ଫ୍ଲାଏ ଓଭରରେ ଫସିରହୁଛି ଗାଡ଼ି

ରାୟଗଡ଼ା,୨୩।୧୧(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରରେ ରେଳଲାଇନ ସମ୍ପ୍ରସାରଣ କାମ ଯୋଗୁ ଅଣ୍ଡରପାସ୍‌ ସବ୍‌ୱେ ରାସ୍ତା ବନ୍ଦ ଥିବାରୁ ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ. ଜାତୀୟ ରାଜପଥରେ ଥିବା ଫ୍ଲାଏଓଭର ଯାତାୟାତର ଏକମାତ୍ର ବିକଳ୍ପ ସାଜିଛି। ସହରର ଉଭୟ ପାର୍ଶ୍ୱକୁ ସଂଯୋଗ କରୁଥିବା ଫ୍ଲାଏଓଭରରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିବା ସହ ଆନ୍ଧ୍ରପ୍ରଦେଶକୁ ଭାରିଯାନଗୁଡ଼ିକ ମଧ୍ୟ ଯାତାୟାତ କରୁଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଟ୍ରାଫିକ୍‌ ସମସ୍ୟା ଯୋଗୁ ଗାଡିଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ଆମ୍ବୁଲାନ୍ସ ଓ ଦମକଳ ଭଳି ଜରୁରିକାଳୀନ ଗାଡ଼ି ମଧ୍ୟ ରାସ୍ତା ଅତିକ୍ରମ ନ କରିପାରି ଫସି ରହୁଛନ୍ତି। ତେବେ ମଙ୍ଗଳବାର ଓ ବୁଧବାର ମଧ୍ୟାହ୍ନ ୧ଟା ସମୟରେ ଫ୍ଲାଏଓଭରରେ ଏକ ବସ୍‌ ଖରାପ ହୋଇଯିବାରୁ ପ୍ରାୟ ୨ଘଣ୍ଟା ଧରି ଟ୍ରାଫିକ ଜାମ୍‌ ରହିଥିଲା। ଫ୍ଲାଏଓଭର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଛିଡା ହୋଇ ରହିଥିଲା। ଏହି ସମୟ ଭିତରେ ସ୍କୁଲ ବସ୍‌, ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା ା ଏହି ଟ୍ରାଫିକ କ୍ଲିୟର କରିବା ପାଇଁ ପୋଲିସକୁ ମଧ୍ୟ ନାକେଦମ୍‌ ହେବାକୁ ପଡ଼ିଥିଲା ା
ଥାଉକି, ରାୟଗଡ଼ାରେ ତୃତୀୟ ରେଳ ଲାଇନ୍‌ ସମ୍ପ୍ରସାରଣ ପାଇଁ ପୁରୁଣା ଓ ନୂଆ ସହର ମଧ୍ୟରେ ସଂଯୋଗ କରୁଥିବା ଅଣ୍ଡରପାସ୍‌ ସବୱେ ବନ୍ଦ ରହିଛି। ଫଳରେ ଏକମାତ୍ର ଫ୍ଲାଏଓଭରରେ ପ୍ରତିଦିନ ଶତାଧିକ ଯାନବାହନ ଯାତାୟତ କରୁଛି। ଅନ୍ୟପକ୍ଷରେ ଫ୍ଲାଏଓଭର ଅବସ୍ଥା ମଧ୍ୟ ଶୋଚନୀୟ ଥିବାରୁ କେତେବେଳେ ବଡ଼ ଧରଣର ଅଘଟଣ ଘଟିବ ସେଥିରେ କୌଣସି ସନ୍ଦେହ ନାହିଁ। ତେଣୁ ରାୟଗଡ଼ା ସହରରେ ଟ୍ରାଫିକ୍‌ ସମସ୍ୟା ସୁଧାରିବା ପାଇଁ ଜିଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ା