କରିପାରିଲେନି ଜଳାଭିଷେକ, ମନ୍ଦିରରେ ଚାଲିଗଲା ବୋଲବମ୍‌ ଭକ୍ତଙ୍କ ଜୀବନ

ଦେବଗଡ଼,୧୦ା୭(ଶଶାଙ୍କ ଶେଖର ଝାଙ୍କର): ମନ୍ଦିରରେ ଜଣେ ବୋଲ୍‌ବମ୍‌ ଭକ୍ତଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ। ମୃତକ ଜଣକ ହେଲେ ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୂତି ବେହେରା (୪୨)।

ସୂଚନାନୁଯାୟୀ, ବିଭୂତି ଢେଙ୍କାନାଳ ଜିଲା ବାଲିମୀସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିବା ବେଳେ ରବିବାର ସେ ୨ଟି ଗାଡ଼ିରେ ବାଲିମୀ ଥାନା ନୂଆ ଗ୍ରାମର ୫୦ ଜଣ(ଡ୍ରାଇଭର ୨ଜଣଙ୍କୁ ମିଶାଇ)ଯୁବକଙ୍କ ସହିତ ଜଳାଭିଷେକ ପାଇଁ ଦେବଗଡ଼ ଝାଡେଶ୍ୱର ମନ୍ଦିରକୁ ଆସିଥିଲେ। ସନ୍ଧ୍ୟାରେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ । ରାତି ପ୍ରାୟ ୧୧ଟାରେ ସେ ଖିଆପିଆ ସାରି ମନ୍ଦିର ମଣ୍ଡପରେ ଅନ୍ୟମାନଙ୍କ ସହ ଶୋଇଥିଲେ। ସୋମବାର ଭୋର୍‌ରୁ ସାଥୀମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇଥିଲେ ମଧ୍ୟ ସେ ଆଉ ଉଠି ନ ଥିଲେ। ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।