ମହୋଦଧିର ମହତ୍ତ୍ୱ ଓ ପର୍ଯ୍ୟଟକର ଭାବନା

ସଦ୍ୟ ପୁରୀ ସମୁଦ୍ରଜଳରେ ଜଣେ ନିରୀହ ପର୍ଯ୍ୟଟକଙ୍କର ସଲିଳସମାଧି ଜନସାଧାରଣଙ୍କୁ ବ୍ୟଥିତ କରିଛି। ହସି ହସି ବାପାଙ୍କ ସହିତ ଖେଳୁଥିବା ଶିଶୁଟିଏ ନିଜ ଆଖି ସାମ୍ନାରେ ବାପାଙ୍କୁ ଆଜୀବନ ହରେଇ ସାରିଛି, ଏ କଥା ସେ ବିଶ୍ୱାସ କରିବ କେମିତି? ପରିବାର ହରେଇଦେଲା ଆତ୍ମୀୟ ମଣିଷଟିଏ। ତେବେ ଏଠାରେ ପ୍ରଶ୍ନ ଉଠେ ପୁରୀର ସମୁଦ୍ରକୂଳ ଏବଂ ଅନ୍ୟ ସ୍ଥାନର ସମୁଦ୍ର ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି ତାହା ପର୍ଯ୍ୟଟକମାନେ ଭଲଭାବେ ଜାଣିଛନ୍ତି କି? ପୁରୀ ସମୁଦ୍ରକୂଳ ସହିତ ଯେଉଁ ତିତ୍ତ୍ୱ ଜଡ଼ିତ ଅଛି ସେସବୁ ବିଷୟରେ ପର୍ଯ୍ୟଟକର ଭକ୍ତିଭାବ ରହିବା ଆବଶ୍ୟକ। ତା’ହେଲେ ଯାଇ ସେଠାରେ ସ୍ନାନ କରୁଥିବା ପର୍ଯ୍ୟଟକ ଭକ୍ତିର ସହିତ ସଂଯତଭାବରେ ସ୍ନାନ କରିପାରିବ। ଆମେ ଦେଖୁ ଅନେକ ପର୍ଯ୍ୟଟକ ପୁରୀ ସମୁଦ୍ରକୂଳକୁ କେବଳ ଏକ ମନୋବିନୋଦନର ସ୍ଥଳ ଭାବେ ଗ୍ରହଣ କରିସାରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଦାରୁ ରୂପରେ ଆବିର୍ଭାବର ସ୍ଥାନ ଏହି ମହୋଦଧିର ପୁଣ୍ୟ ଜଳରାଶି ଆଜି ନାନାବିଧ ଖାଦ୍ୟପଦାର୍ଥ, ନାଳନର୍ଦ୍ଦମା ଏବଂ ଅନୈତିକ କାର୍ଯ୍ୟକଳାପର ପେଣ୍ଠସ୍ଥଳ। ତେବେ ଏ ସବୁଥି ପାଇଁ ପର୍ଯ୍ୟଟକଙ୍କୁ ଦାୟୀ କରାଯାଇପାରେନା କାରଣ ଅନେକ ଆଗନ୍ତୁକ ପର୍ଯ୍ୟଟକ ଜାଣିନାହାନ୍ତି ପୁରୀ ସମୁଦ୍ରର ମହତ୍ତ୍ୱ। ସବୁ ସମୁଦ୍ର ଭଳି ପୁରୀ ସମୁଦ୍ର ମଧ୍ୟ ଏକ ମନୋବିନୋଦନ ସ୍ଥଳ, ଏହା ଅଧିକାଂଶ ପର୍ଯ୍ୟଟକଙ୍କ ଭାବନା। ତେବେ ପୁରୀର ସମୁଦ୍ର ନୁହେଁ ମନୋବିନୋଦନର ତଟ, ଏହା ପରମ ମୋକ୍ଷତତ୍ତ୍ୱର ମାର୍ଗ; ଏହାକୁ ପର୍ଯ୍ୟଟକଙ୍କୁ ବୁଝାଇବାକୁ ହେବ।
