ପରାଜିତ ମୃତ୍ୟୁର ଆନନ୍ଦ

ମୃତ୍ୟୁ ତ ଚିରକାଳ ବିଜୟୀ। ମୃତ୍ୟୁ ଉପରେ ବିଜୟ ଲାଭ କରିବାର ଦୃଷ୍ଟାନ୍ତ କେବଳ ବିରଳ ନୁହେଁ, ଅସମ୍ଭବ ମଧ୍ୟ। ମୃତ୍ୟୁ ଆସେ ସମ୍ପୂର୍ଣ୍ଣ ଅଯାଚିତ, ଅପ୍ରତ୍ୟାଶିତ ଭାବେ। ସେ କଅଁଳ କଳିକାଟିଏ ହେଉ କି ପରିଣତ ବୟସ୍କ ବୃଦ୍ଧ, ରୋଗୀ ହେଉ କି ନୀରୋଗ ବା ଧନୀ ହେଉ କି କାଙ୍ଗାଳ, ମରଣ କାହାକୁ ବି ଛାଡ଼େନା। ଭଥରେ କାଳ ପୂରିଗଲେ ପ୍ରାଣୀର ଯାତ୍ରା ସରିଯାଏ, ମୃତ୍ୟୁର ହାତଧରି ସେ ଫେରିଯାଏ ପରଲୋକକୁ। ପଛରେ ପଡ଼ିରହେ ତା’ ମଧୁର ସ୍ମୃତି ଦେହରେ ମୁଣ୍ଡ କୋଡ଼ି କାନ୍ଦୁଥିବା ତା’ ପ୍ରିୟଜନମାନଙ୍କ କାରୁଣ୍ୟର କୋଳାହଳ।
ଦିନ କେଇଟା ପୂର୍ବରୁ ମୃତ୍ୟୁର ଆଉ ଏକ ବିଜୟ ଯାତ୍ରା ସଂଘଟିତ ହେବାକୁ ସ୍ଥିତି ସବୁଦୃଷ୍ଟିରୁ ଅନୁକୂଳ ଥିଲେ ହେଁ ସେ କିନ୍ତୁ ଫେରିଗଲା ଖାଲି ହାତରେ, ପରାଜିତ ହୋଇ; ଅଶୀଫୁଟ ଗଭୀର ମୃତ୍ୟୁ ଗହ୍ବର ମଧ୍ୟରେ ଦୀର୍ଘ ଶହେ ଛଅ ଘଣ୍ଟା ଧରି ପଡ଼ି ରହିଥିବା ଦଶବର୍ଷର ରାହୁଲକୁ ସାଙ୍ଗରେ ନେଇ ନ ପାରି। ଏହି ବିରଳ ଚମତ୍କାରିତାକୁ କୌଣସି ଜ୍ଞାନ ବିଜ୍ଞାନର ବିଶ୍ଳେଷଣ ଦ୍ୱାରା ବ୍ୟାଖ୍ୟା କରିବା ଆଦୌ ସହଜ ନୁହେଁ। ଛତିଶଗଡ଼ର ଜାଞ୍ଜଗିର ଚାମ୍ପା ଜିଲା ଅନ୍ତର୍ଗତ ପିହିରିଡ୍‌ ଗଁାରେ ଘଟିଥିବା ଏହି ଅଘଟଣକୁ ଅବିରାମ ଭାବେ ଦେଶର ପ୍ରାୟ ପ୍ରତିଟି ପ୍ରମୁଖ ଚାନେଲ ‘ଅପରେଶନର ଜିନ୍ଦେଗୀ’ ନାମରେ ପ୍ରଚାର କରୁଥିଲେ। ଶହେଛଅ ଘଣ୍ଟା ବ୍ୟାପୀ ଚାଲିଥିବା ଏହି ଅପରେଶନର ପ୍ରତ୍ୟେକ ମୁହୂର୍ତ୍ତକୁ ବାନ୍ଧି ରଖିଥିଲେ ନିଜ କ୍ୟାମେରାରେ ଓ ପହଞ୍ଚାଇ ଦେଉଥିଲେ ଦଶବର୍ଷର ମାନସିକ ଅନଗ୍ରସର ବାଳକ ରାହୁଲର ଜୀବନରକ୍ଷା ପାଇଁ ଈଶ୍ୱରଙ୍କୁ ଆକୁଳ ଭାବରେ ପ୍ରାର୍ଥନା କରୁଥିବା ପ୍ରତିଟି ଦରଦୀ ଭାରତୀୟଙ୍କ ନିକଟରେ।
