ୍ର ସରକାର କମାଇପାରନ୍ତି। ରାଜ୍ୟ ସ୍ତରରେ ମଧ୍ୟ ସରକାରମାନେ ଲୋକାୟୁକ୍ତଙ୍କୁ ନେଇ ଗମ୍ଭୀର ଥିବା ମନେହେଉନାହିଁ। ଏଥିଯୋଗୁ କ୍ଷମତାର ଶୀର୍ଷରେ ଥିବା ନେତା ଓ ଅମଲାତନ୍ତ୍ରୀଙ୍କ ଦୁର୍ନୀତି ରୋକିବା ପାଇଁ ଗଢ଼ାଯାଇଥିବା ଏହି ସାମ୍ବିଧାନିକ ସଂସ୍ଥା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ମୋଟାମୋଟି ଭାବେ ଅମ୍ବୁଡ୍ସମ୍ୟାନ୍‌ ସିଷ୍ଟମ୍‌ ଏକ ‘ଦନ୍ତହୀନ ବାଘ’ ପାଲଟିଛି।
ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ପାର୍ଲାମେଣ୍ଟ ସଦସ୍ୟ ଏବଂ ଗ୍ରୁପ୍‌ ‘ଏ’ ଅଧିକାରୀଙ୍କ ଦୁର୍ନୀତିର ତଦନ୍ତ ଲାଗି ଏକ ଶକ୍ତ ଲୋକପାଳ ବ୍ୟବସ୍ଥା ଗଠନ ନିମନ୍ତେ ୧ ଦଶନ୍ଧି ତଳେ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସାମାଜିକ କର୍ମୀ ଆନ୍ନା ହାଜାରେଙ୍କ ନେତୃତ୍ୱରେ ଏହି ଆନ୍ଦୋଳନକୁ ଦେଶରେ ଅଭୂତପୂର୍ବ ସମର୍ଥନ ମିଳିଥିଲା। ଏହା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଉପରେ ଲୋକପାଳ ଆଇନ ପ୍ରଣୟନ ନେଇ ପ୍ରବଳ ଚାପ ସୃଷ୍ଟି କରିଥିଲା। ଫଳରେ ୨୦୧୩ରେ ଉପା ସରକାର ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ବିଲ୍‌ ଆଣିବାକୁ ବାଧ୍ୟ ହୋଇଥିଲେ। ତାହା ପ୍ରସ୍ତାବିତ ଆଇନଠାରୁ ଦୁର୍ବଳ ବୋଲି ବାଦବିବାଦ ସୃଷ୍ଟି ହୋଇଥିଲା। ବିତର୍କ ପରେ ଡିସେମ୍ବର ୧୭ରେ ରାଜ୍ୟ ସଭା ଏବଂ ୧୮ରେ ଲୋକ ସଭାରେ ଲୋକପାଳ ଓ ଲୋକାୟୁକ୍ତ ଆଇନ,୨୦୧୩ ପାରିତ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୪ ଜାନୁୟାରୀ ୧ରେ ଏହା ଉପରେ ମୋହର ଲଗାଇବା ପରେ ସେହି ମାସ ୧୬ ତାରିଖରୁ ଦେଶରେ ଉକ୍ତ ଆଇନ ପ୍ରଚଳିତ ହେଲା। ଆଇନ ଅନୁସାରେ ଲୋକପାଳଙ୍କ ସହ ଅନ୍ୟ ୮ ଜଣ ସଦସ୍ୟ ରହିବା କଥା। ସେମାନଙ୍କ ମଧ୍ୟରୁ ୪ ଜଣ ଲେଖାଏ ଜୁଡିସିଆଲ ମେମ୍ବର(ବିଭିନ୍ନ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି) ଓ ନନ୍‌-ଜୁଡିସିଆଲ ମେମ୍ବର(ସର୍ବଭାରତୀୟ ସେବା/କେନ୍ଦ୍ରୀୟ ସେବା ଅଧିକାରୀ)ଙ୍କୁ ନିଯୁକ୍ତ କରିବା ଲାଗି ବ୍ୟବସ୍ଥା ରହିଛି। କିନ୍ତୁ ଦୀର୍ଘ ୫ ବର୍ଷ ଧରି ଲୋକପାଳ ନିଯୁକ୍ତ କରାଗଲା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏଡିଏ) ସରକାର ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ବୋଷଙ୍କୁ ପ୍ରଥମ ଲୋକପାଳ ନିଯୁକ୍ତ କଲେ। ୨୦୧୯ ମାର୍ଚ୍ଚ ୨୩ରେ ଜଷ୍ଟିସ୍‌ ବୋଷ ଏବଂ ୨୭ ତାରିଖରେ ୮ ସଦସ୍ୟ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତି ଓ ଜଷ୍ଟିସ୍‌ ଅଭିଳାଷା କୁମାରୀ ଜୁଡିସିଆଲ ମେମ୍ବର ଅଛନ୍ତି। ୪ ନନ୍‌-ଜୁଡିସିଆଲ ମେମ୍ବର ହେଲେ ଦୀନେଶ କୁମାର ଜୈନ, ଅର୍ଚ୍ଚନା ରାମସୁନ୍ଦରମ୍‌, ମହେନ୍ଦ୍ର ସିଂ ଏବଂ ଇନ୍ଦ୍ରଜିତ୍‌ ପ୍ରସାଦ ଗୌତମ। ଅନ୍ୟତମ ଜୁଡିସିଆଲ ମେମ୍ବର ଜଷ୍ଟିସ୍‌ ଦିଲୀପ ବି. ଭୋସଲେ ନିଯୁକ୍ତିର ୮ ମାସ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବାବେଳେ ଜଷ୍ଟିସ୍‌ ଏ.କେ. ତ୍ରିପାଠୀ ୨୦୨୦ ମେ’ ୨ରେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ଏହି ଦୁଇ ଜୁଡିସିଆଲ ମେମ୍ବରଙ୍କ ଖାଲି ପଦବୀ ତୁରନ୍ତ ପୂରଣ କରିବା ପାଇଁ ୨୦୨୧ ଜୁନ୍‌ରେ ଲୋକପାଳ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ କେନ୍ଦ୍ରକୁ ଚିଠି ଲେଖିଥିଲେ ହେଁ ଏ ଦିଗରେ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ। ଏହି ସାମ୍ବିଧାନିକ ସଂସ୍ଥା ଗଠନର ୩ ବର୍ଷ ପରେ ମଧ୍ୟ ଲୋକପାଳ ଅଧ୍ୟକ୍ଷ କୌଣସି ବଡ଼ ଧରଣର ଦୁର୍ନୀତି ମାମଲା ହାତକୁ ନେଇଥିବା ଦେଖାଯାଇ ନାହିଁ। ଜଷ୍ଟିସ୍‌ ଭୋସଲେ ଇସ୍ତଫା ଦେବା ପରେ ଏକ ସାକ୍ଷାତ୍‌କାରରେ କହିଥିଲେ, ଆଲ୍ଲାହାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିବାବେଳେ ସେ ଦିନକୁ ୧୪-୧୫ ଘଣ୍ଟା କାମ କରି ମାସକୁ ୫୦ରୁ ୧୦୦ ମାମଲାର ଶୁଣାଣି କରୁଥିଲେ। କିନ୍ତୁ ଲୋକପାଳ ସଦସ୍ୟ ହେବା ପରେ ସେ ଅଳସୁଆ ହୋଇଯାଇଥିଲେ। ଫଳରେ ଏହି ପଦବୀରେ ରହିବାର ଅର୍ଥ ସମୟ ନଷ୍ଟ ବୋଲି ସେ ଅନୁଭବ କରିଥିବା କହିଥିଲେ। ଜଷ୍ଟିସ୍‌ ଭୋସ୍‌ଲେଙ୍କ ମତରେ ଏଭଳି ଭାବେ ଲୋକପାଳ ଚାଲିଲେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କେବେହେଲେ ପୂରଣ ହେବନାହିଁ। ଏସବୁ ଦୃଷ୍ଟିରୁ ବିଚାର କଲେ ଲୋକପାଳ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ନୁହନ୍ତି ବୋଲି ସ୍ପଷ୍ଟ ହେଉଛି। ୨୦୧୯-୨୦ରେ ଲୋକପାଳଙ୍କୁ ୧୦୧.୨୯ କୋଟି ଟଙ୍କା ଦେବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିଲା। ପରେ ସମୀକ୍ଷା କରି ଏହାକୁ ୧୮.୦୧ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା। ୨୦୨୦-୨୧ରେ ଲୋକପାଳଙ୍କ ପାଇଁ ଆବଣ୍ଟିତ ୭୪.୭ କୋଟି ଟଙ୍କାକୁ ପରବର୍ତ୍ତୀ ସମୟରେ ୨୯.୬୭ କୋଟି ଟଙ୍କାରେ ସୀମିତ ରଖାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଲୋକପାଳଙ୍କୁ ୩୯.