ପୁରୀ ସମୁଦ୍ର ହେଉଛି ମହୋଦଧି। ମହୋଦଧି ହେଉଛି ଏକ ଶାସ୍ତ୍ରୀୟ ନାମ। ମହାନ୍‌ ଯାହାର ଉଦଧି ସେ ମହୋଦଧି। ବଙ୍ଗୋପସାଗର ବିଶ୍ୱର ବିସ୍ତୃତ ଅଞ୍ଚଳକୁ ପରିବ୍ୟାପ୍ତ ଥିଲେ ମଧ୍ୟ ପୁରୀର ସୀମିତ ଅଞ୍ଚଳରେ ବ୍ୟାପ୍ତ ଜଳରାଶିକୁ ମହୋଦଧି ବୋଲି ଶାସ୍ତ୍ରମାନେ ବର୍ଣ୍ଣନା କରିଛନ୍ତି। ସ୍କନ୍ଦ ପୁରାଣରେ ନୀଳାଚଳର ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି, ସଂସାରର ପ୍ରଳୟ ଏବଂ ସର୍ଜନାର ସୃଷ୍ଟି ସ୍ଥଳ ହେଉଛି ପୁରୀ ମହୋଦଧିର ତଟ। ଯେତେବେଳେ ସମସ୍ତ ଭୂମଣ୍ଡଳ ପ୍ରଳୟର ବଶବର୍ତ୍ତୀ ହୋଇଯାଇଥିଲା ସେତେବେଳେ ଋଷି ମାର୍କଣ୍ଡେୟ ନିଜର ପୁଣ୍ୟବଳରେ ଭାସି ଭାସି ଆସି ମହୋଦଧି କୂଳର ବଟବୃକ୍ଷରେ ଲାଗିଲେ। ସେଠାରେ ସେ ବଟବୃକ୍ଷ ପତ୍ରରେ ବାଳମୁକୁନ୍ଦଙ୍କୁ ଦର୍ଶନ କରିଥିଲେ। ପୁରୀକୁ ଶଙ୍ଖକ୍ଷେତ୍ର ନାମରେ ଶାସ୍ତ୍ରମାନେ ସମ୍ମାନ କରନ୍ତି। ନାରାୟଣଙ୍କର ଏହି ଅତ୍ୟନ୍ତ ପ୍ରିୟ ସ୍ଥଳଟି ଶଙ୍ଖାକୃତି ହୋଇ ରହିଛି। ଏହି ଶଙ୍ଖକ୍ଷେତ୍ରର ସ୍ବରୂପ ବିଷୟରେ କୁହାଯାଇଛି, ‘ସିନ୍ଧୁରାଜସ୍ୟ ସଲିଳାଦ୍ୟାବନ୍ମୁଳଂ ବଟସ୍ୟ ବୈ। ଶଙ୍ଖସ୍ୟୋଦରଭାଗସ୍ତୁ ସମୁଦ୍ରୋଦକସମ୍ପ୍ଳତଃ।’ ଅର୍ଥାତ୍‌ ଶଙ୍ଖକ୍ଷେତ୍ରର ଉଦରଭାଗ ସମୁଦ୍ର ଜଳରେ ନିମଗ୍ନ। ତେଣୁ ଏହା ମହୋଦଧି। ସମୁଦ୍ର ଜଳରୁ ନୀଳାଚଳର ବଟବୃକ୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏକକୋଶ ସ୍ଥାନ ସୁଦୁର୍ଲଭ।
ଶାସ୍ତ୍ରମାନେ ମତ ଦିଅନ୍ତି, ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କୁ ଅନ୍ବେଷଣ କରି ଜାଣିପାରିଲେ ଯେ ଶ୍ରୀନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ତତ୍ପରେ ସେ ଭାବବିହ୍ବଳିତ ହୋଇ ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚତ୍ଛନ୍ତି। ମହୋଦଧିର ଅପୂର୍ବ ଜଳରାଶି ଏବଂ ନୀଳାଚଳର ଭବ୍ୟ ବାତାବରଣରେ ସେ ବିମୁଗ୍ଧ ହୋଇଛନ୍ତି। ନୀଳାଚଳ ଶିଖର ପ୍ରଦେଶରେ ରାଜା ଦର୍ଶନ କରିଛନ୍ତି ଭଗବାନ ନୃସିଂହଙ୍କ ଦିବ୍ୟ ଏବଂ ତେଜୀୟାନ୍‌ ରୂପକୁ। ପରବର୍ତ୍ତୀ ସମୟରେ ଏହିଠାରେ ନୃସିଂହ ଉପାସନା କରି ସ୍ବପ୍ନାଦେଶ ହୋଇଛନ୍ତି ଯେ, ସ୍ବୟଂ ନାରାୟଣ ଦାରୁବ୍ରହ୍ମ ରୂପରେ ମହୋଦଧିରେ ଭାସମାନ। ଏହାପରେ ରାଜା ଭକ୍ତି ଗଦ୍‌ଗଦ୍‌ ହୋଇ ଦାରୁଙ୍କୁ ସଂଗ୍ରହ କରିଛନ୍ତି ଏବଂ ବିଗ୍ରହ ନିର୍ମାଣ କରେଇଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ପତ୍ନୀ ମହାଲକ୍ଷ୍ମୀ ସମୁଦ୍ରଙ୍କର କନ୍ୟା। ସେହି ଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଶ୍ୱଶୁର ମହୋଦଧିଙ୍କୁ ସମ୍ମାନ ଏବଂ ଭକ୍ତି କରନ୍ତି। ଆଦିଶଙ୍କରାଚାର୍ଯ୍ୟ, ଶ୍ରୀଚୈତନ୍ୟ ପ୍ରଭୃତି ବିଶ୍ୱମାନ୍ୟ ସନ୍ଥମାନେ ମହୋଦଧି କୂଳରେ ପ୍ରତିଷ୍ଠା କରିଛନ୍ତି ନିଜର ମଠ ଏବଂ ଆଶ୍ରମ। ମହୋଦଧିର ତଟ ପ୍ରଦେଶରେ ପ୍ରତିଷ୍ଠାପିତ ସ୍ବର୍ଗଦ୍ୱାର ସୂଚେଇଦିଏ ମହୋଦଧି ନୁହେଁ ବିଳାସବ୍ୟସନର ଭୂମି। ଏହା ହେଉଛି ତ୍ୟାଗ ଏବଂ ମୋକ୍ଷର ପରମ କ୍ଷେତ୍ର। ଏଠି ପାପ ଅର୍ଜନ କରାଯାଏନାହିଁ ପରନ୍ତୁ ଜୀବନର ପାପ କ୍ଷାଳନ ହୁଏ। ମହୋଦଧିର ତଟପ୍ରଦେଶରେ ଅନେକ ମନ୍ଦିର ଏବଂ ମଠ ପ୍ରତିଷ୍ଠାପନର ଅନ୍ତର୍ନିହିତ କାରଣଟି ହେଉଛି, ମହୋଦଧିର ପବିତ୍ରତାକୁ ବଜାୟ ରଖିବା ଏବଂ ଜୀବନର ମୂଲ୍ୟକୁ ଅନୁଭବ କରି ଏହିଠାରେ ଧ୍ୟାନସ୍ଥ ହେବା। ସେଇଥିପାଇଁ ତ ପ୍ରାଚୀନକାଳର ସାଧବପୁଅମାନେ ନିଜର ବେପାରବଣିଜ ପାଇଁ ସମସ୍ତ ସମୁଦ୍ର କୂଳକୁ ବିନିଯୋଗ କରୁଥିଲେ ମଧ୍ୟ ପୁରୀର ମହୋଦଧିକୁ କେବଳ ଭକ୍ତିର ଭାବରେ ବାନ୍ଧି ରଖିଥିଲେ। ଏଠାରେ ସେମାନେ ବେପାରବଣିଜ କରିନାହାନ୍ତି। ଭକ୍ତି ହେଉଛି ମହୋଦଧିର ସ୍ବରୂପ। କାରଣ ଏହାର ପବିତ୍ର ଜଳ ସ୍ପର୍ଶରେ ଭକ୍ତ ହୁଏ ଭାବବିହ୍ବଳ । ସେଥିପାଇଁ ତ ସାମୁଦ୍ରିକ ବନ୍ୟା, ବାତ୍ୟା, ଝଡ଼ ପ୍ରଭୃତି ଦୁର୍ଦ୍ଧର୍ଷ ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ପୁରୀର