ଶୁକ୍ରବାର ଦିନ ତିନିଟା ବେଳେ ଅଶୀଫୁଟ ଗଭୀରର ଏକ ପରିତ୍ୟକ୍ତ ବୋରଓ୍ବେଲ ଗାତ ଭିତରକୁ ଖସି ପଡ଼ିଥିଲା ମାନସିକ ଦିବ୍ୟାଙ୍ଗ ଦଶବର୍ଷର ବାଳକ ରାହୁଲ। ଏହାର ପ୍ରାୟ ଦୁଇଘଣ୍ଟା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲାପାଳ ଜିତେନ୍ଦ୍ର ଶୁକ୍ଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ‘ରାହୁଲ ଉଦ୍ଧାର’ ପ୍ରକ୍ରିୟା। ନିୟୋଜିତ ଥିଲେ ଉଭୟ କେନ୍ଦ୍ର ତଥା ରାଜ୍ୟ ଦୁର୍ଗତ ଉଦ୍ଧାର ବଳ ସହ ସେନା ବାହିନୀର ପାଞ୍ଚଶହ ସରିକି ପ୍ରଶିକ୍ଷିତ କର୍ମଚାରୀବୃନ୍ଦ। ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳିତ ଉଦ୍ୟମ ଓ କଠିନ ପରିଶ୍ରମର ଅଶୀଘଣ୍ଟା ପରେ ସୋମବାର ରାତି ବାରଟା ବେଳକୁ ଉଦ୍ଧାରକାରୀ ଦଳ ଏକ ସମାନ୍ତରାଳ ଟନେଲ ଖନନ କରି ରାହୁଲଠାରୁ ଅଳ୍ପ କେଇଫୁଟ ଦୂରରେ ପହଞ୍ଚତ୍ ପାରିଥିବା ଥିଲା ରାହୁଲର ଜୀବନରକ୍ଷା ପାଇଁ ଅଦୃଶ୍ୟ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଅଥଚ ଦୁର୍ଭାଗ୍ୟର କଥା, ରାତି ଯେତେ ବଢ଼ି ବଢ଼ି ଚାଲିଥାଏ, କମିବା ପରିବର୍ତ୍ତେ ସେତେ ବଢ଼ି ବଢ଼ି ଚାଲିଥାଏ ରାହୁଲ ଓ ତା’ର ଉଦ୍ଧାରକାରୀଙ୍କ ମଧ୍ୟରେ ଦୂରତା। କଠିନ ପ୍ରସ୍ତରଖଣ୍ଡ ଭେଦ କରି ଆଠଇଞ୍ଚ ଗୋଲେଇର ଗାତ ମଧ୍ୟରେ ଭୂତଳ ଜଳ ଭିତରେ ଜାକିଜୁକି ବସିଥିବା ସେଇ ପିଲାଟିକୁ ଉଦ୍ଧାର କରିବା ଆଉ କେଇ ମିନିଟ୍‌ର କଥା ନ ହୋଇ ଢେର ପ୍ରଲମ୍ବିତ ହୋଇଥିଲା ପରବର୍ତ୍ତୀ ନିଶାର୍ଦ୍ଧ ପର୍ଯ୍ୟନ୍ତ। ଗୋଟିଏ ପଟେ ଟନେଲ ଭିତରର ଚାଳିଶ ଡିଗ୍ରୀ ସେଲ୍‌ସିୟସରୁ ଊର୍ଦ୍ଧ୍ୱ ତାପମାତ୍ରା ଭିତରେ ସିଛି ସିଝି ରାହୁଲର ଉଦ୍ଧାର ପାଇଁ ଉଦ୍ୟମରତ ଏନ୍‌ଡିଆର୍‌ଏଫ୍‌ କର୍ମୀଙ୍କ ପ୍ରାଣମୟ ପ୍ରଚେଷ୍ଟା ଓ ଅନ୍ୟପଟେ ଗୋଟିଏ ଦଉଡ଼ିରେ ଦୁଇଟି କଦଳୀ ବାନ୍ଧି ଗାତ ଭିତରକୁ ପଠାଉଥିବା ଯବାନଙ୍କ କରୁଣା ଓ କାରୁଣ୍ୟର କଣ୍ଠସ୍ବର- ‘ରାହୁଲ ବେଟା! କେଲା ଖା’ଲୋ’ ମଧ୍ୟରେ ପ୍ରତିଧ୍ୱନିତ ହେଉଥିଲା ମାନବୀୟ ସଂସ୍କୃତିର ଏକ ଅପୂର୍ବ ଉପସର୍ଗ, ଯାହା ସୂଚାଇ ଦେଉଥିଲା ଦୁର୍ଗତର ସେବା ପାଇଁ କେତେ ସମର୍ପିତ ଆମ ସେନାବାହିନୀ ଓ ସୁରକ୍ଷା ବଳ।
