କମରେଇ ଜଙ୍ଗଲ ଜଳୁଛି

ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉ ନ ଥିବା ଯୋଗୁ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି। ଗ୍ରାମବାସୀ କହିଛନ୍ତି, ଏହି ଜଙ୍ଗଲରେ ବହୁ ମହୁଲ ଗଛ ରହିଛି। ଏବେ ମହୁଲ ଫୁଲ ପଡୁଥିବା ଯୋଗୁ ଗାଈଚରାଳିମାନେ ତାହା ସଂଗ୍ରହ କରିବାକୁ ଶୁଖିଲା ପତ୍ରଗୁଡିକରେ ନିଆଁ ଲଗାଇଦେଉଛନ୍ତି। ନିଆଁ ଯୋଗୁ ଜଙ୍ଗଲ ଜଳିବା ସହ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି। ଏବେ ଜଙ୍ଗଲ ଜଳୁଥିବାରୁ କମରେଇ, ପାଗବନ୍ଧା, ରାଣୀଭୂଇଁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ନିଆଁ ଆୟତ୍ତ କରିବା ପାଇଁ ଗ୍ରାମବାସୀ ହଣ୍ଡପା ରେଞ୍ଜ କାର୍ଯାଳୟଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ଜଙ୍ଗଲ ନିଆଁକୁ ଆୟତ୍ତ କରା ନ ଗଲେ ଆଗାମୀ ଦିନରେ ଜଙ୍ଗଲ ଧ୍ବଂସ ହୋଇଯିବ ବୋଲି ଗ୍ରାମବାସୀ କହିଛନ୍ତି। ଏ ନେଇ ହଣ୍ଡପା ରେଞ୍ଜର ସରୋଜ କୁମାର ଦାସ କହିଛନ୍ତି, ନିଆଁ ଆୟତ୍ତ କରିବା ପାଇଁ ବନ ବିଭାଗ ପକ୍ଷରୁ ତୁରନ୍ତ ପଦେକ୍ଷେପ ନିଆଯିବ।