ମୁଖ୍ୟ ଶାସନ ସଚିବଙ୍କୁ ଲୋକାୟୁକ୍ତଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ୬୯ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଏ ସଂକ୍ରାନ୍ତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଓଡ଼ିଶା ସରକାର ଚାପି ରଖିବା ସହ ରିପୋର୍ଟ ପ୍ରଦାନରେ ଅନେକ ଶିଥିଳତା ପ୍ରଦାନ କରିଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ପିଟିଶନ ହୋଇଥିଲା। ଏହାର ଶୁଣାଣି କରି ଲୋକାୟୁକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏନେଇ ନୋଟିସ କରିବା ସହ ଆସନ୍ତା ମାର୍ଚ୍ଚ ୧୫ ପରବର୍ତ୍ତୀ ଶୁଣାଣିରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାମାଜିକ ତଥା ସୂଚନା ଅଧିକାର କର୍ମୀ ଜଟଣୀର ପ୍ରଶାନ୍ତ କୁମାର ମହାପାତ୍ର ଲୋକୟୁକ୍ତଙ୍କ ନିକଟରେ ଏହି ଅଭିଯୋଗ ଆଣିଥିଲେ। ସେ ତାଙ୍କ ପିଟିଶନରେ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ପାଇଥିବା ଏ ସଂକ୍ରାନ୍ତ ତଥ୍ୟକୁ ଉକ୍ତ ପିଟିଶନରେ ସ୍ଥାନିତ କରିଥିଲେ। ତଥ୍ୟ ଅନୁସାରେ ୨୦୧୫ରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଶତାଧିକ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲେ ମଧ୍ୟ ୬୯ଜଣଙ୍କ ବିରୋଧରେ ମାମଲା କରିବାକୁ ସରକାର ଅନୁମତି ଦେଇନାହାନ୍ତି। ଏହି ସମୟ ମଧ୍ୟରେ ଅନ୍ୟ ୨୭୭ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଛି। କିନ୍ତୁ ଉକ୍ତ ୬୯ ଜଣଙ୍କ ବିରୋଧରେ କାହିଁକି ମାମଲା ଦାଏର କରିବାକୁ ସରକାର ଅନୁମତି ଦେଇ ନ ଥିଲେ ଓ ଅନ୍ୟ କେତେକ ମାମଲାର ତଦନ୍ତ ପ୍ରକ୍ରିୟାରେ ଶିଥିଳତା ସଂକ୍ରାନ୍ତରେ ଜବାବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍‌ରେ ଉଲ୍ଲେଖ ରହିଛି।