ତାକୁ ଦେଖି ନ ଥିବା କି ଜାଣି ନ ଥିବା, ଅଥଚ ତା’ର ଉଦ୍ଧାର ଖବର ଶୁଣିବା ପାଇଁ ରାତିଅନିଦ୍ରା ହୋଇ ଟିଭି ପାଖରେ ବସିଥିବା ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା ଈଶ୍ୱର ଶୁଣିଲେ। ‘ଅପରେଶନ ଜିନ୍ଦେଗୀ’ ମଧ୍ୟରେ ପ୍ରତିଧ୍ୱନିତ ହେଉଥିବା ଜୀବନର ସାମୂହିକ ଜୟଗାନ ନିଷ୍ଫଳ ଗଲାନାହିଁ। ଦୀର୍ଘ ପାଞ୍ଚଦିନ ଓ ଚାରିରାତି ଅନ୍ଧାରି ଗହ୍ବର ଭିତରେ ଅବରୁଦ୍ଧ ରହିଥିବା ଓ ନିଜର ଦୁର୍ଦ୍ଦଶା ପାଇଁ ସେତକ ଯଥେଷ୍ଟ ନ ହେଲା ଭଳି ସେଇ ଗର୍ତ୍ତ ମଧ୍ୟରେ ପୂର୍ବରୁ ଥିବା ଏକ ବିଷଧର ଚନ୍ଦନବୋଡ଼ା ସାପ ସହ ବିବଶ ସୈଖ୍ୟ ସ୍ଥାପନ କରିଥିବା ସେଇ ଦିବ୍ୟାଙ୍ଗ ପିଲାଟିକୁ ମୃତ୍ୟୁର ଶକ୍ତ ପଞ୍ଝା ମଧ୍ୟରୁ ଭିଡ଼ି ଆଣିଲେ ଆମ ଆତ୍ମଶକ୍ତିମାନ୍‌ ଉଦ୍ଧାରକାରୀ ଦଳ।
ରାହୁଲ ଉଦ୍ଧାର ପାଇଲା ପରେ ଖୁସିରେ କାନ୍ଦି ପକାଇଥିଲେ ଉଦ୍ଧାରକାରୀ ଦଳର ନେତୃତ୍ୱ ନେଇଥିବା ଏନ୍‌ଡିଆର୍‌ଏଫ୍‌ର ଓଡ଼ିଆ ଇନ୍ସପେକ୍ଟର ମହାବୀର ମହାନ୍ତି। କହିଥିଲେ, ”ମୋ ସମଗ୍ର ଚାକିରିକାଳ ମଧ୍ୟରେ ବହୁ ଆପତକାଳକୁ ସାମ୍‌ନା କରିଛି। ମାତ୍ର କେଉଁଠି ବି ଏତେ କଷ୍ଟ ହୋଇ ନ ଥିଲା କି ଏତେ ଆନନ୍ଦ ବି ମିଳି ନ ଥିଲା।“ ରାତି ଉଜାଗର ରହି ‘ରାହୁଲ ଉଦ୍ଧାର’ ପ୍ରକ୍ରିୟାର ପ୍ରତ୍ୟକ୍ଷ ଖବର ରଖୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଆବେଗସିକ୍ତ ଆନନ୍ଦ ପ୍ରକଟିତ ହୋଇଥିଲା ତାଙ୍କ କାବି୍ୟକ ଟୁଇଟ୍‌ରେ। ସେ ଲେଖିଥିଲେ, ”ଆହ୍ବାନ ବଡ଼ ଥିଲା, କିନ୍ତୁ ଆମ ଉଦ୍ଧାରକାରୀ ଟିମ୍‌ଙ୍କ ମନୋବଳ କିଛି ଛୋଟ ନ ଥିଲା। ରାହୁଲ ଓ ଆମ ମଧ୍ୟରେ ଥିବା ପଥର କାନ୍ଥ ବେଶ୍‌ କଠିନ ଥିଲା, ମାତ୍ର ଆମ ଲକ୍ଷ୍ୟ ବି କିଛି କମ୍‌ ମଜବୁତ ନ ଥିଲା।“ ତେବେ ଏ ସବୁ ପ୍ରତିକ୍ରିୟା ମଧ୍ୟରେ ଚାମ୍ପା ଜିଲାର ଯଶସ୍ବୀ ଜିଲାପାଳ ଜିତେନ୍ଦ୍ର ଶୁକ୍ଳା ଓ ରାହୁଲର ପିତା ରାମ କୁମାର ସାହୁଙ୍କ ପ୍ରତିବେଦନ ଥିଲା ବେଶ୍‌ ମାର୍ମିକ, ବିଶେଷତଃ ଆମ ଓଡ଼ିଆଙ୍କ ପାଇଁ ଅତୀବ ଆନନ୍ଦଦାୟକ ଓ ପ୍ରେରଣାଦାୟୀ।
ଜିଲାପାଳ କହୁଥିଲେ, ”ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଓ ଅତ୍ୟନ୍ତ କଷ୍ଟ ସ୍ବୀକାର କରି ସଫଳତା ଆଣିଥିବା ସମସ୍ତେ ତ ଧନ୍ୟବାଦର ପାତ୍ର। ତେବେ ଓଡ଼ିଶାର ମୁଣ୍ଡଳୀରୁ ଆସିଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସେମାନଙ୍କ କାର୍ଯ୍ୟ ସଂସ୍କୃତି ପାଇଁ ସ୍ବତନ୍ତ୍ର ପ୍ରଶଂସାର ଯୋଗ୍ୟ।“ ନିଜ ମାନସିକ ଅନଗ୍ରସର ପୁଅକୁ ଅବିଶ୍ୱସନୀୟ ଭାବେ ଫେରିପାଇଥିବା ମା’ବାପାଙ୍କ ମନୋଭାବକୁ କୌଣସି ଶବ୍ଦରେ ପ୍ରକାଶ କରାଯାଇପାରେନା। ତେବେ କେମିତି କେଜାଣି ବେଶ୍‌ ପ୍ରଗ୍‌ଳଭ ହୋଇ ଯାଇଥିଲେ ରାମ କୁମାର ଓଡ଼ିଶାର ଲୋକ ଓ ଓଡ଼ିଶାର ଇଷ୍ଟଦେବ ଜଗନ୍ନାଥଙ୍କୁ ନିଜ କୃତଜ୍ଞତା ପ୍ରକଟ କରୁଥିଲା ବେଳେ। କହୁଥିଲେ, ”କେଇବର୍ଷ ତଳେ ପୁରୀ ଯାଇଥିଲା ବେଳେ ସମୁଦ୍ରକୂଳରେ ହଜି ଯାଇଥିଲା ରାହୁଲ। ସେତେବେଳେ ଜଗନ୍ନାଥ ସ୍ବାମୀ ଦୁଇଜଣ ସ୍ଥାନୀୟ ଲୋକଙ୍କୁ ଲଗାଇ ତାକୁ ଖୋଜି ଆଣି ଆମକୁ ଦେଇଥିଲେ। ଆଜି ପୁଅ ଆମର ସବୁଦିନ ପାଇଁ ହଜି ଯାଉଥିଲା ବେଳେ ସେ କଟକ ମୁଣ୍ଡଳୀରୁ ଉଦ୍ଧାରକାରୀଙ୍କୁ ପଠାଇ ତାଙ୍କ ସ୍ନାନ ପୂର୍ଣ୍ଣିମାରେ ତାକୁ ଖୋଜି ଆଣି ଆମକୁ ଫେରାଇ ଦେଇଛନ୍ତି। ଭଗବାନ୍‌ ଜଗନ୍ନାଥଙ୍କ କରୁଣାର ପଟାନ୍ତର ନାହିଁ। ରାହୁଲ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ତାକୁ ନେଇ ପୁରୀ ଯିବି ଓ ଜଗନ୍ନାଥଙ୍କୁ ମୋ କୃତଜ୍ଞତା ଜଣାଇବି।“
ଆଃ, କେଡ଼େ ମିଠାଲାଗୁଛି ଶୁଣିବାକୁ ଏମିତି ଦୁଇପଦ କଥା! ପ୍ରକୃତରେ, ବେଳେବେଳେ ଏମିତି କିଛି ମୁହୂର୍ତ୍ତ ଆସେ, ଯେତେବେଳେ ଓଡ଼ିଶାରେ ଜନ୍ମ ନେଇଥିବାରୁ ମନରେ ଗର୍ବ ଆସେ, ହୃଦୟ ପୂରି ଉଠେ ଏକ ମୁଗ୍ଧ ଅନୁଭବରେ; ତାହା ଜଗନ୍ନାଥଙ୍କୁ ନେଇ ହେଉ କି ମହାବୀର ମହାନ୍ତିଙ୍କ ନେତୃତ୍ୱରେ ମୁଣ୍ଡଳିରୁ ଯାଇ ରାହୁଲକୁ ମରଣମୁହଁରୁ ଛଡ଼ାଇ ଆଣିଥିବା ଓଡ଼ିଶାର ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନେଇ ହେଉ।

ଅଧ୍ୟାପକ ନିରଞ୍ଜନ ପାଢ଼ୀ
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri