ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡିଓ ଷ୍ଟେଶନକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ବିଧାୟକ କହିଥିଲେ ଯେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି କୁଲାଡ଼ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିବା ପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ତାହା ଆଗାମୀ ଦିନରେ ଘୋଷଣା ହେବ। ତାହାହେଲେ ଯାଇ କୁଲାଡ ଗ୍ରାମର ବିକାଶ ପାଇଁ ୧୫ କୋଟି ଟଙ୍କା ଅନୁଦାନ ଆସିବ।
ରେଡିଓ ଆଇନା ମାଧ୍ୟମରେ ଘୁମୁସର ଅଞ୍ଚଳର ସାମାଜିକ, ସାଂସ୍କୃତିକ, ଶିକ୍ଷା, କୃଷି ଓ ଲୋକଜୀବନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଶ୍ରୋତାମାନେ ଶୁଣିପାରିବେ। ଏହା ଏକ ଭଲ କାର୍ଯ୍ୟକ୍ରମ ବୋଲି ବିଧାୟକ ନାୟକ କହିଥିଲେ। ଏହି ଅବସରରେ ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ, ସିଡିପିଓ ନୀଲିମା କୁମାରୀ ପଣ୍ଡା, ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୁତନୁ କୁମାର ଶତପଥୀ, ସାମାଜିକ କର୍ମୀ ଶୁଳପାଣି ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ‘ଆଇନା’ର ସମ୍ପାଦିକା ସ୍ନେହା ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଷ୍ଟେଶନ ସଂଯୋଜିକା ପ୍ରଣତି ମିଶ୍ର ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଅତିଥିମାନେ କିଛି ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଆ ମାଟିର ସଂଗ୍ରାମୀ ବୀର ନାମକ ଏକ ପୁସ୍ତକ ଅତିଥିମାନଙ୍କ ଦାରା ଉନ୍ମୋଚିତ ହୋଇଥିଲା। ନେତାଜୀ ବିଷୋୟୀ ଏହାର ଲେଖକ ଅଟନ୍ତି।
ଏଥିସହ ରେଡିଓ ଜକି ଶୁଭସ୍ମିତା ଗୌଡ଼, ରିତେଶ ବେହେରାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ଲେଖକ ପ୍ରଶାନ୍ତ ମହାନ୍ତି, ନେତାଜୀ ବିଷୋୟୀ, ଅଜିତ୍ ଶତପଥୀ, ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଦିଲ୍ଲୀପ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।