୦.୭୨%କୁ ଖସିଲା ସଂକ୍ରମଣ ହାର

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହାର ୧ ପ୍ରତିଶତ ତଳକୁ ଖସିଛି। ଗତ ୨୪ଘଣ୍ଟାରେ ୫୩,୬୯୦ ନମୁନା ପରୀକ୍ଷା କରାଯାଇଥିବାବେଳେ ୩୮୮ଜଣ ପଜିଟିଭ୍‌ ବାହାରିଛନ୍ତି। ଫଳରେ ସଂକ୍ରମଣ ହାର ୦.୭୨%କୁ ଖସିଆସିଛି। ସେପଟେ ୫ ଜିଲାରେ କିନ୍ତୁ ସଂକ୍ରମଣ ହାର ୧ ପ୍ରତିଶତ ଉପରେ ରହିଛି। କଟକ ଜିଲାରେ ସର୍ବାଧିକ ହାର ୨.୧% ଥିବାବେଳେ ଗଜପତି ୨, ଖୋର୍ଦ୍ଧା ୧.୬, ରାୟଗଡ଼ା ୧.୫ ଏବଂ ନୟାଗଡ଼ରେ ୧.୧% ରହିଛି। ଦୀର୍ଘଦିନ ପରେ ରାଜ୍ୟର ଗୋଟିଏ ଜିଲାରୁ ଆଦୌ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ସୋନପୁର ଜିଲାକୁ ଛାଡ଼ି ବାକିସବୁ ଜିଲାରେ ନୂଆ ସଂକ୍ରମିତ ବାହାରିଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୪ଜଣ ରହିଛନ୍ତି। ସେହିଭଳି ଗଜପତିରୁ ୩୦, ସମ୍ବଲପୁର ୨୪, ଯାଜପୁର ୨୩, କଟକ ୨୧, ରାୟଗଡ଼ା ଓ ମୟୂରଭଞ୍ଜରୁ ୨୦ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାକିସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ତଳେ ରହିଛି। ତେବେ ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୧୨,୮୨,୮୬୯ରେ ପହଞ୍ଚତ୍ଛି। ଅପରପକ୍ଷେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସକ୍ରିୟ ରୋଗୀ ସଂଖ୍ୟାରେ ରାଜ୍ୟର ସବୁ ଜିଲା ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି। ସେପଟେ ରାଜ୍ୟରେ ଆଉ ୧୫ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଥିବାବେଳେ ୮ଜଣ ପୁରୁଷ ରହିଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୬ଜଣ ରହିଥିବାବେଳେ ବାଲେଶ୍ୱର, କଟକ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏ ଏବଂ ସମ୍ବଲପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯,୦୨୬କୁ ବୃଦ୍ଧି ପାଇଛି।