‘ଡାକୋଟା’ ବିମାନ ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖାଯାଇଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ବୁଲି ଦେଖିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ। ତାଙ୍କ ସହ ଏକ ଟିମ୍‌ ମଧ୍ୟ ‘ଡାକୋଟା’ ଦେଖିଛନ୍ତି।

ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମହାମହିମ ରାଷ୍ଟ୍ରଦୂତଙ୍କୁ ସ୍ବାଗତ କରିଥିଲେ। ମହାମହିମ ରାଷ୍ଟ୍ରଦୂତଙ୍କୁ ଉତ୍ତରୀୟ ଓ ସ୍ମାରକ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ ‘ଡାକୋଟା’ ବିମାନ ବୁଲାଇ ଦେଖାଇଥିଲେ। ମହାମହିମ ରାଷ୍ଟ୍ରଦୂତ ପ୍ରବାଦପୁରୁଷ ବିଜୁ ବିଜୁବାବୁଙ୍କ ‘ଡାକୋଟା’ ବିମାନ ଦେଖି ଅତ୍ୟନ୍ତ ଭାବବିହ୍ବଳ ହୋଇ କହିଥିଲେ ଯେ, ଏହି ବିମାନବନ୍ଦରକୁ ଆସି ‘ଡାକୋଟା’ ଦେଖିବା ତାଙ୍କ ପାଇଁ ଏବଂ ପ୍ରତ୍ୟେକ ଇଣ୍ଡୋନେସିଆବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ବିମାନ ସହ ପ୍ରତିଟି ଇଣ୍ଡୋନେସିଆବାସୀଙ୍କର ଭାବଗତ ସମ୍ପର୍କ ରହିଛି। ଇଣ୍ଡୋନେସିଆ ବିପ୍ଳବ ସମୟରେ ଏହି ବିମାନରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଥିଲା।

ରାଷ୍ଟ୍ରଦୂତ ବିସ୍ମିତ ହେବା ସହ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଦୁର୍ବିପାକ ମୁକାବିଲା ଓ ଜଳ ପରିଚାଳନାରେ ଓଡ଼ିଶା ଚାମ୍ପିୟନ ବୋଲି ସେ କହିଛନ୍ତି । ଅଧିକାରୀଙ୍କୁ ପ୍ରଶିକ୍ଷଣ ନେବାକୁ ସେ ଇଣ୍ଡୋନେସିଆ ସରକାରଙ୍କୁ ସୁପାରିସ କରିବେ ବୋଲି କହିଛନ୍ତି ।