ମହାପ୍ରଭୁଙ୍କ ଜମି ନିଜ ନାଁରେ କରୁଛନ୍ତି ସରକାର

ପୁରୀ ଅଫିସ,୨୧।୧୨: ମଠ ସମ୍ପତ୍ତିର ମାଲିକ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ହେଲେ ଜଗନ୍ନାଥ ସମ୍ପତ୍ତିର ମାଲିକ କିଏ? ରାଜ୍ୟ ସରକାର ଜଗନ୍ନାଥ ସମ୍ପତ୍ତିକୁ ଶାଗମାଛ ଦରରେ ବିକିବା ଲୋଭରେ ନିଜ ନାମରେ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଜଗନ୍ନାଥଙ୍କ ସମସ୍ତ ଜମିକୁ ରାଜ୍ୟ ସରକାର ସୁଧ ସମେତ ଫେରାଇ ଦେବାକୁ ସେନା ଦାବି କରିଛି।
ଏଠାରେ ରବିବାର ଏକ ଖବରଦାତା ସମ୍ମିଳନୀରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ରାଜସ୍ବ, ଚକବନ୍ଦୀ ଓ ବନ୍ଦୋବସ୍ତ ରେକର୍ଡ ପ୍ରସ୍ତୁତି କାର୍ଯ୍ୟାଳୟର ବହୁ ରେକର୍ଡପତ୍ରରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ରହିଛି। ତେବେ ଏହି ସମ୍ପତ୍ତିକୁ ରାଜ୍ୟ ସରକାର ନିଜ ଅଧୀନକୁ ନେଇ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଏହାଦ୍ୱାରା ଶ୍ରୀଜଗନ୍ନାଥ ସମ୍ପତ୍ତି ଭୂଲୁଣ୍ଠିତ ହେଉଥିବାବେଳେ ଓଡ଼ିଆଙ୍କ ଅସ୍ମିତା ପ୍ରଭାବିତ ହେଉଛି। ୨୦୧୫ରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ ଯେ, ଜଗନ୍ନାଥ ସମ୍ପତ୍ତି କାହା ଅଧୀନରେ ରହିବ ନାହିଁ କିମ୍ବା ରାଜ୍ୟ ସରକାର ଏହି ସମ୍ପତ୍ତି ବାବଦକୁ ଖଜଣା ଆଦାୟ କରିବେ ନାହିଁ। ମାତ୍ର ସେହି ନିର୍ଦ୍ଦେଶନାମାର ଉଲ୍ଲଂଘନ କରାଯାଉଛି। ମାଳତୀପାଟପୁର ବସ୍‌ଷ୍ଟାଣ୍ଡର ଉଦାହରଣ ଦେଇ ପଟ୍ଟନାୟକ କହିଛନ୍ତି ଯେ, ଏହି ବସ୍‌ଷ୍ଟାଣ୍ଡ ୧୧ ଏକର ଜାଗାରେ ନିର୍ମାଣ ହୋଇଛି। ଏହାର ପ୍ରକୃତ ମୂଲ୍ୟ ପାଖାପାଖି ୪୪ କୋଟି ଟଙ୍କା ହେବ। ମାତ୍ର ଏହାକୁ ରାଜ୍ୟ ସରକାର ୨କୋଟି ଭିତରେ ବିକ୍ରି କରିଦେଇଛନ୍ତି। ସେହିଭଳି ଓପିସିଏଲର ୧୭ ଏକର ଜାଗାକୁ ୧୭ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହାକୁ ୧ କୋଟି ଟଙ୍କାରେ ବିକ୍ରି କରାଯାଇଛି। ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ଥିବା ୨୫ ଏକର ଜାଗାକୁ ଦେଢ଼ କୋଟି ଟଙ୍କାରେ ବିକ୍ରି କରିଦିଆଯାଇଛି, ଯାହାର ବିକ୍ରି ମୂଲ୍ୟ ୭୫ କୋଟି ହୋଇଥାନ୍ତା। ଜଗନ୍ନାଥ ସମ୍ପତ୍ତି ବିକ୍ରି ପାଇଁ ଦୁଇଟି ବାଟ ରହିଛି। ଏହି ସମ୍ପତ୍ତିକୁ ପ୍ରଜା କିଣିପାରିବେ କିମ୍ବା ଜମି ନିଲାମ ହୋଇ ବିକ୍ରି ହେବ। ମାତ୍ର ରାଜ୍ୟ ସରକାର ଏଭଳି ପ୍ରକ୍ରିୟାକୁ ଅନୁସରଣ ନ କରି ଜଗନ୍ନାଥ ସମ୍ପତ୍ତିକୁ ନିଜ ନାମରେ କରିଛନ୍ତି। ଯାହା ଜଗନ୍ନାଥ ଜମି ବିକ୍ରି ଆଇନକୁ ଉଲ୍ଲଂଘନ କରୁଛି। ଜଗନ୍ନାଥଙ୍କ ସମସ୍ତ ଜମିକୁ ରାଜ୍ୟ ସରକାର ସୁଧ ସମେତ ଫେରାଇ ଦିଅନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନା ଦାବି କରିଛି।