ଜେରା ଜାରି, ଆଜି ହୋଇପାରେ ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର,୫।୩(ବ୍ୟୁରୋ):ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗୁରୁବାରଠାରୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ମଙ୍ଗଳବାର କୋଲକାତାର ଏକ ସିବିଆଇ ଟିମ୍‌ ସ୍ବତନ୍ତ୍ର ସିଜେଏମ୍‌ କୋର୍ଟରେ ଏଥିପାଇଁ ଆବେଦନ କରିଥିଲା। ୪ ଓ ୫ ତାରିଖ ଦୁଇଦିନ ପାଇଁ ବୁଧବାର କୋର୍ଟ ଅନୁମତି ଦେଇଥିଲେ। ତେବେ ଗୁରୁବାର ବିବନଙ୍କୁ ରିମାଣ୍ଡରେ ଆଣିବା ପରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ପରେ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟର ଏକ ବନ୍ଦ କୋଠରିରେ ଦିନ ତମାମ ମାରାଥନ ଜେରା ଚାଲିଛି। ଗିରଫ କରିବାରେ ଫେଲ୍‌ ମାରିଥିବା ସିବିଆଇ ରିମାଣ୍ଡ ସମୟରେ ତାଙ୍କ ମୁହଁରୁ ପୂରା ଘଟଣାର ସତ୍ୟାସତ୍ୟ ଓାଳିବାକୁ ଚେଷ୍ଟା କରୁଛି। ୧୯୯୯ ଜାନୁୟାରୀ ୯ କାଳ ରାତିର ସେହି କଳା ଘଟଣାଠାରୁ ଆରମ୍ଭ କରି ୨୨ ବର୍ଷ ଧରି ଫେରାର ହେବାର ଟିକିନିଖି ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ସିବିଆଇ ଟିମ୍‌। ଘଟଣା ପଛରେ ଷଡ଼ଯନ୍ତ୍ର ଥିଲା କି, ବିବନ କାହା ସାହାଯ୍ୟରେ ରାଜ୍ୟ ବାହାରକୁ ଖସିଯିବାକୁ ସକ୍ଷମ ହେଲେ, ସିବିଆଇ ଆଖିରେ ଧୂଳି ଦେଇ କେମିତି ଦୀର୍ଘ ୨୨ବର୍ଷ ଧରି ଆତ୍ମଗୋପନ କରିଥିଲେ, ୨୦୦୭ରେ ମହାରାଷ୍ଟ୍ର ଆମ୍ବି ଭ୍ୟାଲି ଯିବା ସହ ସେଠାରେ କିପରି ନିଜ ନାମ, ପରିଚୟ ଓ ଠିକଣା ବଦଳାଇଥିଲେ, ଏହା ପୂର୍ବରୁ ବିବନ କେଉଁଠି ଲୁଚି ରହିଥିଲେ, ଏସବୁ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ତେବେ ବିବନ ଗଣବଳାତ୍କାର ନେଇ ସ୍ବୀକାର କରିଥିବାବେଳେ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଇଥିବା ତଥ୍ୟ ଠିକ୍‌ ନା ନାହିଁ ତାହାର ଯାଞ୍ଚ କରୁଛି ସିବିଆଇ। ଘଟଣା ପଛରେ ଷଡଯନ୍ତ୍ର ରହିଥିବା ଅଞ୍ଜନା ବାରମ୍ବାର ଅଭିଯୋଗ କରୁଛନ୍ତି। ତେଣୁ ଏ ସଂକ୍ରାନ୍ତରେ ବିବନଙ୍କ ମୁହଁରୁ ସତ ବାହାର କରିବାକୁ ସିବିଆଇ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷେ ସିବିଆଇ ହାତରେ ମାତ୍ର ଗୋଟିଏ ଦିନ ସମୟ ଥିବାରୁ ସିନ୍‌ ରିକ୍ରିଏଶନ ପାଇଁ ଶୁକ୍ରବାର ବିବନଙ୍କୁ ଘଟଣା ସ୍ଥଳକୁ ନିଆଯାଇପାରେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ କମିଶନରେଟ୍‌ ପୋଲିସ ବିବନଙ୍କୁ ମହାରାଷ୍ଟ୍ର ଆମ୍ବି ଭ୍ୟାଲିରୁ ଗିରଫ କରିଥିଲା। ବୁଧବାର ଝାରପଡ଼ା ଜେଲ ପରିସରରେ ଜେଏମ୍‌ଏଫସି ଶୃଜାଲିନ ମହାନ୍ତିଙ୍କ ସାମ୍ନାରେ ବିବନଙ୍କ ଟିଆଇ ପରେଡ୍‌ କରାଯାଇଥିଲା।