ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଧାନସଭାର ସମସ୍ତ ସଦସ୍ୟଙ୍କ ଉଭୟ ଆର୍‌ଟି-ପିସିଆର୍‌ ଏବଂ ଆଣ୍ଟିବଡି ଟେଷ୍ଟ କରାଯିବ। ନଭେମ୍ବର ୨୮, ୨୯ ଏବଂ ୩୦ ତାରିଖ ପୂର୍ବାହ୍ନ ୮ଟା ୩୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା କୋଭିଡ୍‌ ପରୀକ୍ଷା କରାଯିବ। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକଙ୍କ ସମେତ ସମସ୍ତ କର୍ମଚାରୀ, ବିଧାନସଭା ସଚିବାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ବାବ୍‌ ଟେଷ୍ଟ ହେବ। ପୁନଶ୍ଚ ବିଧାନସଭା ଅଧିବେଶନ ପରେ ସମସ୍ତ ବିଧାୟକ ଏବଂ କର୍ମଚାରୀଙ୍କ ଆର୍‌ଟି-ପିସିଆର ଟେଷ୍ଟ କରାଯିବ। ବିଧାନସଭା ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥତା ଅନୁଭବ କରିବେ, ତେବେ ତାଙ୍କର ତୁରନ୍ତ ଆଣ୍ଟିଜେନ ଟେଷ୍ଟ କରାଯିବ। ବିଧାନସଭା ସଦସ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କୁ ସିଲ୍ଡ ମାସ୍କ, ଗ୍ଲୋବ୍‌ସ ଏବଂ ସାନିଟାଇଜର ୨୬ଦିନ ପାଇଁ ପ୍ରଦାନ କରାଯିବ। ବିଧାନସଭା ସମ୍ପର୍କିତ କାର୍ଯ୍ୟରେ ଆସୁଥିବା ସମସ୍ତ ସରକାରୀ ପଦାଧିକାରୀ କୋଭିଡ୍‌ ନେଗେଟିଭ ରିପୋର୍ଟ ଧରି ପ୍ରବେଶ କରିବେ। ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ କାହାରିକୁ ପ୍ରବେଶ ଅନୁମତି ମିଳିବ ନାହିଁ। ଡେଙ୍ଗୁ ମଶା ପ୍ରାଦୁର୍ଭାବ ଏଡ଼ାଇବାକୁ ସମ୍ପୂର୍ଣ୍ଣ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା, ବିଧାନସଭା ସଚିବ ଦାଶରଥି ଶତପଥୀ, ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।