୬୭ କୋଟି ଟଙ୍କା ଦିଆଯାଇଥିଲା। ପରେ ତାହା ୨୬ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏଥିରୁ ଅନୁଦାନରେ କେନ୍ଦ୍ରର କୁଣ୍ଠା ଓ ପାଣ୍ଠି ଖର୍ଚ୍ଚ କରିବାରେ ଲୋକପାଳଙ୍କ ଅକ୍ଷମତା ପରିଲକ୍ଷିତ ହୋଇଛି। ଲୋକପାଳ ଗଠନର ବର୍ଷେ ପରେ ଅର୍ଥାତ୍‌ ୨୦୨୦ ମେ’ ୩ରେ କେନ୍ଦ୍ର ସରକାର ଲୋକପାଳରେ ଅଭିଯୋଗ ଦାଖଲ ନିମନ୍ତେ ନିୟମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉକ୍ତ ଆଇନ ଅନୁସାରେ ଲୋକପାଳ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଅଧୀନରେ ଆସୁଥିବା ମାମଲାଗୁଡ଼ିକ ହାତକୁ ନେଇପାରିବେ। ଅଭିଯୋଗ ଦାଖଲର ୭ ବର୍ଷ ପୂର୍ବେ ହୋଇଥିବା ଦୁର୍ନୀତି ପାଇଁ ଶୁଣାଣି ବ୍ୟବସ୍ଥା ରହିଛି। କିନ୍ତୁ ଲୋକ ସଭା କିମ୍ବା ରାଜ୍ୟ ସଭାର କମିଟି ଅଥବା ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ କୌଣସି ମାମଲାର ଶୁଣାଣି ପାଇଁ ଲୋକପାଳ ଆଇନ ଏହି ଦୁର୍ନୀତି ନିରୋଧୀ ସଂସ୍ଥାକୁ କ୍ଷମତା ଦେଇନାହିଁ। ଲୋକପାଳଙ୍କ ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟାନୁସାରେ ୨୦୧୯-୨୦ରେ ୧,୪୨୭ ଅଭିଯୋଗ ଦାଖଲ ହୋଇଥିଲା। ସେଥିରୁ ୪ ଅଭିଯୋଗ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପିମାନଙ୍କ ବିରୋଧରେ ରହିଥିଲା। ସେହିପରି କେନ୍ଦ୍ର ସରକାରଙ୍କ ଅଧୀନ ଅଧିକାରୀମାନଙ୍କ ବିରୋଧରେ ୨୪୫ ଅଭିଯୋଗ ରହିଥିଲା। ତେବେ ଅଭିଯୋଗର ସିଂହଭାଗ ଅର୍ଥାତ୍‌ ୧,୨୧୯ ମାମଲାକୁ ଲୋକପାଳ ନିଜ ପରିସର ବହିର୍ଭୂତ ଦର୍ଶାଇ ଖାରଜ କରିଦେଇଥିଲେ। ୮୯ ମାମଲାରେ ଅଭିଯୋଗକାରୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମରେ ଫାଇଲ କରିବାକୁ କୁହାଯାଇଥିଲା। ୧୧୧ ମାମଲାରେ ଅଭିଯୋଗୁଡ଼ିକୁ ପ୍ରାଥମିକ ତଦନ୍ତ ପରେ ବନ୍ଦ କରି ଦିଆଯାଇଥିଲା ଅଥବା ସେଗୁଡ଼ିକ ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ଥିବା ଦର୍ଶାଇ ଖାରଜ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତଥା ସିଜେଆଇ, ଲୋକ ସଭା ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଚୟନ କମିଟି ଲୋକପାଳ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦେବା ଲାଗି ରାଷ୍ଟ୍ରପତିଙ୍କୁ ନାମ ସୁପାରିସ କରିଥାଏ। ଅନୁରୂପ ଭାବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, ବିଧାନସଭା ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କ ସୁପାରିସ କ୍ରମେ ରାଜ୍ୟପାଳ ଲୋକାୟୁକ୍ତ ଓ ଅନ୍ୟ ସଦସ୍ୟଙ୍କୁ ନିଯୁକ୍ତି ଦେଇଥାଆନ୍ତି। ତେବେ କେନ୍ଦ୍ରରେ ଲୋକପାଳ ଭଳି ରାଜ୍ୟ ସ୍ତରରେ ମଧ୍ୟ ଲୋକାୟୁକ୍ତ ବ୍ୟବସ୍ଥାର ପରିଚାଳନା ପାଇଁ ସରକାରଙ୍କ ଅନାଗ୍ରହ ଯୋଗୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଗତ ଡିସେମ୍ବରରେ କେରଳର ସିପିଆଇଏମ୍‌ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ଲୋକାୟୁକ୍ତଙ୍କ କ୍ଷମତା ସୀମିତ କରିବା ପାଇଁ ଅଧ୍ୟାଦେଶ ଆଣିଥିଲେ। ୨୦୧୩ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଆସିବାର ବହୁ ପୂର୍ବରୁ ୧୯୮୬ରେ କର୍ନାଟକରେ ଏହି ବ୍ୟବସ୍ଥା ଥିଲା। କିନ୍ତୁ ଗତ ଜାନୁୟାରୀରେ ଜଷ୍ଟିସ୍‌ ପି. ବିଶ୍ୱନାଥ ସେଟ୍ଟି ଅବସର ନେବା ପରେ ନୂଆ ଲୋକାୟୁକ୍ତ ନିଯୁକ୍ତି ପାଇଁ ବାସବରାଜ ବୋମାଇଙ୍କ ନେତୃତ୍ୱାଧୀନ ଭାଜପା ସରକାର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ୨୦୧୧ରେ ଆନ୍ନା ହାଜାରେଙ୍କ ଜନ ଲୋକପାଳ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦିଲ୍ଲୀରେ ୨୦୨୦ ଡିସେମ୍ବରରୁ ଲୋକାୟୁକ୍ତ ପଦବୀ ଖାଲିପଡ଼ିଛି। ୨୦୧୩ରୁ ଉତ୍ତରାଖଣ୍ଡରେ କେହି ଲୋକାୟୁକ୍ତ ନାହାନ୍ତି। ହିମାଚଳ ପ୍ରଦେଶ, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମଧ୍ୟ ଲୋକାୟୁକ୍ତ ନାହାନ୍ତି। ଝାଡ଼ଖଣ୍ଡ ଲୋକାୟୁକ୍ତ ଜଷ୍ଟିସ୍‌ ଧ୍ରୁବ ନାରାୟଣ ୨୦୨୧ ଜୁନ୍‌ରେ କୋଭିଡ୍‌ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ଓଡ଼ିଶା ଏବଂ ତାମିଲନାଡୁ ୨୦୧୯ରେ ଲୋକାୟୁକ୍ତ ନିଯୁକ୍ତ କରିଥିଲେ। ୨୦୧୪ରେ ଆନ୍ଧ୍ର ପ୍ରଦେଶରୁ ତେଲଙ୍ଗାନା ଅଲଗା ହୋଇଥିବାବେଳେ ୨୦୧୯ରେ ଦୁଇ ରାଜ୍ୟ ପାଇଁ ଭିନ୍ନ ଲୋକାୟୁକ୍ତ ପଦବୀ ସୃଷ୍ଟି କରାଗଲା। ହେଲେ ଆନ୍ଧ୍ର ସରକାର କୁର୍ନୁଲରେ ୨୦୨୧ରେ ଲୋକାୟୁକ୍ତଙ୍କ ଅଫିସ ଖୋଲିଥିଲେ। ଭାଜପା ଶାସିତ ଗୋଆ ହେଉ କି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ସବୁଠି ଲୋକାୟୁକ୍ତମାନେ ଯେପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କରିପାରିବେ ନାହିଁ ସେଭଳି ପକ୍ଷଚ୍ଛେଦନ କରାଯାଇଛି ବିଧାନସଭାରେ ଆଇନ ଆଣି ଅଥବା ଅଧ୍ୟାଦେଶ ସାହାରାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri