ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୧୯।୮ (ଡି.ଏନ୍‌.ଏ.): କୋଭିଡ୍‌ ୨ୟ ଲହର ଯୋଗୁ ଗତ ୩ମାସରୁ ଊର୍ଦ୍ଧ୍ୱ ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଆସନ୍ତା ସେପ୍ଟେମ୍ବର ପହିଲାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲିବ। ବୁଧବାର ଅନୁଷ୍ଠିତ ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ମନ୍ଦିର ଖୋଲିବ। ଭକ୍ତମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। ଆଡ଼କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯିବ। ସ୍ଥାନୀୟ ସର୍କିଟ ହାଉସଠାରେ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ଦେବୋତ୍ତର କମିଶନର, ଶ୍ରୀଲିଙ୍ଗରାଜ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ନିଯୋଗର ସଦସ୍ୟ ଯୋଗ ଦେଇଥିଲେ। ସୋଆ ୟୁନିଭର୍ସିଟି ତରଫରୁ ନୂତନ ବିମାନ ଓ ପାଲିଙ୍କି ଏବଂ ପଣ୍ଡା ଇନ୍‌ଫ୍ରାଷ୍ଟ୍ରକ୍ଚର ତରଫରୁ ଦକ୍ଷିଣ ଘର ନୂତନ ଭାବେ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ସାମନ୍ତରାପୁର ନିକଟରେ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ଥିବା ଜମି ଓ କୁଡ଼ୁଆ ସମ୍ପତ୍ତିର ପୁନରୁଦ୍ଧାର ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।