ପୁଣି ଏକ ଦନ୍ତାହାତୀର ଜୀବନ ଗଲା, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

କାମାକ୍ଷାନଗର,୧୪ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭଏରପୁର ପଞ୍ଚାୟତ ରାଙ୍କିଆ ଗ୍ରାମ କଇଁଥଗୋଡ଼ା ନିକଟରେ ଥିବା ଚାଷଜମିରୁ ଏକ ଦନ୍ତାହାତୀର ମୃତଦେହ ଜବତ ହୋଇଛି। ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀଟିର ଅନୁମାନିକ ବୟସ ପ୍ରାୟ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ହାତୀଟିର ଶୁଣ୍ଢଟି ବିଦ୍ୟୁତତାର ସହିତ ଗଭୀର ଆଘାତ ଏବଂ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି। ଚାଷଜମିରେ ବିଛା ହୋଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ହାତୀ ମୃତ୍ୟୁ ସମସ୍ତଙ୍କ ବ୍ୟଥିତ କରିଛି। ତେବେ ଗୁରୁବାର ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବା ବେଳେ ଆଜି ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି।