କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ, କାରଣ ଏବକାର ପରିସ୍ଥିତିରେ କୌଣସି ସରକାରୀ କଳ ଦ୍ୱାରା ସଂଗୃହୀତ ତଥ୍ୟ ଉପରେ ଭରସା କରାଯାଇପାରିବ ନାହିଁ। ତେବେ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହ୍ୟୁମାନ ଡେଭଲପ୍‌ମେଣ୍ଟ (ଆଇଏଚ୍‌ଡି) ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ ୮୩ ପ୍ରତିଶତ ନିଯୁକ୍ତିବିହୀନ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ଯୁବବର୍ଗ। ଅର୍ଥାତ୍‌ ଭାରତରେ ଯୁବ ବେକାର ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଚାଲିଛି। ଏବେ ଚକିତ କଲାଭଳି ଏକ ରିପୋର୍ଟ ‘ଓ୍ବାର୍କଇଣ୍ଡିଆ’ ପକ୍ଷରୁ ପ୍ରକାଶ ପାଇଛି। ଭାରତରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଆଶାୟୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ଘଟସୂତ୍ର ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଥିବା ଏହି ଅନ୍‌ଲାଇନ୍‌ ଜବ୍‌ ପୋର୍ଟାଲ କହିଛି ଯେ, ଦେଶରେ ବହୁ ଚାକିରି ଦଶମ ଶ୍ରେଣୀ ତଳକୁ ପଢ଼ିଥିବା ବର୍ଗକୁ ପସନ୍ଦ କରୁଛି। ଏହାର ଅର୍ଥ ବୁଝାଯିବା କଥା ନୁହେଁ ଯେ, ଦଶମ ପରେ ଅର୍ଜନ କରାଯାଇଥିବା ଡିଗ୍ରୀର ମାନେ କିଛି ନାହିଁ। କିନ୍ତୁ ଦେଶର ଶ୍ରମ ବଜାର କିଭଳି ଦିଗରେ ଗତି କରୁଛି ତାହାକୁ ଲକ୍ଷ୍ୟ କରିବା କଥା। କମ୍‌ ଶିକ୍ଷାଗତ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତି କିଭଳି ନିଯୁକ୍ତି ବଜାରରେ ଆଦର ପାଉଛନ୍ତି ତାହାର ସଂଖ୍ୟାତ୍ମକ ରିପୋର୍ଟ ଓ୍ବାର୍କଇଣ୍ଡିଆ ପ୍ରକାଶ କରିଛି। ୨୦୨୫ରେ ପ୍ରାୟ ୯.୯ ଲକ୍ଷ ନିଯୁକ୍ତିଦାତା ଓ ୧୦ କୋଟିରୁ ଅଧିକ କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ଉପରେ ଆଧାରିତ ରିପୋର୍ଟରେ କୁହାଯାଇଛି ଯେ, ଚାକିରି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦଶମ ଶ୍ରେଣୀ ତଳେ ରହିଥିବା ବର୍ଗଙ୍କ ସବୁଠାରୁ ଅଧିକ ଚାହିଦା ଥିବା ଯୋଗ୍ୟତା ପାଲଟିଯାଇଛି। ଅନ୍ୟପକ୍ଷରେ କର୍ମଚାରୀ ଓ ମାନବ ସମ୍ବଳ ଦିଗରେ କାର୍ଯ୍ୟରତ ‘ଟିମ୍‌ଲିଜ୍‌’ର ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ୭୫ ପ୍ରତିଶତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବେବି ଶିଳ୍ପ ଆବଶ୍ୟକତା ସହ ଅସଙ୍ଗତ ରହିଛନ୍ତି। ଚାକିରି ଓ ଶିକ୍ଷା ବର୍ତ୍ତମାନ ଭିନ୍ନ ପଥରେ ଯାଉଛନ୍ତି, ଯାହା ପୂର୍ବରୁ ହାତେହାତେ ଚାଲୁଥିଲା।
ଉପରଲିଖିତ ରିପୋର୍ଟ ଦେଖିଲେ ଭାରତରେ ନିଯୁକ୍ତିର ବିଷମ ଦିଗସବୁ ପଦାକୁ ଆସୁଛି। ଏଥିପାଇଁ ଦେଶର ଶିକ୍ଷା ଓ ନିଯୁକ୍ତିଭିତ୍ତିକ ନୀତି ବା ଯୋଜନାକୁ ଇଙ୍ଗିତ କରାଯାଇପାରେ। ଭାରତ ବିକଶିତ ରାଷ୍ଟ୍ର ହେବା ପାଇଁ ସ୍ବପ୍ନ ଦେଖିବା ସ୍ବାଗତଯୋଗ୍ୟ। ୫ ଟ୍ରିଲିୟନ ଅର୍ଥନୀତି ପାଇଁ ଆକାଂକ୍ଷା ରଖିବା ଉତ୍ସାହଜନକ। କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏଥିପାଇଁ ଦେଶର ଯୁବଶକ୍ତିକୁ କେତେ ପରିମାଣରେ ପ୍ରସ୍ତୁତ କରାଯାଉଛି। ଗତ ଦଶନ୍ଧି ହେବ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରାଯାଉଥିବା ଜୋରଦାର କୁହାଯାଉଛି। ବାସ୍ତବରେ ଦେଖିଲେ କମ୍‌ ପାଠ ପଢ଼ି କୁଶଳୀ ହେଉଥିବା ବର୍ଗଙ୍କୁ ବିଶେଷ ଅଗ୍ରାଧିକାର ଦିଆଯାଉଛି। କାରଣ ଭାରତରେ ଶିକ୍ଷାଲାଭ କରିଥିବା ଯୁବକ ଯଦି ନିଜକୁ ଉଚ୍ଚଶିକ୍ଷିତ ମନେକରନ୍ତି, ତେବେ ସେମାନେ ନିଜ ହାତରେ କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ। ସମସ୍ତଙ୍କୁ ଟେବୁଲରେ ବସା ଚାକିରି ଆବଶ୍ୟକ, ଯେଉଁଥିରେ ମାସ ଶେଷରେ ଦରମା ସୁନିଶ୍ଚିତ ଥିବ। ଯଦି ଦରମା ସହିତ ଉପୁରି ମିଳିପାରିଲା ତେବେ ତାହା ଆକର୍ଷଣୀୟ ଚାକିରି, ଯାହାକୁ ହାସଲ କରିବା ପାଇଁ ଆଶାୟୀ ସମ୍ପତ୍ତି ବିକ୍ରିକରି ଘୁସ୍‌ ଦେବାପାଇଁ ପ୍ରସ୍ତୁତ ହୋଇଯାଆନ୍ତି। କାର୍ଯ୍ୟରେ ସମୟ ଏବଂ ଗୁଣବତ୍ତାକୁ ଆଖିରେ ରଖିବାର ଚରିତ୍ର ଆମେ ଭାରତୀୟମାନେ ଶିଖିବାକୁ ନାରାଜ। ସମୟ ଥିଲା ଭାରତରୁ ଅନେକ ପୂର୍ଣ୍ଣାଙ୍ଗ ଉତ୍ପାଦ ବିଦେଶକୁ ରପ୍ତାନି ହେଉଥିଲା। ଗତ ଦଶନ୍ଧିର ରେକର୍ଡ ଦେଖିଲେ ମନେହେଉଛି ଏହି ଦେଶରୁ କେବଳ କଞ୍ଚାମାଲ ବିଦେଶକୁ ରପ୍ତାନି ହେଉଛି। ଭାରତୀୟ ଯୁବକ ବାସ୍ତବରେ କାର୍ଯ୍ୟ ନୁହେଁ, ଚାକିରି ଖୋଜିଥାନ୍ତି। ଏହି ଦୁଇଟି ଶବ୍ଦ ମଧ୍ୟରେ ଅନେକ ଅନ୍ତର ରହିଛି। କାର୍ଯ୍ୟଦକ୍ଷତାର ଘୋର ଅଭାବ ଯୋଗୁ ଭାରତର ଯୁବପିଢ଼ି ନିଯୁକ୍ତିଯୋଗ୍ୟ ହୋଇପାରୁ ନାହାନ୍ତି। ଦଶମ ଶ୍ରେଣୀରୁ ନିମ୍ନ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ମିଳୁଥିବାର ଅର୍ଥ ହେଉଛି କୁଲି, ମୂଲିଆ ଓ କ୍ଲିନର ଚାକିରି। ଖୁବ୍‌ଶୀଘ୍ର ଏହି ଦେଶ ଅଳ୍ପ କେତେକ ପୁଞ୍ଜିପତିଙ୍କ ଦ୍ୱାରା ଶାସିତ ହେବ, ଯେଉଁଥିରେ ସାଧାରଣ ଯୁବତୀଯୁବକ କେବଳ ସେହି ଛୋଟକାଟିଆ କାମରେ ନିଯୁକ୍ତ ହେଉଥିବେ।

 

Dharitri – The Largest & Most Trusted Odia Daily

Share
Tags: Coolielabour