୨ ଦିନ ଧରି ନିଖୋଜ ଥିଲେ ଯବାନ, ଆଜି ଗଛରେ ଝୁଲୁଥିଲା ମୃତଦେହ, ଘଟଣାସ୍ଥଳରୁ…

ଲଖନପୁର,୭ା୧୧(ଗୌତମ ସାହୁ): ଦୁଇଦିନ ଧରି ନିଖୋଜ ଥିବା ଜଣେ ଓଏସ୍‌ପି ଯବାନଙ୍କ ଝୁଲନ୍ତା ମୃତଦେହକୁ ସୁନ୍ଦରଗଡ଼ ଜିଲା ହେମଗିରି ପୋଲିସ ଶନିବାର ଉଦ୍ଧାର କରିଛି। ମୃତ ଯବାନ ହେଲେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଦେଓପାଲି ଗ୍ରାମର ଚୂଳ ସାହୁଙ୍କ ଏକମାତ୍ର ପୁଅ ପୃଥ୍ବୀରାଜ ସାହୁ (୩୩)। ସେ ଓଡ଼ିଶା ସ୍ପେଶାଲ ପୋଲିସ (ଓଏସ୍‌ପି)ରେ କାର୍ଯ୍ୟରତ ଥିବାବେଳେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ନିୟୋଜିତ ଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି କାରଣରୁ ଗତ ଗୁରୁବାରଠାରୁ ପୃଥୀରାଜ ହଠାତ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ପକ୍ଷରୁ ଝାରସୁଗୁଡ଼ା ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ତାଙ୍କର ଖୋଜାଖୋଜି ଆରମ୍ଭ କରିଥିଲା।
ଏହି ସମୟରେ ଗତ ଶୁକ୍ରବାର ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଘୁଡ଼ାମରା ଘାଟି ନିକଟରେ ତାଙ୍କ ସ୍କୁଟିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ହେମଗିରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ଶନିବାର ସକାଳେ ଘାଟି ନିକଟସ୍ଥ ଜଙ୍ଗଲରେ ଏକ ବେରୁଆ ଗଛରେ ପୃଥୀରାଜଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଠାବ କରିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଯୁବ ଯବାନଙ୍କ ଏଭଳି ଅକାଳ ମୃତ୍ୟୁ ଖବର ତାଙ୍କ ଗାଁ ଓ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି।

Dharitri – Odisha’s No.1 Odia Daily

Share