ସ୍ବପ୍ନ ହୋଇ ରହିଗଲା କୋଇଡା ବାଇପାସ୍‌ ରାସ୍ତା

ଟେନ୍‌ସା,୫।୧୦(ସମୀର କୁମାର ପାଢୀ): କୋଇଡା ଖଣି ଅଞ୍ଚଳରୁ ଦୈନନ୍ଦିନ ରପ୍ତାନି ହେଉଥିବା ଲକ୍ଷ ଲକ୍ଷ ଟନ ଲୁହାପଥର ପରିବହନ ଯୋଗୁ ଏଠାକାର ଗ୍ରାମ ରାସ୍ତାଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଅହରହ ବ୍ୟସ୍ତ ରହିବା ସହ ଧୂଳିଧୂଆଁରେ ଆଚ୍ଛାଦିତ ରହୁଛି। ଏଥିସହ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅନେକ ସମୟରେ ଦୁର୍ଘଟଣାରେ ଜୀବନ ହାନୀ ମଧ୍ୟ ହୋଇଚାଲିଛି। ସ୍ଥିତି ସଂକଟାପନ୍ନ ହେବାରୁ ତତ୍କାଳୀନ ବଣାଇଁ ଉପଜିଲାପାଳ ସୁରେନ୍ଦ୍ର କୁମାର ମୀନା ଏହାକୁ କିଛି ମାତ୍ରାରେ ରୋକୋ ଦେବା ଓ ଖଣି ଗାଡି ପାଇଁ ମାଇନିଂ କରିଡର (ବାଇପାସ ରାସ୍ତାର) ନିର୍ମାଣ ପାଇଁ ସ୍ଥିର କଲେ। କୋଇଡା ସହରକୁ ବାଇପାସ କରି ଯଥା ସମ୍ଭବ ସମସ୍ତ ଖଣି ପରିବହନ ପାଇଁ ଅଲଗା ବାଟ ଦେଇ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥକୁ ସଂଯୋଗ କରିବ। ଏ ନେଇ ଜମି ଚିହ୍ନଟ ହୋଇ ନକ୍ସା ତିଆରି କରାଗଲା। ବାଇପାସ ହେବା ନେଇ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଗଲା। କିନ୍ତୁ ଉପଜିଲାପାଳଙ୍କ ବଦଳି ପରେ ସେ ପ୍ରକଳ୍ପ ବିରାମ ନେଇଗଲା। ୨୦୧୮-୧୯ରେ ସୁରେନ୍ଦ୍ର କୁମାର ମୀନା ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲାପରେ ବାଇପାସକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ୮ କିଲୋମିଟର ରାସ୍ତା ପାଇଁ ୪୦ କୋଟି ଟଙ୍କା ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ କଲେ। ଟେଣ୍ଡର ହୋଇ ଆଶୀର୍ବାଦ କନ୍ସଟ୍ରକ୍ସନ କମ୍ପାନୀ କାମ ପାଇ ୨୦୧୯ରେ ପୂର୍ତ୍ତ ବିଭାଗ ସହ ଚୁକ୍ତିନାମା କରି କାର୍ଯ୍ୟ ଶେଷ ଅବଧି ୨୦୨୧ ଧାର୍ଯ୍ୟ ରଖାଗଲା। ହେଲେ କିଛି ଭାଗରେ ରାସ୍ତା ଓସାର ବଢିବାରୁ ତତ୍କାଳୀନ ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କ ଦ୍ୱାରା ଅତିରିକ୍ତ ୧୮ କୋଟି ପ୍ରଦାନ କରାଗଲା। ତଥାପି ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ନ ହେବାରୁ ପୁଣି ୨୦୨୨ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଗଲା। ସୂଚନାଅନୁଯାୟୀ, ଗତ ଫେବୃଆରୀ ମାସରୁ ଏହି ବାଇପାସ ରାସ୍ତା ନିର୍ମାଣ ଶେଷ ହେଲାଣି । କିନ୍ତୁ ଆଜି ଯାଏଁ ରାସ୍ତାକୁ ଅବରୋଧ କରି ରଖାଯାଇଛି। ଏମିତିକି ରାସ୍ତା କଡରେ ଲଗା ଯାଇଥିବା ଲୁହା ବ୍ୟାରିକେଡ ଦୈନନ୍ଦିନ ଚୋରି ହେଉଛି। ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟିବାକୁ ସାଧାରଣରେ ଦାବି ହେଉଛି।