ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ କଥନ ଅଛି, ଯେମିତି ରାଜା ସେମିତି ପ୍ରଜା। ଅତୀତର ରାଜତନ୍ତ୍ର ହଟି ଏବେ ଗଣତନ୍ତ୍ର ଆସିଛି। ଏବେ ବଡ଼ ନେତାମାନେ ଯେଉଁମାନେ ଉଚ୍ଚ ସାମ୍ବିଧାନିକ ପଦପଦବୀରେ ଅଛନ୍ତି ସେମାନେ ରାଜାର ସ୍ଥାନ ନେଇଛନ୍ତି। ରାଜତନ୍ତ୍ରରେ ଜନସାଧାରଣ ଯେଉଁପରି ରାଜାଙ୍କୁ ଆଦର୍ଶ ବୋଲି ଭାବୁଥିଲେ, ଗଣତନ୍ତ୍ରରେ ଲୋକମାନେ ନେତାଙ୍କୁ ଆଦର୍ଶ ବୋଲି ଭାବନ୍ତି। ରାଜା ଭଲହେଲେ ପ୍ରଜାମାନେ ଭଲ ହେଉଥିଲେ ଓ ରାଜା ଖରାପ ହେଲେ ପ୍ରଜାମାନେ ମଧ୍ୟ ଖରାପ ହେଉଥିଲେ। ଏହାର କାରଣ ହେଉଛି ଜଣେ ଖରାପ ରାଜାର ଶାସନ ବ୍ୟବସ୍ଥା ତଦନୁଯାୟୀ ଖରାପ ହେଉଥିଲା। ଶାସନ ବ୍ୟବସ୍ଥା ଖରାପ ହେଲେ ପ୍ରଜାମାନେ ମଧ୍ୟ ସେହି ଢାଞ୍ଚାରେ ନିଜକୁ ପକାଉ ଥିଲେ। ଅନ୍ୟପକ୍ଷରେ ରାଜା ଭଲ ହେଲେ ଶାସନ ବ୍ୟବସ୍ଥା ଭଲ ହେଉଥିଲା ଓ ପ୍ରଜାମାନେ ମଧ୍ୟ ଭଲ ହେଉଥିଲେ। ତେଣୁ କୁହାଯାଉଥିଲା ରାଜା ଗୁଣେ ପ୍ରଜା। ମୂଳ ଯେମିତି ହେବ ଶାଖା ପ୍ରଶାଖା ସେମିତି ହେବ।
ଗଣତନ୍ତ୍ରରେ ଜଣେ ମିଛୁଆ ଉଚ୍ଚ ଆସନରେ ବସିଲେ ନାଗରିକମାନେ ମଧ୍ୟ ମିଛର ଆଶ୍ରୟ ନିଅନ୍ତି। ଜଣେ ଭ୍ରଷ୍ଟାଚାରୀ ଉଚ୍ଚ ଆସନରେ ବସିଲେ ଭ୍ରଷ୍ଟାଚାର ଶାସନ ବ୍ୟବସ୍ଥାର ଅନ୍ତର୍ଗତ ହୋଇଯାଏ। ପ୍ରତ୍ୟେକ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ବ୍ୟାପିଯାଏ। ସାଧାରଣ ଜନତା ଏଥିରେ ଅଭ୍ୟସ୍ତ ହୋଇଯାଆନ୍ତି। କ୍ରମେ ଏହା ସାମାଜିକ ବ୍ୟବସ୍ଥାର ଅଙ୍ଗ ହୋଇଯାଏ। ଅନ୍ୟ ପକ୍ଷରେ ଜଣେ ସଚ୍ଚୋଟ ଲୋକ ଉଚ୍ଚ ଆସନରେ ବସିଲେ ଦେଶରେ ସଚ୍ଚୋଟତା ବ୍ୟାପେ। ଭ୍ରଷ୍ଟାଚାରକୁ ବିରୋଧ କରୁଥିବା ଜଣେ ଲୋକ ଏପରି ଆସନରେ ବସିଲେ ଭ୍ରଷ୍ଟାଚାର ହ୍ରାସ ପାଏ। ପ୍ରଶାସନ ମଧ୍ୟ ଭ୍ରଷ୍ଟାଚାର ମୁକ୍ତ ହୁଏ। ଫଳରେ ପ୍ରତ୍ୟେକ ବ୍ୟବସ୍ଥା ମଧ୍ୟରେ ସଚ୍ଚୋଟତା ଦେଖାଦିଏ। ସେହି ମର୍ମରେ କୁହାଯାଇପାରେ ନେତା ସାଧୁ ହେଲେ ଜନତା ସାଧୁ ହେବେ। ନେତା ଯେଉଁ ଗୁଣର ହେବେ ଜନତା ନିଜକୁ ସେହି ଢାଞ୍ଚାରେ ପକାଇବାକୁ ଚେଷ୍ଟା କରିବେ। କାରଣ ଏ କଥା ସମସ୍ତଙ୍କୁ ଜଣା ଯେ ପରିବ୍ୟାପ୍ତ ଭ୍ରଷ୍ଟ ବ୍ୟବସ୍ଥା ମଧ୍ୟରେ ସାଧୁ ଲୋକଟେ ତିଷ୍ଠିରହିବା କଷ୍ଟକର ବ୍ୟାପାର। ତାକୁ ତଳି ତଳାନ୍ତ ହେବାକୁ ପଡେ। ତେଣୁ ସେ ଅବସ୍ଥା ସହିତ ବୁଝାମଣା କରିନିଏ।
