ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ

ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍‌ସିତ ପ୍ରତିହାରୀ ବୟାନ ରଖିଛନ୍ତି। ଏହି ପ୍ରସଙ୍ଗରେ ବୟାନ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଈପ୍‌ସିତଙ୍କୁ ନୋଟିସ୍‌ ଦିଆଯାଇଥିଲା। ତେଣୁ ନିର୍ଦ୍ଧାରିତ ସମୟରେ ଈପ୍‌ସିତ ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ ସୁବ୍ରତ କୁମାର ବେହେରାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କର ଲିଖିତ ବୟାନ ରଖିଛନ୍ତି।
ଈପ୍‌ସିତ ରାଜସ୍ବ ଉପପ୍ରଶାସକଙ୍କୁ ଦେଇଥିବା ଲିଖିତ ବୟାନରେ ଦର୍ଶାଇଛନ୍ତି ଯେ, ଗତ ଜୁଲାଇ ୬ ତାରିଖରେ ତାଙ୍କର ମନ୍ଦିରରେ ପାଳି ଥିଲା। ସେହି ସମୟରେ ସେ ରତ୍ନସିଂହାସନରେ ପଦ୍ମଖୋଦିତ ପ୍ରାୟ ୨ଇଞ୍ଚର ପଥର ଭାଙ୍ଗିଯାଇଥିବା ଦେଖିଥିଲେ। ଏ ନେଇ ସେ ଅନ୍ୟ ସେବାୟତଙ୍କ ସହ ଆଲୋଚନା କରି ଏହା ପରଦିନ ପଦ୍ମଖୋଦିତ ପଥର ଗାଏବ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗପତ୍ର ପଠାଇଥିଲେ। ଏହାପରେ ଗଣମାଧ୍ୟମ ସମ୍ମୁଖରେ ସେ ଏ ସମ୍ପର୍କରେ କହିଥିଲେ। ସେହି ସ୍ଥାନରେ ପ୍ରକୃତ ପଦ୍ମଖୋଦିତ ପଥର ବଦଳରେ ଅପ୍ରାକୃତିକ ଭାବେ ଯୋଡ଼ାଯାଇଥିବା ଏବଂ ଏକ ଗର୍ତ୍ତ ହୋଇଥିବା ଦେଖିଛନ୍ତି। ଏହି ପଥର କେବେ ଗାଏବ ହୋଇଛି ସେ ଜାଣିନାହାନ୍ତି। କିନ୍ତୁ ଅପ୍ରାକୃତିକ ଭାବେ ମରାମତି ହୋଇଥିବା ଜଣାପଡୁଛି। ରଥଯାତ୍ରା ଆରମ୍ଭରୁ ନୀଳାଦ୍ରି ବିଜେ ସମୟ ମଧ୍ୟରେ ଏଏସ୍‌ଆଇ ଦ୍ୱାରା ମରାମତି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ମରାମତି ଦାୟିତ୍ୱ ଦେବା ଏବଂ ମରାମତି ପରେ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାବେଳେ ଏହା କିପରି ଜଣାପଡ଼ିିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ବିଷୟରେ ଗତ ମାସ ୧୦ ତାରିଖରେ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଥିବା ସେ ଲିଖିତ ବୟାନରେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୭ରେ ଈପ୍‌ସିତ ଗଣମାଧ୍ୟମରେ ଏହି ଅଭିଯୋଗ ରଖିଥିଲେ। ଏହାପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ପରିଚାଳନା କମିଟିର ୨ ସେବାୟତ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଏଏସ୍‌ଆଇ ଅଧିକାରୀ ପ୍ରମୁଖ ଏହାର ଅନୁଧ୍ୟାନ କରିଥିଲେ। ଏଏସ୍‌ଆଇଠାରୁ ରତ୍ନସିଂହାସନର ପୁରୁଣା ଫଟୋକପି ମଗାଯାଇଥିଲା। ଏଏସ୍‌ଆଇ ସମସ୍ତ ଫଟୋ ସହ ପରେ ରିପୋର୍ଟ ଦେଇଥିଲା।