ବିଧାନସଭାରେ ହେବ ବିରାଟ କାଠ ତିଆରି ଅରଟ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଓ ରାଜ୍ୟର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଅରୁଣ କୁମାର ସାହୁ, ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି। ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଅବସରରେ ଏହାକୁ ସ୍ମରଣୀୟ କରିବାକୁ ସଂସ୍କୃତି ବିଭାଗ ଦ୍ବାରା କେତେକ ପ୍ରସ୍ତାବ ରଖାଯାଇଛି। ଏଥିରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦକୁ ସ୍ଥାନିତ କରିବା ସର୍ବାଗ୍ରେ ରହିଛି। ଏହାକୁ ବ୍ୟାପକ କରିବାକୁ ଜନ ସହଯୋଗ ନିଆଯିବା ନେଇ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୨୩ରେ ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ୧୦୦ ବର୍ଷ ପୂରଣ ହେଉଥିବାରୁ ସେହିଦିନଠାରୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ବିଶେଷଭାବେ ଯେଉଁସବୁ ଗ୍ରାମରେ ଗାନ୍ଧିଜୀ ପଦାର୍ପଣ କରିଥିଲେ, ସେହି ଗ୍ରାମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସବୁଠାରୁ ବଡ କଥା ହେଉଛି, ବିଧାନସଭାରେ ଏକ ବିରାଟ କାଠ ତିଆରି ଅରଟ ସ୍ଥାପନ ସହ ୫୦୦ ଫୁଟ୍‌ର ଏକ କାନ୍‌ଭାସ୍‌ରେ ଗାନ୍ଧୀ ଚିତ୍ର ପ୍ରସ୍ତୁତି ଓ ପ୍ରଦର୍ଶନ କରିବାର ପ୍ରସ୍ତାବ ରହିଛି। ରାଜ୍ୟର ବରପୁତ୍ରମାନଙ୍କ ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମଭାବେ ରୂପାନ୍ତରିତ କରିବାକୁ ପଦକ୍ଷେପ ନେବାକୁ ଆଲୋଚନା ହୋଇଛି। ସମସ୍ତ ଗାନ୍ଧୀ ସ୍ମୃତିପୀଠ, ଗାନ୍ଧୀ ପ୍ରତିମୂର୍ତ୍ତି, ଗାନ୍ଧୀ ସ୍ମାରକୀ ଇତ୍ୟାଦିର ଉପଯୁକ୍ତ ରକ୍ଷଣାବେକ୍ଷଣ, ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ। ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମରେ ମହାପୁରୁଷଙ୍କ ଲେଖା ପ୍ରସ୍ତୁତ କରି ସିଲାବସ୍‌ରେ ସ୍ଥାନିତ କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହିତ ଯୋଗସୂତ୍ର ରକ୍ଷାକରି ପଦକ୍ଷେପ ନେବା ପାଇଁ କୁହାଯାଇଛି। ସେହିପରି ରାଜ୍ୟ ସଂଗ୍ରହାଳୟ ତରଫରୁ ସଂଗ୍ରହାଳୟରେ ସ୍ବତନ୍ତ୍ର ଗାନ୍ଧୀ ଗ୍ୟାଲେରି ସ୍ଥାପନ ଓ ଗାନ୍ଧୀଙ୍କ ଓଡ଼ିଶା ଆଗମନର ପ୍ରାସଙ୍ଗିକତା ଉପରେ ଆଲୋଚନାଚକ୍ର ଆୟୋଜନ ହେବ।