ଭାଜପା ନେତାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ କଣ୍ଟାମାଳ ବିଧାୟକ

ବୌଦ୍ଧ,୩୦।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ତଥା କଣ୍ଟାମାଳ ବ୍ଲକର ସିଆଲଝୁଲି ଗ୍ରାମର ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣା ନେଇ ରାଜନୀତି ଜୋର ଧରିଛି। ମଙ୍ଗଳବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଣ୍ଟାମାଳ ଗସ୍ତ କରି ଏହି ହାତ୍ୟାକାଣ୍ଡରେ କଣ୍ଟାମାଳ ବିଧାୟକଙ୍କ ପୁଅ ଓ ସ୍ଥାନୀୟ ସରପଞ୍ଚଙ୍କ ସଂପୃକ୍ତି ଥିବା ନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ବୁଧବାର ସନ୍ଧ୍ୟାରେ କଣ୍ଟାମାଳ ବିଧାୟକ ମହୀଧର ରଣା ବୌଦ୍ଧ ସର୍କିଟ ହାଉସଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ବିଧାୟକ ରଣା କହିଥିଲେ ଯେ, ଏହି ହତ୍ୟାକାଣ୍ଡ ପାଇଁ ସେ ମର୍ମାହତ। ତେବେ ହତ୍ୟାର ଶିକାର ହୋଇଥିବା ଲୋକନାଥଙ୍କ ପରିବାର ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହି ଘଟଣାରେ ତାଙ୍କ ପୁଅ, ସ୍ଥାନୀୟ ସରପଞ୍ଚ କିମ୍ବା ବିଜେଡିର କେହି ଜଡିତ ନାହାନ୍ତି। ଅଯଥାରେ ଭାଜପା ହୀନ ରାଜନୀତି କରୁଛି। ଭାଜପା ରାଜନୀତି କରିବାକୁ ଏପରି ମିଛ ଆରୋପ କରୁଥିବା ବିଧାୟକ ରଣା କହିଥିଲେ। ଯଦି ଏହି ହତ୍ୟାକାଣ୍ଡରେ ତାଙ୍କ ପରିବାରର କେହି ସଂପୃକ୍ତ ଥିବା ପ୍ରମାଣିତ ହୁଏ, ତେବେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ। ଏଥିସହ ପୋଲିସ ଠିକ୍‌ ଭାବରେ ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଧରି ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ରାତିରେ ଦୁର୍ବୃତ୍ତମାନେ ଲୋକନାଥଙ୍କୁ ଡାକି ନେଇ ହତ୍ୟା କରିଥିଲେ। ପୋଲିସ ମଙ୍ଗଳବାର ଏହି ଘଟଣାରେ ଲିଙ୍ଗରାଜ ବଗର୍ତ୍ତି, ଜ୍ୟୋତିର୍ମୟ ଦଲାଇ ଓ ସତ୍ୟନାରାୟଣ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।