ପୂର୍ବେ ରାଜତନ୍ତ୍ର କାଳରେ ରାଜପୁତ୍ରମାନଙ୍କୁ ଶ୍ରେଷ୍ଠଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଥିଲା। ସାମରିକ ଶିକ୍ଷା ସହିତ ଦର୍ଶନ, ନୈତିକତା, କଳା ଓ ସ୍ଥାପତ୍ୟ ଉପରେ ତାଙ୍କୁ ଯଥେଷ୍ଟ ଜ୍ଞାନ ପ୍ରଦାନ କରାଯାଉଥିଲା। ଉଦ୍ଦେଶ୍ୟ ଥିଲା ତାଙ୍କୁ ଜଣେ ଜଣେ ସୁଶାସକ ବନାଇବା। ତାଙ୍କ ମଧ୍ୟରେ ସତ୍ୟ, ନ୍ୟାୟ ଓ ଭ୍ରାତୃଭାବର ଭାବନାକୁ ଅଙ୍କୁରିତ କରିବାପାଇଁ ଚେଷ୍ଟା କରା ହେଉଥିଲା। ଜ୍ଞାନୀ ରାଜାମାନେ ସର୍ବଦା ଚେଷ୍ଟା କରୁଥିଲେ ପ୍ରଜାମାନେ କିପରି ସୁଖମୟ ଜୀବନ ଯାପନ କରିବେ। ସେମାନେ ଚେଷ୍ଟା କରୁଥିଲେ ଉଚିତ ନ୍ୟାୟ ପ୍ରଦାନ ପାଇଁ। ଏହା ଭିନ୍ନକଥା ଥିଲା ଯେ ରାଜାମାନେ ଯୁଦ୍ଧ କରୁଥିଲେ। ଅନେକ ସମୟରେ ସେମାନେ ଏଥିପାଇଁ ବାଧ୍ୟ ହେଉଥିଲେ। ରାଜ୍ୟ ବିସ୍ତାର ରାଜତନ୍ତ୍ରର ଅଂଶବିଶେଷ ଥିଲା। ଦେଖିବାକୁ ଗଲେ ରାଜତନ୍ତ୍ର କାଳରେ ରାଜା ଯଦି ଜ୍ଞାନୀ, ସାଧୁ ଓ ନ୍ୟାୟବନ୍ତ ହେଉଥିଲେ, ତେବେ ସାମାଜିକ ଜୀବନ ଶୃଙ୍ଖଳିତ ହେଉଥିଲା ଏବଂ ସାଧୁତା ଓ ନ୍ୟାୟ ସମାଜରେ ପରିବ୍ୟାପ୍ତ ହେଉଥିଲା।
ନିଶ୍ଚିତରୂପେ ଗଣତନ୍ତ୍ର ଶ୍ରେଷ୍ଠ ଶାସନ ବ୍ୟବସ୍ଥା। ହେଲେ ଏହା ଠିକ୍ଭାବେ ନିୟନ୍ତ୍ରିତ ନ ହେଲେ ଏହାର ନାକାରାତ୍ମକ ଦିଗଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରେ। ଏହି ଶାସନ ବ୍ୟବସ୍ଥା ଜନସାଧାରଣଙ୍କ ମତ ଅନୁସାରେ ଗଠିତ ହୁଏ। ଯେଉଁମାନେ ଲୋକପ୍ରତିନିଧି ହେବେ ସେମାନେ ସଚ୍ଚୋଟ, ସାଧୁ ଓ ବିଜ୍ଞ ବ୍ୟକ୍ତି ହେବା ଆବଶ୍ୟକ। ଏହି ପ୍ରକାର ଲୋକଙ୍କୁ ସାଧାରଣ ଜନତା ବାଛିବା ଜରୁରୀ। ଭ୍ରଷ୍ଟାଚାରୀ, ମୂର୍ଖ ଓ ଅସାଧୁମାନେ ନିର୍ବାଚିତ ହୋଇଆସିଲେ ଗଣତନ୍ତ୍ର ଦିଗହରା ହୋଇଯାଏ। ଜଣେ ମୂର୍ଖ କାହୁଁ ବୁଝିବ ଶିକ୍ଷାର ମୂଲ୍ୟ। ତେଣୁ ସେ ଚାହିଁବ ଶିକ୍ଷା ବ୍ୟବସ୍ଥା ଧଂସ ହେଉ ଓ ଲୋକମାନେ ତାଙ୍କପରି ମୂର୍ଖ ରହନ୍ତୁ। ଏମାନେ ଧର୍ମ, ଜାତି ଓ ଅଞ୍ଚଳ ନାମରେ ସମାଜକୁ ଭାଗଭାଗ କରନ୍ତି। ଜାତୀୟ ଐକ୍ୟକୁ ନଷ୍ଟ କରନ୍ତି। ଭୋଟପାଇଁ ଏମାନେ ସବୁ କରିପାରନ୍ତି। ଜଣେ ଭ୍ରଷ୍ଟାଚାରୀ ଲୋକପ୍ରତିନିଧି ଚାହିଁବ ଅଧିକରୁ ଅଧିକ କେତେ ଅର୍ଥକୁ ଆତ୍ମସାତ୍ କରାଯାଇପାରେ। ଲୋକମାନଙ୍କୁ କେତେ ଶୋଷଣ କରାଯାଇ ପାରେ। ବେଳେବେଳେ ଦଳେ ଲାଭଖୋରୀ ପୁଞ୍ଜିପତି ବୋଲକରା ଭ୍ରଷ୍ଟାଚାରୀକୁ ଉଚ୍ଚ ଆସନରେ ବସାଇବା ପାଇଁ ବିପୁଳ ଅର୍ଥ ଖଟାନ୍ତି ଏବଂ ଜିତିଗଲା ପରେ ଇଚ୍ଛା ମୁତାବକ ଲକ୍ଷ ଲକ୍ଷ କୋଟି ଟଙ୍କା ସରକାରଙ୍କଠାରୁ ବିଭିନ୍ନ ଆଳରେ ମାରି ନିଅନ୍ତି। ରାଜନୀତି ବି ତାଙ୍କ ପାଇଁ ବେପାରରେ ପରିଣତ ହୁଏ।
ବଡନେତା ଭ୍ରଷ୍ଟାଚାରୀ ଓ ଅବିବେକୀ ହେଲେ ଛୋଟ ନେତାମାନେ ବାଦ ପଡ଼ିବେ କାହିଁକି। ସେମାନେ ବି ସମାନ ଢାଞ୍ଚାରେ ପଡ଼ନ୍ତି। ରାଜନୈତିକ ବ୍ୟବସ୍ଥା ଯେତେବେଳେ କଳୁଷିତ ହୋଇଯାଏ, ପ୍ରଶାସନିକ ବ୍ୟବସ୍ଥା ମଧ୍ୟ କଳୁଷିତ ହୋଇଯାଏ। ଶାସକ ଓ ପ୍ରଶାସକ ମଧ୍ୟରେ ବୁଝାମଣା ହୋଇଯାଏ ଅର୍ଥ ଆତ୍ମସାତ୍ କରିବାର। ଫଳରେ ନାନା ଅନିୟମିତତା ଦେଖାଦିଏ। ପ୍ରିୟାପ୍ରୀତି ତୋଷଣ ବଢ଼େ। ଗୁଣ୍ଡା, ବଳାତ୍କାରୀ, ମାଫିଆ, କଳାବଜାରକାରୀ ପ୍ରଭୃତି ଲୋକମାନେ କ୍ଷମତା ବଳୟକୁ ପଶିଆସନ୍ତି। କ୍ରମେ ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସ ପାଇବାରେ ଲାଗେ। ଗଣତନ୍ତ୍ରର ସମସ୍ତ ସ୍ତମ୍ଭକୁ ଭ୍ରଷ୍ଟ ଲୋକମାନେ କବଳିତ କରିନିଅନ୍ତି ଓ ନିଜ ଇଚ୍ଛାରେ ଶାସନ ଚଳାନ୍ତି। ଗଣତନ୍ତ୍ର ଧଂସାଭିମୁଖୀ ହୁଏ। ଚାରିଆଡ଼େ ଅରାଜକତା ଦେଖାଦିଏ। ଭ୍ରଷ୍ଟାଚାରୀମାନେ ଜାଣିଜାଣି ଅରାଜକତା ସୃଷ୍ଟି କରନ୍ତି। ଫଳରେ ତାଙ୍କୁ ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବାକୁ ସହଜ ହୁଏ। ଦେଶକୁ ଲୁଟିବାକୁ ମଧ୍ୟ ସହଜ ହୋଇଯାଏ।
ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉଚ୍ଚ ସୋପାନକୁ ନେଇଯିବାକୁ ହେଲେ ଜନସଚେତନତା ବଢ଼ାଇବାକୁ ହେବ। ସମସ୍ତଙ୍କୁ ସତର୍କ ରହିବାକୁ ହେବ ଯେଉଁପରି ଭ୍ରଷ୍ଟାଚାରୀ, ଅସାଧୁ ଓ ନିମ୍ନ ବିଚାରଧାରାର ଲୋକମାନେ ସାମ୍ବିଧାନିକ ପଦପଦବୀକୁ ନ ଯାନ୍ତି। ଅନ୍ୟଥା ଏମାନେ ସାଧାରଣ ଜନତାଙ୍କ ଆଦର୍ଶ ବନିଯିବେ ଓ ସାଧାରଣ ଜନତା ମଧ୍ୟ ଏମାନଙ୍କୁ ଆଦର୍ଶ ଭାବି ଅନୁସରଣ କରିବା ଆରମ୍ଭ କରିବେ। ରାଜାଙ୍କ ଗୁଣେ ପ୍ରଜା ହେଲାପରି ଏହି ନେତାଙ୍କ ଗୁଣେ ପ୍ରଜା ବନିଯିବେ। ଆମ ଦେଶର ରାଜନୈତିକ ବ୍ୟବସ୍ଥା ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିଛି। ମଦ, ମାଂସ, ଟଙ୍କା ବାଣ୍ଟି ଗଣତାନ୍ତ୍ରିକ ବିଚାରଧାରାକୁ ନଷ୍ଟ କରିଦେଇଛନ୍ତି। ଜନସାଧାରଣ ମଧ୍ୟ ପ୍ରଲୋଭନର ଶିକାର ହେଉଛନ୍ତି। ଭଲମନ୍ଦ ବିଚାର କରାଯାଉ ନାହିଁ। କିଏ କେତେଦେବ ତାହା ଭୋଟ ଦେବାର ମାନଦଣ୍ଡ ହୋଇଯାଇଛି। ଫଳରେ ଅର୍ଥବଳୀ ଓ ବାହୁବଳୀମାନେ କ୍ଷମତା ଦଖଲକରି ନେଇଛନ୍ତି। ଗଣତନ୍ତ୍ର, ଧନତନ୍ତ୍ର ଓ ବଳତନ୍ତ୍ରରେ ପରିଣତ ହୋଇଛି। ରାଜନୈତିକ ଆଦର୍ଶ ଲୋପ ପାଇ ଯାଇଛି।
ଦେଶବାସୀଙ୍କୁ ପୁଣି ବୌଦ୍ଧିକ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିବ। ଆଦର୍ଶ ଉପରେ ପ୍ରତିଷ୍ଠିତ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ। ସଚ୍ଚୋଟ, ଆଦର୍ଶବାଦୀ, ବିଜ୍ଞ ଓ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ଶାସକର ଆସନରେ ବସାଇବାକୁ ହେବ। ଯେଉଁମାନେ କି ସାଧାରଣ ଜନତାଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ତଥା ଅନୁକରଣୀୟ ବ୍ୟକ୍ତିତ୍ୱ ମଧ୍ୟ ହେବେ। ଫଳରେ ‘ରାଜା ଗୁଣେ ପ୍ରଜା’ ଉକ୍ତିର ଯଥାର୍ଥତା ପ୍ରତିପାଦନ ହେବ। ସ୍ବଚ୍ଛ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠିତ ହେବ। ଆଦର୍ଶବାଦୀ ନେତୃତ୍ୱ ଦେଶପାଇଁ ମଙ୍ଗଳଦାୟକ ହେବ।
ଅଖିଳ ତରାଇ
ଅଧ୍ୟାପକ ଗୋପବନ୍ଧୁ
ଦର୍ଶନ ବିଭାଗ(ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ,
ମୋ: ୭୦୦୮୯୭୬୧୮୦
Dharitri – Odisha’s No.1 Odia Daily

