ମଦ ଦୋକାନ ଲାଇସେନ୍ସ ଫି’ ଛାଡହେବ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଡକାଯାଇଥିବା ଟେଣ୍ଡର ଦସ୍ତାବିଜ ଓ ସର୍ତ୍ତାବଳୀରେ କେତେକ ସଂଶୋଧନ କରାଯାଇଛି। ଏହାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ ପାଇଛି। ରେଙ୍ଗାଲି ବାମପାର୍ଶ୍ୱ କେନାଲର ୧୦୦.୪୯ କିଲୋମିଟରରୁ ୧୦୭.୫୦ କିଲୋମିଟର ପାଇଁ ଡକାଯାଇଥିବା ୨୪୭.୧୪ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଓଡ଼ିଶା ଲିଗାଲ ମେଥଡ୍‌ ଅଫ୍‌ ରିକ୍ର୍ୟୁଟମେଣ୍ଟ ଆଣ୍ଡ୍‌ କଣ୍ଡିଶନ ଅଫ୍‌ ସର୍ଭିସ ରୁଲ୍‌-୨୦୧୬ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ଲାଇସେନ୍ସ ଫି’ ଛାଡ଼ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଅବକାରୀ ବିଭାଗ ଅଧୀନରେ ଥିବା ଠିପିଖୋଲା ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀମାନେ କୋଭିଡ୍‌ ମହାମାରୀ ପାଇଁ ୨୦୨୦ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ ଫି’ ଛାଡ଼ କରିବାକୁ ଅନୁରୋଧ କରିଥିଲେ। ସେହି ଅନୁସାରେ ୬୧୩ ଠିପିଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ବ୍ୟବସାୟୀଙ୍କ ବିକ୍ରି ପରିମାଣକୁ ଭିତ୍ତି କିର ୨୦୨୦ ଜୁନ୍‌ରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ ଫି’ ସ୍ତରଭିତ୍ତିକ ଛାଡ଼କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ତେବେ ପୋଚ, ଭାଙ୍ଗ, ତାଡ଼ି ଦୋକାନ ପାଇଁ କୌଣସି ରିହାତି ଦିଆଯାଇ ନାହିଁ।