ସାଧାରଣ ମଣିଷ ମହୋଦଧି ଉପରେ ବିଶ୍ୱାସ ରଖେ। ମୃତ୍ୟୁ ପାଖରେ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଆତ୍ମସମର୍ପଣ କରିବା କ’ଣ କେବେ ସମ୍ଭବ? କିନ୍ତୁ ହଁ; ତାହା ସମ୍ଭବ ହୋଇଛି କେବଳ ମହୋଦଧିରେ। ଭକ୍ତର ଭକ୍ତି ଏବଂ ବିଶ୍ୱାସକୁ ସମ୍ମାନ ଦେଇଛି ମହୋଦଧି ଏବଂ ଇତିହାସରେ କେବେ ମଧ୍ୟ ଦୃଷ୍ଟିଗୋଚର ହୋଇନାହିଁ ପୁରୀର ମହୋଦଧି ତା’ର ଆଶ୍ରିତମାନଙ୍କ ଉପରେ ଦାଉ ସାଧିଛି।
ମହୋଦଧି ହୋଇପାରେ ଆମ ଜୀବନଧାରଣର ମାର୍ଗ। ଏହାର କୂଳରେ ଶଙ୍ଖ, ସାମୁଦ୍ରିକ ଦ୍ରବ୍ୟ, ସମୁଦ୍ର କୂଳକୁ ପ୍ରଦୂଷିତ ନ କରୁଥିବା ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ଫଟୋଗ୍ରାଫି ପ୍ରଭୃତି କରି ଆମେ ମହୋଦଧିକୁ ସମ୍ମାନ କରି ଜୀବନ ଜିଇପାରିବା। କିନ୍ତୁ ମହୋଦଧିକୁ ପ୍ରଦୂଷିତ କରିବା ଆମର ଲକ୍ଷ୍ୟ ନ ହେଉ। ଠିକ୍‌ ସେହିଭଳି ମହୋଦଧିରେ ସ୍ନାନ କରୁଥିବା ପର୍ଯ୍ୟଟକ ଏଠାରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ସ୍ନାନ କରୁ। ମହୋଦଧି ସ୍ନାନ ଅନେକ ମାରାତ୍ମକ ରୋଗରୁ ଉପଶମ ଦେଉଥିବାର ପ୍ରମାଣ ମଧ୍ୟ ଦୃଷ୍ଟିଗୋଚର ହୁଏ। ତେଣୁ ମହୋଦଧି ସ୍ନାନ ବିଳାସ ବ୍ୟସନର ସ୍ନାନ ନ ହେଉ । ମହୋଦଧି ସ୍ନାନ ହେଉଛି ମୋକ୍ଷର ସ୍ନାନ। ଏହା ଆମ ସଂସ୍କୃତିର ଅନ୍ୟ ଏକ ପରମପାବନ ପ୍ରତୀକ। ମହୋଦଧିକୁ ଯଦି ପର୍ଯ୍ୟଟକ ଠିକ୍‌ ଭାବରେ ବୁଝିପାରିବେ ତେବେ ସେମାନେ ଜାଗରୁକ ହେବେ। ଏହା ଦ୍ୱାରା ଅକାଳରେ ପର୍ଯ୍ୟଟକଙ୍କ ପ୍ରାଣହାନି ହେବନାହିଁ। ଏଥିପାଇଁ ମହୋଦଧି କୂଳରେ ସୂଚନାଫଳକର ଆବଶ୍ୟକତା ରହିଛି।

  • ଡ. ଭାରତ ଭୂଷଣ ରଥ
    ଉପନିର୍ଦ୍ଦେଶକ, ଦୂରସ୍ଥ ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ଆ.ପ୍ର., ମୋ: ୮୮୯୭୪୨୬୨୪୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri