କୁମ୍ଭୀର ମୁହଁରେ ଗଲା ନାବାଳକଙ୍କ ଜୀବନ

ଚିତ୍ରକୋଣ୍ଡା,୨୮।୬(ଡି.ଏନ୍‌.ଏ.)- କୁମ୍ଭୀର ମୁହଁରେ ଗଲା ନାବାଳକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ। ମୃତକ ହେଲେ ଉକ୍ତ ପଞ୍ଚାୟତ ଅନ୍ତର୍ଭୁକ୍ତ ଜଲାସାହିର ଅର୍ଜୁନ ମାଝୀଙ୍କର ପୁଅ କୈଳାସ(୧୦)।

ସୂଚନାନୁଯାୟୀ, ଶନିବାର ସକାଳ ୧୧ଟା ସମୟରେ ଅପରେଟ କଲୋନୀ ସ୍ଥିତ ନୀଳା ନାଳକୁ ସେ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ। ଫେରିବା ବିଳମ୍ବ ହେବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ଖୋଜିଥିଲେ ହେଁ ତାଙ୍କ ପତ୍ତା ମିଳି ନ ଥିଲା। ରବିବାର ସକାଳ ୫ଟାରୁ ନାଳ ପାର୍ଶ୍ୱରେ ପିଲାଟି କ୍ଷତବିକ୍ଷତ ଅବସ୍ଥାରେ ଭାସୁଥିବା ଦେଖିବାକୁ ମିଳିଥିଲା। ନାବାଳକଙ୍କୁ କୁମ୍ଭୀର ମାରିଥିବା ଅନୁମାନ କରାଯାଉଛି। କାରଣ କିଛି ଲୋକ ନାଳ ଭିତରେ କୁମ୍ଭୀର ବୁଲୁଥିବା ଦେଖିଥିଲେ। ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର ସଦଳବଳେ ପହଞ୍ଚିିଥିଲେ। ଏଥିସହ ଚିତ୍ରକୋଣ୍ଡା ବନାଞ୍ଚଳ ତରଫରୁ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠି ପହଞ୍ଚି ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ। ତେବେ ନାବାଳକଙ୍କୁ କୁମ୍ଭୀର ଆକ୍ରମଣ କରି ମାରିଥିବା ସେମାନେ କହିବା ପରେ ଥାନା ତରଫରୁ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଚିତ୍ରକୋଣ୍ଡାରେ ଏଭଳି ଘଟଣା ପ୍ରଥମଥର ଘଟିଥିବାରୁ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ କୁମ୍ଭୀରକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।